ଖଣ୍ଡଗିରି: ରାଖୀପୂର୍ଣ୍ଣିମାକୁ ଆଉ ୪ ଦିନ ରହିଲା। ଯେଉଁ ଭଉଣୀମାନେ ଭାଇଠାରୁ ଦୂରରେ ରହୁଛନ୍ତି, ସେମାନେ ଡାକ ଯୋଗେ ଭାଇ ପାଖକୁ ରାଖୀ ପଠାନ୍ତି। ବହୁ ବର୍ଷ ହେଲା ଡାକସେବା ଭଉଣୀମାନଙ୍କ ସ୍ନେହର ଡୋରି ଭାଇଙ୍କ ପାଖରେ ପହଞ୍ଚାଇବାରେ ଦୂତ ସାଜିଛି। ଯଦିଓ ଡିଜିଟାଲ ଯୁଗରେ ଡାକ ବିଭାଗ ଉପରେ ନିର୍ଭରତା କମିଛି, ତଥାପି ଅନେକ ଭଉଣୀ ଡାକରେ ହିଁ ଭାଇ ପାଇଁ ରାଖୀ ପଠାଉଛନ୍ତି। ହେଲେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଡାକ ବିଭାଗର ସଫ୍ଟୱେର୍ ବଦଳା ଯାଉଥିବାରୁ ଗତ ୩ ଦିନ ହେଲା ଭୁବନେଶ୍ବରରେ ଡାକସେବା ଏକ ପ୍ରକାର ବନ୍ଦ ରହିଛି। ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଲୋକେ ବିକଳ ହୋଇ ରେଲ୍ୱେ ମେଲ୍ ସର୍ଭିସ୍ (ଆର୍ଏମ୍ଏସ୍) ଆଗରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି। ଦୂର ରାଜ୍ୟରେ ରହୁଥିବା ଭାଇଙ୍କ ପାଖକୁ ୫ରୁ ୬ ଦିନ ଆଗରୁ ନ ପଠାଇଲେ ରାଖୀ ଠିକ୍ ସମୟରେ ପହଞ୍ଚିବନି। ତେଣୁ ଲୋକ ଘଣ୍ଟା ଘଣ୍ଟା ଖରା ଓ ଗୁଳୁଗୁଳିରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି।
ମିଳିଥିବା ତଥ୍ୟ ଅନୁସାରେ ସାଧାରଣ ଦିନରେ ଦିନକୁ ୨୦୦ ରୁ ୩୦୦ଟି ସ୍ପିଡ୍ପୋଷ୍ଟ ଜିପିଓରୁ ଯାଉଥିବାବେଳେ ରାଖୀ ପୂର୍ଣ୍ଣିମା ଥିବା ମାସରେ ଏହାର ସଂଖ୍ୟା ୫୦୦ରୁ ୬୦୦ ହୋଇଯାଏ। ୨୦୨୩ ମସିହା ଅଗଷ୍ଟ ମାସରେ ୨୬୭୬୮ଟି ରାଖୀ ସ୍ପିଡ୍ପୋଷ୍ଟରେ ଯାଇଥିଲା। ସେହିପରି ପାର୍ସଲ ସଂଖ୍ୟା ମଧ୍ୟ ୨୦ ହଜାର ରହିଥିଲା। ୨୦୨୪ ମସିହାରେ ମାସ ଆରମ୍ଭରୁ ପ୍ରତିଦିନ ୩୫୦ରୁ ୪୦୦ ସ୍ପିଡ୍ପୋଷ୍ଟ ଓ ୩୫୦ରୁ ୪୦୦ ପାର୍ସଲ ଯାଇଥିଲା। ହେଲେ ଚଳିତ ବର୍ଷ ଠିକ୍ ରାଖି ପୂର୍ବରୁ ଡାକ ବିଭାଗରେ ବ୍ୟବହୃତ ହେଉଥିବା ଏସ୍ଏପି ସଫ୍ଟୱେର୍ ବଦଳରେ ନିଜସ୍ବ ନିର୍ମିତ ଏପିଟି-୨.୦ ସଫ୍ଟୱେର୍ ପ୍ରଚଳିତ ହେବ ବୋଲି ଘୋଷଣା ହୋଇଛି। ଏହି ସଫ୍ଟୱେର୍କୁ ଭୁବନେଶ୍ୱର ଡାକମଣ୍ଡଳର ସମସ୍ତ ଡାକଘରେ ଆସନ୍ତା ମାସରୁ ପ୍ରଚଳନ କରିବାକୁ ବିଭାଗ ସ୍ଥିର କରିଛି। ଏଣୁ ବୈଷୟିକ କାରଣ ଲାଗି ଅଗଷ୍ଟ ୨ତାରିଖ(ଶନିବାର ଦିନ) ଖୋର୍ଦ୍ଧାଜିଲ୍ଲା ତଥା ଭୁବନେଶ୍ବର ଡାକମଣ୍ଡଳ ଅନ୍ତର୍ଗତ ସମସ୍ତ ଡାକଘର ବନ୍ଦ ରହିଥିଲା। ସେଦିନ ମଧ୍ୟ ଲୋକେ ଆସି ଫେରି ଯାଇଥିଲେ। ପରଦିନ ରବିବାର ଥିବାରୁ ଆଉ ରାଖି ପଠାଯାଇ ପାରିଲାନି। ହେଲେ ସୋମବାର ଓ ମଙ୍ଗଳବାର ମଧ୍ୟ ଲୋକଙ୍କୁ ସମସ୍ୟା ଭୋଗିବାକୁ ହୋଇଛି। ଏହାର ସମାଧାନ ମଙ୍ଗଳବାର ପର୍ଯ୍ୟନ୍ତ ହୋଇନାହିଁ। ତେଣୁ ଆର୍ଏମ୍ଏସ୍ରେ ବାଧ୍ୟ ହୋଇ ଲୋକ ରାଖୀ ପଠାଉଛନ୍ତି। ଗହଳି ଏତେ ହେଉଛି ଯେ ଲୋକଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ରାତି ୯ ପରେ ଗୋଟିଏ କାଉଣ୍ଟର ଖୋଲା ରହୁଥିବାରୁ ଲୋକଙ୍କୁ ଆହୁରି ଅଧିକ ସମୟ ଛିଡ଼ା ହେବାକୁ ହେଉଛି।
ଏ ନେଇ ସ୍ବପ୍ନା ପ୍ରିୟଦର୍ଶିନୀଙ୍କ କହିବା କଥା, ସବୁ ଜିନିଷ ପରି ରାଖୀ, ଚକୋଲେଟ ଓ ଭାଇ ପାଇଁ ସ୍ୱତନ୍ତ୍ର ମେସେଜ ଥିବା କାର୍ଡ ମଧ୍ୟ ବର୍ତ୍ତମାନ ଆମାଜନ, ଫ୍ଲାଵରଓରା, ଆଇଜିପି ଓ ଏଫ୍ଏନ୍ପିରେ କିଣାଯାଇ ପହଞ୍ଚାଇ ବି ହେଉଛି। କିନ୍ତୁ ଭଉଣୀର ଆଦରବୋଳା ହାତଛୁଆଁର ବାସ୍ନା ସେଥିରେ ନଥାଏ। ଶନିବାର ଜିପିଓ ବନ୍ଦ ଥିବାରୁ କୋରାପୁଟରେ ରହୁଥିବା ତାଙ୍କ ଭାଇ ପାଖକୁ ରାଖୀ ପଠାଇ ପାରି ନଥିଲେ। ସୋମବାର ମଧ୍ୟ ଜିପିଓରେ ସେବା ନ ପାଇ ସେ ଆର୍ଏମ୍ଏସ୍ ଅଫିସ୍ରେ ପହଞ୍ଚିଥିଲେ। ସେଠାରେ ୨ଥର ବିଫଳ ହେବା ପରେ ରାତି ସାଢ଼େ ୧୦ଟାରେ ରାଖୀ ପଠାଇଥିଲେ।
ସର୍ଭର୍ ଡାଉନ୍, ଡାକ ସେବା ପ୍ରଭାବିତ: ରାଖୀ ପଠାଇବାକୁ ହଟହଟା
ରାଖୀପୂର୍ଣ୍ଣିମାକୁ ଆଉ ୪ ଦିନ ରହିଲା। ଯେଉଁ ଭଉଣୀମାନେ ଭାଇଠାରୁ ଦୂରରେ ରହୁଛନ୍ତି, ସେମାନେ ଡାକ ଯୋଗେ ଭାଇ ପାଖକୁ ରାଖୀ ପଠାନ୍ତି। ବହୁ ବର୍ଷ ହେଲା ଡାକସେବା ଭଉଣୀମାନଙ୍କ ସ୍ନେହର ଡୋରି ଭାଇଙ୍କ ପାଖରେ ପହଞ୍ଚାଇବାରେ ଦୂତ ସାଜିଛି।
/sambad/media/media_files/2025/08/06/untitled-4-2025-08-06-06-32-05.jpg)