ଗରିବ ଆଦିବାସୀଙ୍କ ସେବାରୁ ଅପାର ଆନନ୍ଦ ମିଳେ: ପଦ୍ମଶ୍ରୀ ଶାନ୍ତି ଦେବୀ

ଭୂଦାନ କର୍ମୀ ଶାନ୍ତି ଦେବୀ ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୩୪ ଏପ୍ରିଲ୍‌ ୧୮ରେ ବାଲେଶ୍ୱର ଜିଲ୍ଲାରେ ଶାନ୍ତି ଦେବୀ ଜନ୍ମ ନେଇଥିଲେ। ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଓ ୧୯୫୧ ମସିହାରେ ଡ. ରତନ ଦାସଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ସ୍ବାମୀଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲି ଯାଇଥିଲେ। ୨ ବର୍ଷ ପରେ ୧୯୫୩ ମସିହାରେ ସେ ରାୟଗଡ଼ା ଜିଲ୍ଲା ଶଂଖଲାପଦର ଗାଁକୁ ଚାଲି ଯାଇଥିଲେ। ଉକ୍ତ ଛୋଟ ଗାଁଟିରେ ରହୁଥିବା କିଛି ଲୋକ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ। ଏହା ଭିତରେ ସେ ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପ୍ରଭାବିତ ହୋଇଥିଲେ ଓ ୧୯୫୬ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିନୋବାଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେହି ସମୟରେ ସେ ସେଠାରେ ୮ ଜଣ ଆଦିବାସୀ ଝିଅଙ୍କୁ ନେଇ ଏକ ସେବା ସମାଜ ଗଠନ କରିଥିଲେ। ୩ ବର୍ଷ ପରେ ଗୁଣୁପୁରରେ ଆଦିବାସୀ ବାଳିକା ହଷ୍ଟେଲ ପ୍ରତିଷ୍ଠା କରିଥିଲେ। ପରେ ସେ ଅନାଥାଶ୍ରମ, ତାଲିମ ଶିବିର ଭଳି ଅନେକ ସଂସ୍ଥା ସ୍ଥାପନ କରିଥିଲେ। ଏଭଳି ସମାଜସେବା ପାଇଁ ତାଙ୍କୁ ୧୯୯୪ ମସିହାରେ ଜମନ୍‌ଲାଲ୍‌ ବଜାଜ୍ ପୁରସ୍କାର ମିଳିଥିଲା। ପଦ୍ମଶ୍ରୀ ଉପାଧିରେ ଭୂଷିତ ‌ହେବା ପରେ ଚନ୍ଦ୍ରଶେଖରପୁରସ୍ଥିତ ସିୱାଇଏସ୍‌ଡି କାର୍ଯ୍ୟାଳୟରେ ତାଙ୍କ ସହ ଆଲୋଚନା କରିଥିଲେ ‘ସମ୍ବାଦ’ ପ୍ରତିନିଧି ଦେବବ୍ରତ ଷେଣ୍ଢ।

ବାଲେଶ୍ୱରରୁ ରାଷ୍ଟ୍ରପତି ଭବନ ଯାତ୍ରା କେମିତି ଥିଲା?
ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ପାଇବି ବୋଲି କେବେ ଭାବି ନଥିଲି। କିନ୍ତୁ ଏଥିପାଇଁ ଡାକରା ଆସିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ୧୯୫୧ ନଭେମ୍ବରରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ବହୁ କଷ୍ଟଦାୟକ ଥିଲା ଏହି ଲମ୍ବା ଯାତ୍ରା। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନିଜକୁ ଖାପ ଖୁଆଇ ଗରିବ ସାଧାରଣ ନିରୀହ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରି ରଖିବା ରାସ୍ତାରେ ବହୁ ବାଧାବିଘ୍ନ ଆସିଥିଲା। କିନ୍ତୁ ମୁଁ ନିଷ୍ଠାର ସହ କାମ କରିଚାଲିଥିଲି। ପିଲାବେଳୁ ଇଚ୍ଛା ଥିଲା ସାମାଜ ପାଇଁ କିଛି କରିବି। ଜନ୍ମ ନେଇଛି ମାନେ ଦିନେ ନା ଦିନେ ମୋର ମୃତ୍ୟୁ ହେବ ବୋଲି ଭଲ ଭାବେ ବୁଝିଥିଲି। ଦେଶ ପାଇଁ, ସମାଜ ପାଇଁ କିଛି ଭଲ କାମ କରି ମରିବା ଗର୍ବର କଥା ବୋଲି ଜାଣିଥିଲି। ତେବେ କିଛି ପାଇବା ଆଶା ମୋଟେ ନଥିଲା। ତେବେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ବହୁତ ଖୁସି ଲାଗୁଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେମିତି ଥିଲା ସେତେବେଳେର ସ୍ଥିତି?
ମୋ ପାଇଁ ବହୁତ ଚ୍ୟାଲେଞ୍ଜ୍ ସୃଷ୍ଟି କରିଥିଲା ସେତେବେଳେର ପରିସ୍ଥିତି। ସେତେବେଳେ ସେ ଅଞ୍ଚଳ ସମ୍ପୂର୍ଣ୍ଣ ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ରାସ୍ତାଘା‌ଟ ନଥିଲା। ଯାତାୟତ କରିବା କଷ୍ଟକର ଥିଲା। ରାସ୍ତାରେ ହିଂସ୍ରପ୍ରାଣୀଙ୍କ ଭୟ ମଧ୍ୟ ଥିଲା। ଲୋକମାନେ ବି ବହୁ ମାତ୍ରାରେ ଅନ୍ଧବିଶ୍ବାସୀ ଥିଲେ। ସହଜରେ କୌଣସି କଥା ବୁଝୁନଥିଲେ। ତେବେ ସବୁ କଷ୍ଟକର ପରିସ୍ଥିତି ସତ୍ତ୍ବେ ସେମାନଙ୍କ ସେବା କରିବା ଭାବନା ମୋତେ ଅଟକାଇ ପାରିନଥିଲା। ମୋର ଏହି ବ୍ରତରେ ଅନେକଙ୍କ ସହଯୋଗ ମିଳିଥିଲା ଓ କିଛି ଲୋକ ମଧ୍ୟ ବିରୋଧ କରିଥିଲେ। ହେଲେ ପରିବାରର ସମର୍ଥନ ମୋତେ ଆଗକୁ ବଢ଼ିବାରେ ସହଯୋଗ କରିଥିଲା।

ଦେଶ ଏବେ ଆପଣକୁ ଜାଣିଲା, କେମିତି ଲାଗୁଛି?
ବହୁତ ଆନନ୍ଦ ଲାଗୁଛି। ପୁରସ୍କାର ପାଇବା ପରେ ଦେଶ ବିଦେଶରୁ ମୋତେ ବହୁ ଲୋକ ଯୋଗାଯୋଗ କରୁଛନ୍ତି। ଏଭଳି ଭାଗ୍ୟ ସମସ୍ତଙ୍କୁ ଜୁଟେ ନାଁହି। ତେବେ ଗରିବ ନୀରହି ଆଦିବାସୀଙ୍କ ସେବାରୁ ମିଳୁଛି ଅପା‌ର ଆନ୍ଦନ। ମୋତେ ସେହି ଲୋକମାନଙ୍କର ଭଲ ପାଇବା ମିଳିଛି ଓ ତାହା ମୋ ପାଇଁ ବଡ଼ ଖୁସି। କେନ୍ଦ୍ର ସରକାର ମୋତେ ପୁରସ୍କୃତ କରିବା ପରେ ଉକ୍ତ ଖୁସି ବଢ଼ିଯାଇଛି।

ଆଗାମୀ ଲକ୍ଷ୍ୟ କଣ ରଖିଛନ୍ତି?
ମୋତେ ୯୦ ବର୍ଷ ପୂରିବାକୁ ବସିଲାଣି। ଲକ୍ଷ୍ୟ କେବଳ ଗୋଟିଏ ଥିଲା ଓ ରହିଛି ଯେ ଯେତେ ଦିନ ବଞ୍ଚିଥିବି ଲୋକଙ୍କ ସେବା କରୁଥିବି। ମୋତେ ଲୋକମାନେ ଭଲ ପାଆନ୍ତି ଓ ମୁଁ ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି।

 ଏହି ସଫଳତା ପାଇଁ କାହାକୁ ଶ୍ରେୟ ଦେବେ?
ସଫଳତା ପଛରେ ପିତାମାତା, ଶାଶୁ ଶ୍ବଶୁର ବିଶେଷକରି ସ୍ଵାମୀ ଡା. ରତନ ଦାସଙ୍କ ପ୍ରେରଣା ରହିଛି। ସେମାନଙ୍କ ସହଯୋଗରେ ମୁଁ ଏତେ ବାଟ ଆସିଛି। ଗାନ୍ଧୀ ଓ ବିନୋବାଜୀଙ୍କ ମାର୍ଗଦର୍ଶନରେ ଆମେ ବାଟ ଚାଲିଆସିଛୁ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛୁ।

ଆପଣଙ୍କ ଜୀବନକାଳରେ କ’ଣ ସବୁ କରିଛନ୍ତି?
ବାଲେଶ୍ବର ଛାଡ଼ିବା ପରେ କୋରାପୁଟରୁ ମୋ ସମାଜସେବା ଆରମ୍ଭ ହେଲା। ଭୂଦାନ ଆନ୍ଦୋଳନରେ ଭାଗ ନେଇଛି। କୁଷ୍ଠ ରୋଗୀଙ୍କ ସେବା କରିଛି। ସର୍ବୋଦୟ ସମାଜର କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ୨୦୧୦ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଶାନ୍ତି ଓ ଅହିଂସା ପଦ ଯାତ୍ରାରେ ଭାଗ ନେଇଥିଲି। ଓଡ଼ିଶାର ୨୦ ଟି ମାଓପ୍ରବଣ ଜିଲ୍ଲା, ଆନ୍ଧ୍ରପ୍ରଦେଶର ୩ ଟି ଜିଲ୍ଲା ଓ ଛତିଶଗଡ଼ର ଦାନ୍ତେୱଡ଼ା ଜିଲ୍ଲା ପରିଦର୍ଶନ କରିଥିଲି। ଅହିଂସାର ଅନ୍ୱେଷଣ(ବିନୋବାଜୀଙ୍କ ଜୀବନୀର ଓଡ଼ିଆ ଅନୁବାଦ), ବିନୋବାଜୀ କା ଦିବ୍ୟ ସାନିଧ୍ୟ (ମହାଗୁହାମେ ପ୍ରବେଶ), ପବନ ପୁରୁଷ ଶ୍ରୀ ରାମକୃଷ୍ଣ (ଓଡ଼ିଆରେ), ରାମଚରିତମାନସ (ତୁଳସୀ ଦାସଙ୍କର ରାମଚରିତମାନସର ଓଡ଼ିଆ ଅନୁବାଦ), ରବୀନ୍ଦ୍ର ନାଥ ଟାଗୋର୍ ଙ୍କ ସଂଞ୍ଚୟିତାର ଓଡ଼ିଆରେ ୫୫ ଟି କବିତା ଲେଖିଛି।

ସମ୍ବନ୍ଧିତ ଖବର