ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଲେ ସେବାୟତ

ରୁକୁଣା ରଥ ଅଣଲେଉଟା କାହିଁକି

ଭୁବନେଶ୍ବର: ଆଜି ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ‌ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରଥ ଉପରେ ଶ୍ରୀ ଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ଟିକେ ଦର୍ଶନ କରିବାପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥିଲେ ଶ୍ରଦ୍ଧାଳୁ। ରଥ ଗଡ଼ିବା ସିନା ‌ଦେଢ଼ଘଣ୍ଟା ବିଳମ୍ବ ହୋଇଥିଲା, କିନ୍ତୁ ରାଜଦାଣ୍ଡରେ ଆପଣାର ଭକ୍ତଙ୍କୁ ଦେଖିବା ପାଇଁ ଦେଉଳରୁ ନିର୍ଦ୍ଧାରିତ ସମୟଠାରୁ ସାମାନ୍ୟ ବିଳମ୍ବରେ ବାହାରି ଆସିଥିଲେ ଶ୍ରୀଜୀଉ। ପହଣ୍ଡି ହୋଇ ରଥାରୁଢ଼ ହେଲାପରେ ରଥ ଉପରୁ ଆଉ କିନ୍ତୁ ଭକତଙ୍କୁ ଦେଖିପାରିଲେନି ଶ୍ରୀଜୀଉ। ଏପଟେ ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଛଟପଟ ହେଉଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଦୁଃଖର କଥା, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ସାଜୁଥିବା ସେବାୟତ ଆଜି ଦୁହିଁଙ୍କ ମଧ୍ୟରେ ପ୍ରାଚୀର ଭାବେ ଉଭା ହୋଇଥିଲେ। ଫଳରେ ଦିଅଁଙ୍କୁ ରଥ ଉପରେ ଦର୍ଶନ କରିନପାରି ଅନେକ ଶ୍ରଦ୍ଧାଳୁ କାନ୍ଦି ପକାଇଥିଲେ। ଦୁଃଖ ଓ ଅସନ୍ତୋଷରେ ଘରକୁ ଫେରିଥିଲେ।

ମଧ୍ୟାହ୍ନ ସାଢ଼େ ୧ଟାରେ ପହଣ୍ଡି ଓ ସାଢ଼େ ୩ଟାରେ ରଥଟଣା ପାଇଁ ମନ୍ଦିର ପ୍ରଶାସନ ଓ ନିଯୋଗମାନଙ୍କ ମଧ୍ୟରେ ବସିଥିବା ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜି ଅଧଘଣ୍ଟା ନୀତି ଓ ରଥଟଣା ପ୍ରାୟ ‌ଦେଢ଼ଘଣ୍ଟା ବିଳମ୍ବରେ ହୋଇଥିଲା। ଶ୍ରୀଜୀଉଙ୍କ ଟିକେ ଦର୍ଶନ ପାଇଁ ଦିନ ୧୧ଟାରୁ ରଥଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଥିଲା। ଶ୍ରୀଜୀଉ ରଥାରୁଢ଼ ହେବା ପରେ ସେବାୟତଙ୍କ ଦ୍ବାରା ରଥ ଉପରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ସମୟରେ ରଥର ପଛପାଖରେ ଲାଗିଥିବା ଲୁହାସିଡ଼ିରେ ଜଣଙ୍କ ପରେ ଜଣେ ସେବାୟତ ରଥ ଉପରକୁ ଚଢ଼ିଥିଲେ। ଚାହୁଁଚାହୁଁ ଉପରେ ୨୦୦ରୁ ଅଧିକ ସେବାୟତ ଲଦି ହୋଇଯାଇଥିଲେ। ଗତ ୧୨ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ହୋଇଥିବା ପ୍ରସ୍ତୁତି ବୈଠକରେ ସେବାୟତମାନେ ରଥ ଉପରେ ଚଢ଼ିବା, ବ୍ୟାରିକେଡ୍‌ ଭିତରେ କେଉଁମାନେ ରହିବେ, ସେ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରଥ ଉପରକୁ କିଏ ଯିବେ ନଯିବେ ସେ ନେଇ ନିଯୋଗମାନଙ୍କର ଜଣେ ଜଣେ ପ୍ରତିନିଧି ଉପସ୍ଥିତ ରହି ପୁଲିସକୁ ସହଯୋଗ କରିବାକୁ କୁହାଯାଇଥିଲା। ଚାହାଣି ମଣ୍ଡପ ଠାରୁ କପାଳି ମଠ ପର୍ଯ୍ୟନ୍ତ ରାସ୍ତା ଉଚ୍ଚ ଥିବାରୁ ଏହି ସମୟ ମଧ୍ୟରେ କେବଳ ନୀତି କରୁଥିବା ସେବାୟତଙ୍କୁ ଛାଡ଼ି ଅନ୍ୟମାନେ ରଥ ଉପରକୁ ନଯିବା ପାଇଁ ବୈଠକରେ ବାରଣ କରାଯାଇଥିଲା। କିନ୍ତୁ ସେସବୁ କଥାକୁ ଆଜି କେହି ମାନି ନଥିଲେ।

୪ଟା ୫୫ରେ ରଥ ଟଣା ଆରମ୍ଭ ହୋଇଥିଲା। ହେଲେ ପରେ ସେବାୟତଙ୍କ ଭିଡ଼ ଯୋଗୁ ରଥର ଓଜନ ବଢ଼ି ଯାଇଥିଲା। ଫଳରେ ୨୦ ମିନିଟ୍‌ କାଳ ରଥ ଇଞ୍ଚେ ବି ଗଡ଼ି ନଥିଲା। ଖରୁଡ଼ା ସେବାୟତଙ୍କ ଉଦ୍ୟମ ପରେ ବି ବାରମ୍ବାର ରଥ ଡାହାଣ ଓ ବାମ ମୋଡ଼ ନେଇଥିଲା। ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ଡିସିପି, ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥାଇ ମଧ୍ୟ ସେବାୟତଙ୍କ ଉପରେ କଟକଣା ଜାରି କରିପାରି ନଥିଲେ। ରଥ ଉପରେ ଅଧିକାଂଶ ଯୁବ ସେବାୟତଙ୍କୁ ଦେଖିବାକୁ ମିଳିଥିଲା। ରଥବାଡ଼ ଆଗରେ ତଳକୁ ଗୋଡ଼ ଝୁଲାଇ ଅତ୍ୟନ୍ତ ବିପଦଜନକ ଭାବେ ବସିଥିଲେ କିଛି ସେବାୟତ। ଜଣେ ସେବାୟତ ରଥ ଡାହୁକ ବସିବା ସ୍ଥାନ ରଥଅଶ୍ବ ଉପରେ ବସି ରହିଥିଲେ। ବରିଷ୍ଠ ସେବାୟତମାନେ ବାରମ୍ବାର କହିବା ପରେ ମଧ୍ୟ ସେ ମାନି ନଥିଲେ। ଏହି ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିବାରୁ ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଥିଲେ। ହେ‌ଲେ କାହା କଥା ରଖିନଥିଲେ କିଛି ଅମାନିଆ ସେବାୟତ। ଅଣଲେଉଟା ରୁକୁଣା ରଥର ସାରଥୀ ବ୍ରହ୍ମା ଓ ଶ୍ରୀଜୀଉଙ୍କ ଆଗରେ ସେମାନେ ଛିଡ଼ା ହୋଇ ରହିଥିଲେ। ରଥଖଳାରୁ ମୈତ୍ରେଶ୍ବର ଯାଏ ଶ୍ରୀଜୀଉଙ୍କର ଟିକିଏ ଝଲକ ପାଇବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ଫଳରେ ଅନେକ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପବିତ୍ର ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜ (ଚନ୍ଦ୍ରଶେଖର) ସାଥୀରେ ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ)ଙ୍କୁ ନେଇ ରୁକୁଣା ରଥରେ ମାଉସୀ ମା’ ଛକସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ରଥର ସାରଥୀ ହୁଅନ୍ତି ସ୍ବୟଂ ବ୍ରହ୍ମା। ‌ଲିଙ୍ଗରାଜ ପାଞ୍ଚଦିନ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରନ୍ତି। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ, ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ରଥକୁ ମୋଡ଼ା ଯାଏନି। ରଥ ସେମିତି ଠିଆ ହୋଇଥାଏ, କେବଳ ପଛପଟ ଦ୍ୱାର ଓ ସିଂହାସନକୁ ଘୂରାଇ ଦିଆଯାଏ। ଫଳରେ ରଥର ପଛ, ଆଗ ହୋଇଯାଏ। ବାହୁଡ଼ା ଦିନ ଅଶ୍ବଙ୍କୁ ଆଣି ଆଗରେ ଯୋଚାଯାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ। ରଥର ନିର୍ମାଣ ଶୈଳୀ ଏମିତି କରାଯାଇଥାଏ, ଯେପରି ଏହି କାମ ସହଜରେ ହୋଇପାରିବ।

ପଥପ୍ରାନ୍ତ ନାଟକ

ଚଳିତ ସାଧାରଣ ନିର୍ବାଚନରେ କିଭଳି ଅଧିକରୁ ଅଧିକ ମତଦାନ ‌ହେବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଇପି (ସିଷ୍ଟମେଟିକ୍‌ ଭୋଟର୍ସ ଏଜୁକେସନ୍‌ ଆଣ୍ଡ ଇଲେକ୍‌ଟୋରାଲ୍‌ ପାର୍ଟିସିପେସନ୍‌) କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମୟରେ ଜନସମାଗମକୁ ଦୃଷ୍ଟିରେ ରଖି ଏହି ସୁଇପି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏକ ପଥପ୍ରାନ୍ତ ନାଟକ କରାଯାଇଥିଲା। ଏଥିରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲଥ୍‌ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ମତାଧିକାର ସାବ୍ୟସ୍ତ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଅଭିଯାନରେ ସାମିଲ ହୋଇଥିଲେ। ଉକ୍ତ ବିଶ୍ୱବିଦ୍ୟାଳୟର ପ୍ରଶଂସା ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଶୁଭଶ୍ରୀ ନାୟକ, ଶୋଭନ ସେନାପତି, ଅମିତ ଆଚାର୍ଯ୍ୟ, ଅଭିପ୍‌ସା ପାଣିଗ୍ରାହୀ, ପୂଜା ସାହୁ, ଅନନ୍ୟା ସାମନ୍ତରାୟ, ନମିତା ମହାନ୍ତ, ରୁଦ୍ରାଣୀ ପଣ୍ଡା, ମୋନାଲି ପ୍ରଧାନ, ମୋନାଲି ମୋନାଲିସା ରାୟଚୌଧୂରୀ ଓ ସୋନିମା ରାଉତ ପ୍ରମୁଖ ଅଭିନୟ ମାଧ୍ୟମରେ ମତଦାନ ସଂପର୍କରେ ବାର୍ତ୍ତା ଦେଇଥିଲେ। ସୁଇପିର ନୋଡାଲ ଅଫିସର ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଓରମାସ ଡେପୁଟି ସିଇଓ ରାଜଗୋପାଳ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

୪୭ବର୍ଷ ହେଲା ଠାକୁରଙ୍କ ସେବାରେ ଦର୍ଜି ସେବାୟତ

ଶ୍ରୀଲିଙ୍ଗରାଜଙ୍କ ସେବାରେ ଦୀର୍ଘ ୪୭ବର୍ଷ ହେଲା ନିଜକୁ ସମର୍ପିତ କରିଛନ୍ତି ଦର୍ଜି ସେବାୟତ ବଳରାମ ମହାରଣା। ରୁକୁଣା ରଥରେ ଲାଗୁଥିବା କପଡ଼ା ହେଉକି ଛତା, ଚାମର, ଧ୍ବଜା, ଶେଜ, ତକିଆ, ଛତ୍ରି, ତ୍ରାସ, ଆଲଟ ଆଦିକୁ ତିଆରି କରନ୍ତି ସେ। ଚଳିତ ରଥପାଇଁ ସେ ୧୧୦ମିଟର ନାଲି, ନୀଳ ଓ ଶୁଆ ରଙ୍ଗର କପଡ଼ାରେ ରଥର ମୁଖ୍ୟ ଆବରଣ ତିଆରି କରିଛନ୍ତି। ସେହିପରି ୫୫ମିଟର କପଡ଼ାରେ ୪ଟି ଦ୍ବାରଆଡ଼ା ଓ ୩୫ମିଟର କପଡ଼ାରେ ରଥଘାଣ୍ଟ ଚକଟା, ଠାକୁରଙ୍କ ଶେଜଖୋଳ, ୪ଟି ଛତ୍ରି, ତକିଆ ଖୋଳ, ତ୍ରାସ, ଆଲଟ, ପତାକା, ଚାନ୍ଦୁଆ ଆଦି ପ୍ରସ୍ତୁତି କରିଛନ୍ତି। ରଥଯାତ୍ରାରେ ଏଗୁଡ଼ିକ ବ୍ୟବହାର ହେଲେ ସତେ ଯେପରି ତାଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ମିଳେ ବୋଲି ଶ୍ରୀ ମହାରଣା କହନ୍ତି। ତାଙ୍କୁ ବୟସ ୭୦ ଛୁଇଁଲାଣି, ହେଲେ ହାତ ଥମିନି। ରୁକୁଣା ଯାତ୍ରା ସହିତ ଠାକୁରଙ୍କର ଅନ୍ୟ ଯାତ୍ରାରେ ମଧ୍ୟ ଦର୍ଜି ସେବା କରନ୍ତି। ବ୍ୟକ୍ତିଗତ ଜୀବନରେ ମହାରଣା ଅଢ଼େଇ ଫୁଟ୍‌ ଚଉଡ଼ାର ଏକ ଲମ୍ବାଳିଆ ଘରେ ଭାରି ଅସୁବିଧାରେ ରହନ୍ତି। ଏହାକୁ ନେଇ ତାଙ୍କ ମନରେ କ୍ଷୋଭ ଓ ଦୁଃଖ ଅଛି।

 

ସମ୍ବନ୍ଧିତ ଖବର