ଭୁବନେଶ୍ବର : ଭରତପୁରରୁ ଆରମ୍ଭ କରି ତମାଣ୍ଡୋ, ଖଣ୍ଡଗିରି, ସହିଦନଗର, ବଡ଼ଗଡ଼, ଲିଙ୍ଗରାଜ, ଖାରବେଳନଗର, ମଞ୍ଚେଶ୍ବର, ଲକ୍ଷ୍ମୀସାଗର; ସବୁଠି ଏମାନେ ଉତ୍ପାତ କରୁଥିଲେ। ଏମାନଙ୍କର ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ବା ଇଲାକା ନଥିଲା। ଶୂନ୍ଶାନ୍ ରାତିର ସୁଯୋଗ ନେଇ ସହର ସାରା ବୁଲି ବୁଲି ଲୋକଙ୍କୁ ଲୁଟୁଥିଲେ। ଯିଏ ସେମାନଙ୍କ କଥାରେ ରାଜି ହୋଇ ଜିନିଷ ନ ଦେଲା, ତାକୁ ହାଣି ପକାଉଥିଲେ। ବିଶେଷକରି ବିଳମ୍ବିତ ରାତିରେ ଫେରୁଥିବା ବ୍ୟବସାୟୀ, ସାମ୍ବାଦିକ, ସଫ୍ଟୱେର୍ କର୍ମଚାରୀ ଓ ଅନ୍ୟ କର୍ମଜୀବୀମାନେ ଏମାନଙ୍କ ସହଜ ଟାର୍ଗେଟ୍ ଥିଲେ। ଗତ ତିନିମାସ ହେବ, ରାଜଧାନୀରେ ଏମିତି ଲୁଟ୍ପାଟ୍, ହଣାକଟା କରି ନିଦ ହଜାଇଥିବା ‘ନାଇଟ୍ ରାଇଡର୍ ଲୁଟେରା ଗ୍ୟାଙ୍ଗ’ ଶେଷରେ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ, ରସୁଲଗଡ଼ ଅଞ୍ଚଳର ଅରୁଣ କୁମାର ସାହୁ(୧୯), ଟଙ୍କପାଣି ସାଇ ମନ୍ଦିର ଅଞ୍ଚଳର ଜୟଦେବ ବେହେରା ଓରଫ ଜୟା(୨୪), ୟୁନିଟ୍-୩ ପ୍ରେସ୍ କଲୋନିର ପି. କେଶୁ ରେଡ୍ଡୀ(୨୭), ଚନ୍ଦ୍ରଶେଖରପୁର ଫେଜ୍-୨ର ଜି ଜଗଦୀଶ ଆଚାରୀ(୨୫), ମୋବାଇଲ୍ ଦୋକାନୀ ବମିଖାଲ ଅଞ୍ଚଳର ପ୍ରଶାନ୍ତ ମହାରଣା ଓରଫ ପିଣ୍ଟୁ(୨୮), ୟୁନିଟ୍-୮ ଅଞ୍ଚଳର ସରୋଜ କୁମାର ଗୋଚ୍ଛି(୩୫) ଏବଂ ଓୟୋ ମ୍ୟାନେଜର ବାଲିଅନ୍ତା ବାଲିଗୁଣ୍ଡି ଅଞ୍ଚଳର ଦିନେଶ କୁମାର ଭୋଇ(୨୨)। ପୁଲିସ ସେମାନଙ୍କଠାରୁ ୨ଟି ବାଇକ୍, ସୁନା ମୁଦି, ୨୧ଟି ମୋବାଇଲ୍ ଫୋନ, ଖଣ୍ଡା ଜବତ କରିଛି।
ସୂଚନା ମୁତାବକ, ଗତ ଡିସେମ୍ବର ମାସରେ ନାଇଟ୍ କର୍ଫ୍ୟୁ ସମୟରୁ ଏହି ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇଉଠିଥିଲା। ରାତ୍ରିକାଳୀନ କଟକଣାରେ ସାଧାରଣଲୋକଙ୍କ ଯାତାୟତ ବନ୍ଦ ଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ସାମ୍ବାଦିକ, ସଫ୍ଟୱେୟାର୍ କର୍ମଚାରୀ ଓ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲା। ଗତ ଜାନୁଆରି ୧୩ ତାରିଖ ରାତିରେ ନୂଆପଲ୍ଲୀ ଅଞ୍ଚଳରୁ ଅଫିସ୍ କାମ ସାରି ସାମ୍ବାଦିକ ସୌମ୍ୟ ସେଠୀ ଘରକୁ ଫେରୁଥିଲେ। ସେତିକିବେଳେ ଏହି ଲୁଟେରାମାନେ ତାଙ୍କୁ ପିଛା କରି କସ୍ତୁରବା ସ୍କୁଲ୍ ନିକଟରେ ଅଟକାଇଥିଲେ। ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ସୁନା ମୁଦି ଓ ମୋବାଇଲ୍ ଛଡ଼ାଇ ନେଥିଲେ। ସେମିତି ଫେବ୍ରୁଆରି ୧୪ତାରିଖରେ ତିନି ତିନିଟି ଭୟଙ୍କର କାଣ୍ଡ ଘଟାଇଥିଲେ। ଦିନ ବେଳେ ଦେବରାୟ କଲେଜ୍ ନିକଟରେ ସତ୍ୟରଂଜନ ପଟ୍ଟନାୟକ ନାମକ ଜଣେ ଯୁବକଙ୍କ ହାତକୁ ହାଣି ଲୁଟିଥିଲେ। ରାତି ସାଢ଼େ ୧୨ଟାରେ ସିଆାର୍ପିଏଫ୍ ଛକ ନିକଟରେ ଟେକ୍ ମହିନ୍ଦ୍ରାର ଜଣେ କର୍ମଚାରୀଙ୍କ ଦୁଇ ଗୋଡ଼କୁ ହାଣି ତାଙ୍କଠାରୁ ଟଙ୍କା, ମୋବାଇଲ୍ ଲୁଟି ନେଇଥିଲେ। ସେହିପରି ଭୋର ସମୟରେ ଜୟଦେବିହାର ଓଭରବ୍ରିଜ୍ ନିକଟରେ ଜଣେ ମାଛ ବ୍ୟବସାୟୀଙ୍କୁ ହାଣି ଗୁରୁତର ଆହତ କରିଥିଲେ।
/sambad/media/post_attachments/wp-content/uploads/2022/02/lootera-1.jpg)
ଗ୍ୟାଙ୍ଗର ଉପଦ୍ରବ ପୁଲିସ ନିଦ ହଜାଇ ଦେଇଥିଲା। ଡିସେମ୍ବରରୁ ଫେବ୍ରୁଆରି, ଗତ ୩ ମାସ ମଧ୍ୟରେ ବିଭିନ୍ନ ଥାନାରେ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ୧୮ରୁ ଊର୍ଧ୍ବ ମାମଲା ରୁଜୁ ହୋଇଛି। ଅନ୍ୟପଟେ କମିସନରେଟ୍ ପୁଲିସ ହୋଟେଲ୍ ମାଲିକ ଏବଂ ମୋବାଇଲ୍ ଦୋକାନୀଙ୍କୁ ସତର୍କ କରାଇଛି। ଯେଉଁମାନେ ହୋଟେଲ୍ରେ ରହୁଛନ୍ତି, ସରାଇ ଆପ୍ରେ ସେମାନଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ସେହିପରି ମୋବାଇଲ୍ ଦୋକାନୀ ଯଦି କୌଣସି ଗ୍ରାହକଙ୍କ ପାସ୍ୱାର୍ଡ ବ୍ରେକ୍ କରୁଛନ୍ତି, ତେବେ ମୋବାଇଲ୍ର ସମସ୍ତ ତଥ୍ୟ ଯାଞ୍ଚ କରନ୍ତୁ। ସନ୍ଦେହ ହେଲେ ପୁଲିସକୁ ତୁରନ୍ତ ଜଣାନ୍ତୁ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
କେମିତି ଧରାପଡ଼ିଲେ
ଡିସେମ୍ବରରୁ ନିଜ ହଜାଇଥିବା ଏହି ଗ୍ୟାଙ୍ଗକୁ ଠାବ କରିବା ପାଇଁ କମିସନରେଟ୍ ପୁଲିସ ସ୍ପେସାଲ୍ ସ୍କ୍ବାଡ୍, ନୂଆପଲ୍ଲୀ, ଖଣ୍ଡଗିରି, ଭରତପୁର ପୁଲିସକୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଦୁଇ ମାସ ହେବ, ଏହି ଟିମ୍ ସହରରେ ତୀକ୍ଷ୍ଣ ନଜର ରଖିଥିଲା। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଚୋରି ମୋବାଇଲ୍, କେତେକ ଏଟିଏମ୍ କାର୍ଡରୁ ପୁଲିସ ତଥ୍ୟ ହାତେଇଥିଲା। ମୋବାଇଲ୍ ଟ୍ରାକିଂରୁ ସେମାନଙ୍କ ଗତିବିଧି ଜଣାପଡ଼ିଥିବା ବେଳେ ଏଟିଏମ୍ କାର୍ଡ ବ୍ୟବହାରୁ ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର୍ମାଇଣ୍ଡ ଅରୁଣକୁ ଠାବ କରିଥିଲା। ଅରୁଣକୁ ଗିରଫ କରିବା ପରେ ପୁଲିସ୍ ଜଣଙ୍କ ପରେ ଜଣଙ୍କ ଠିକଣା ଠାବ କରି ୭ଜଣଙ୍କୁ ଗିରଫ କରିଥିଲା।
ରିମାଣ୍ଡରେ ଆସିବେ
ଗ୍ୟାଙ୍ଗରେ ଆହୁରି ୫ରୁ ଅଧିକ ଯୁବକ ସାମିଲ୍ ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଧରାପଡ଼ିଥିବା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୁଲିସ। ଏହାଛଡ଼ା ଗ୍ୟାଙ୍ଗର ରାଜ୍ୟ ତଥା ରାଜ୍ୟ ବାହାରେ ଲିଙ୍କ୍ ଥିବା ଅନୁମାନ କରାଯାଉଛି। ରିମାଣ୍ଡରେ ଆସିଲେ, ପଚରାଉଚରାରୁ ଏ ସବୁର ଗୁମର ଖୋଲିପାରିବ ବୋଲି ପୁଲିସ୍ ଆଶାବାଦୀ ରହିଛି। ସେହିପରି ଆବଶ୍ୟକ ପଡ଼ିଲେ, ହୋଟେଲ୍ ମାଲିକ ଓ ଅନ୍ୟ କର୍ମଚାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଇପାରେ।
ସବୁଠି ଜମୁଥିଲା ଖଟି
ରାଜଧାନୀର ଏମିତି କୌଣସି ସ୍ଥାନ ନଥିଲା, ଯେଉଁଠି ଏହି ଅଭଯୁକ୍ତମାନେ ଖଟି କରୁନଥିଲେ। ବିଶେଷକରି ସେମାନେ ଭରତପୁର, ୟୁନିଟ୍-୮, ରାଜଭବନ ୟୁପି ସ୍କୁଲ୍, ନୂଆପଲ୍ଲୀ ଅଞ୍ଚଳରେ ଗ୍ୟାଙ୍ଗ ଖଟି କରୁଥିଲେ। ଯେଉଁ ଅଞ୍ଚଳରେ ଖଟି ଜମୁଥିଲା, ସେଠାରେ ଗ୍ୟାଙ୍ଗ ସଦସ୍ୟ ବଢ଼ାଇବା ସହ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଥିଲା।
ଓୟୋରେ ହେଉଥିଲା ବ୍ଲୁ-ପ୍ରିଣ୍ଟ
ଭରତପୁର ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ୍ରୁ ଲୁଟ୍ପାଟ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା। କେଉଁଦିନ କେତେବେଳେ କେଉଁ ଅଞ୍ଚଳକୁ ଯିବେ? କିଏ କିଏ ସନ୍ଧ୍ୟାରୁ ଘେରା ମାରି ସବୁଦିଗ ଉପରେ ନଜର ରଖିବେ? ସବୁ ଯୋଜନା ହୋଟେଲ୍ ରୁମ୍ରୁ ଅରୁଣର ଇଂଗିତରେ ହେଉଥିଲା। ଏଥିରେ ସହଯୋଗ କରୁଥିଲା ମ୍ୟାନେଜର୍ ଦିନେଶ। ନିୟମ ଅନୁଯାୟୀ କେହି ହୋଟେଲ୍ରେ ରହିଲେ, ସଂସ୍ଥା ସରାଇ ଆପ୍ରେ ପୁଲିସକୁ ସେମାନଙ୍କ ବିଷୟରେ ତଥ୍ୟ ପ୍ରଦାନ କରିବା କଥା। ହେଲେ ଦିନେଶ ସେମାନଙ୍କ ଅପରାଧିକ କାଣ୍ଡ ବିଷୟରେ ଜାଣି ବି କୌଣସି ତଥ୍ୟ ଦେଉନଥିଲା, ବରଂ ସେମାନଙ୍କ ସହ ମିଶି କେତେକ ଘଟଣାସ୍ଥଳକୁ ଯାଇ ଅପରାଧ ଘଟାଉଥିଲା।
ମୋବାଇଲ୍ ପାସ୍ୱାର୍ଡ କ୍ରାକ୍ କରିବାରେ ମାହିର୍
ଚୋରା ମୋବାଇଲ୍ଗୁଡ଼ିକୁ ଅଭିଯୁକ୍ତମାନେ ଶାଗମାଛ ଦରରେ ପିଣ୍ଟୁ ଓ ସରୋଜକୁ ବିକ୍ରି କରୁଥିଲେ। ଯେତେ ଦାମୀ ମୋବାଇଲ୍ ହେଉ କି ଯେଭଳି ପାସ୍ୱାର୍ଡ ଥାଉ, କ୍ଷଣିକରେ ପିଣ୍ଟୁ ତାହାକୁ କ୍ରାକ୍ (ଭାଙ୍ଗି) ଦେଉଥିଲା। ପାସ୍ୱାର୍ଡ କ୍ରାକ୍ କରି ବ୍ୟବହାର ଉପଯୋଗୀ କରୁଥିଲା। ଆଉ ଏହି ମୋବାଇଲ୍କୁ ବିକ୍ରି ପାଇଁ ସରୋଜ ଗ୍ରାହକ ଯୋଗାଉଥିଲା। ଏହାଛଡ଼ା ଅଧିକ ସଂଖ୍ୟାର ମୋବାଇଲ୍ ହେଲେ ସେମାନେ ଶସ୍ତାରେ ରାଜ୍ୟ ବାହାରକୁ ପଠାଇ ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/lootera.jpg)