ଆଜାଦନଗରରେ ବୋମାମାଡ଼ ଓ ଆକ୍ରମଣ ଘଟଣା : ଜେଲ୍‌ ଗଲେ ୭ ଅଭିଯୁକ୍ତ

ଆଉ ୮ ଅଭିଯୁକ୍ତ ଏବେ ବି ଫେରାର
୧୦୭ ଦଫାରେ ୩୫ ଜଣଙ୍କୁ ନୋଟିସ୍
ଶାନ୍ତି ବଜାୟ ରଖିବାକୁ ନିବେଦନ

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : ସୁନ୍ଦରପଦା ଆଜାଦନଗରରେ ବୋମାମାଡ଼, ସଂଘବଦ୍ଧ ଆକ୍ରମଣ, ଭଙ୍ଗାରୁଜା ଓ ଆତଙ୍କ ଖେଳାଇବା ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଥିବା ୭ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ ସରାଫତ ଅଲ୍ଲୀ ଓରଫ ପପୁ(୩୬), ଅବୁ ତଲିମ ଖାଁ ଓରଫ ବଣ୍ଟି(୨୪), ସେକ୍ ଅହମ୍ମଦ ଅଲ୍ଲୀ(୪୫), ସେକ୍ ସଉକତ ଅଲ୍ଲୀ(୪୩), ବବୁଲ ବସର ଖାଁ(୩୨), ପୂର୍ବରୁ ପୌର ନିର୍ବାଚନ ଲଢିଥିବା କର୍ପୋରେଟର ପ୍ରାର୍ଥୀ ମହମ୍ମଦ ଅସଫର ଇକବାଲ୍(୩୬), ସେକ୍ ସୟଦ୍ ଅଲ୍ଲୀ(୫୦)। ସମସ୍ତ ୭ ଅଭିଯୁକ୍ତ ସୁନ୍ଦରପଦା ଆଜାଦ ନଗର ବୋଲି ଜଣାପଡ଼ିଛି। ସେହିଭଳି ଏହି ସଂଘବଦ୍ଧ ଆକ୍ରମଣରେ ସଂପୃକ୍ତ ଆଉ ୮ଜଣ ଯୁବକ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି । ତେବେ ଆଜାଦନଗରରେ ଶାନ୍ତି ବଜାୟ ରଖିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଏଥି ସହିତ ସିଆରପିସି ଧାରା ୧୦୭ ଅନୁସାରେ ୩୫ ଜଣଙ୍କୁ ନୋଟିସ୍‌ କରାଯାଇଛି। ଯଦି କେହି ଶାନ୍ତି ଭଙ୍ଗ କରେ ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏବେ ବି ଆଜାଦନଗରରେ ଚାପା ଉତ୍ତେଜନା ଲାଗିଥିବାରୁ ପୁଲିସ ଫୋର୍ସ ମୁତୟନ ଅଛନ୍ତି। କୌଣସି ପ୍ରକାର ସମ୍ଭାବ୍ୟ ହିଂସାକାଣ୍ଡକୁ ରୋକିବା ଲାଗି ୪ଟି ପୁଲିସ ଭ୍ୟାନ୍ ପଇଁତରା ମାରୁଛି।

ସୂଚନାଯୋଗ୍ୟ, ଆଜାଦନଗରରେ ନୂତନ ଗ୍ରାମ କମିଟି ଗଠନ ଏବଂ ଜଣେ ଯୁବତୀଙ୍କ ବିବାହ ପାଇଁ ଗତ ୨୯ ତାରିଖରେ ବସିଥିବା ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁରୁ ଉପୁଜିଥିଲା। ପରେ ବିବାଦକୁ ନେଇ ଲାଗି ରହିଥିବା ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ସେହିଦିନ ଅସଫର ଇକବାଲ୍ ଅନ୍ୟ ଗୋଷ୍ଠୀ ମାରପିଟ୍ କରିଥିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ମାମଲା ରୁଜୁ କରିଥିଲା। ତେବେ ପାଲଟା ଅଭିଯୋଗ ଆଣିଥିଲେ ଆଜାଦନଗରର ଏମଡି ତସଲିମ୍। କିନ୍ତୁ ପୁଲିସ ପଦକ୍ଷେପ ନେଇ ନ ଥିଲା କିମ୍ବା ମାମଲା ରୁଜୁ କରି ନ ଥିଲା। ତସଲିମ୍ କାହିଁକି ଅଭିଯୋଗ କଲେ ବୋଲି ପ୍ରତିହିଂସା ପରାୟଣ ହୋଇ ପଡ଼ିଥିଲେ ଅସଫର ଓ ତାଙ୍କ ଗୋଷ୍ଠୀ। ଗତକାଲି ସନ୍ଧ୍ୟାରେ ପ୍ରାୟ ୧୫ରୁ ଅଧିକ ପ୍ରଥମେ ତସଲିମଙ୍କୁ ବୋମାମାଡ଼ କରିଥିଲେ। ଏଥିରେ ତସଲିମ୍ ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀମାନେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ପ୍ରାୟ ଅଧଘଣ୍ଟାଏରୁ ଅଧିକ ସମୟ ଧରି ଆକ୍ରମଣକାରୀମାନେ ଆତଙ୍କରାଜ ଖେଳାଇଥିଲେ। ତସଲିମ, ଦୁଇ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଥିଲେ। ଦୁଇଟି ଅଟୋ, ଏକ ଫାଷ୍ଟ୍‌ଫୁଡ୍ ଦୋକାନ, ଗୋଟିଏ ଘର ଭିତରେ ଥିବା ଏଲଇଡି ଟିଭି ଓ ଆସବାବପତ୍ର ଭଙ୍ଗାରୁଜା ହୋଇଥିଲା।

ସମ୍ବନ୍ଧିତ ଖବର