ବାଲିପାଟଣା : ଆଜି ପୁଣି ସ୍ଥାନୀୟ ଅଞ୍ଚଳରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପମ୍ପାଲୋରୁ ଜଣେ, ଭାକରସାହିରୁ ଜଣେ, ଭାପୁରରୁ ଜଣେ ଓ ରାଜସ ପଞ୍ଚାୟତରୁ ଗୋଟିଏ ପରିବାରରୁ ୪ ଜଣ ଅଛନ୍ତି। ଭାକରସାହି ପଞ୍ଚାୟତରୁ ଚି଼ହ୍ନଟ ମହିଳାଙ୍କ ସ୍ୱାମୀ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ଜଣେ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ନେବା ପୂର୍ବରୁ ସେ ଗାଁରେ କରିଥିବା ହଙ୍ଗାମା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଗାଁ ଲୋକଙ୍କୁ ଗାଳିମନ୍ଦ କରିବା ସହ ଢେଲା ମାଡ଼ ଭଳି ତାଣ୍ଡବ କରି ଶେଷକୁ କୋଭିଡ୍‌ ହସ୍ପିଟାଲ‌୍‌ରେ ଭର୍ତ୍ତି ହୋଇଛନ୍ତି।

Advertisment

ପମ୍ପାଲୋ ପଞ୍ଚାୟତର ଏହି ଆକ୍ରାନ୍ତ ବ୍ୟକ୍ତି ଜଣେ ପରିବା ବ୍ୟବସାୟୀ। ତାଙ୍କୁ ୧୦/୧୨ ଦିନ ତଳେ ଥଣ୍ଡା ଜ୍ବର ହୋଇଥିଲା ଓ ଦୋକାନରୁ ମେଡିସିନ କିଣି ଖାଇବା ପରେ ଭଲ ହୋଇଯାଇଥିଲା। କିନ୍ତୁ ପୁଣି ଜ୍ବର ହେଲା। ଖବର ପାଇ ଅଙ୍ଗନବାଡ଼ି କର୍ମୀ ତାଙ୍କ ଘରେ ପହଁଚି ସ୍ୱାବ୍‌ ନମୁନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ତାଙ୍କୁ ଗାଳିମନ୍ଦ କରିଥିଲେ। ତେଣୁ ଅଙ୍ଗନବାଡ଼ି କର୍ମୀ ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଜଣାଇଥିଲେ। ବହୁ ବୁଝାଇବା ପରେ ସେ ରାଜି ହୋଇଥିଲେ ଓ ଗତ ୨୯ ତାରିଖରେ ତାଙ୍କ ସ୍ୱାବ୍‌ ନମୁନା ସଂଗ୍ରହ ହୋଇଥିଲା। ଗତକାଲି ରାତିରେ ତାଙ୍କ ରିପୋର୍ଟ ପଜିଟିଭ୍‌ ବୋଲି ସ୍ଥାନୀୟ ସରପଞ୍ଚଙ୍କ ପାଖକୁ ଖବର ଆସିଥିଲା। ତେଣୁ କୋଭିଡ୍‌ ହସ୍ପିଟାଲ ନେବା ପୂର୍ବରୁ ତାଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ଆଜି ସକାଳେ ଗାଁରେ ବୁଲିଥିଲେ ଓ ଲୋକେ ବାରଣ କରିବାରୁ ସେ ଗାଳିମନ୍ଦ କରିବା ସହ ଲୋକଙ୍କୁ ଢେଲା ପଥର ଫୋପାଡ଼ି ଥିଲେ। ତାଙ୍କର ଏଭଳି ପାଗଳାମୀ ଦେଖି ତୁରନ୍ତ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ହସ୍ପିଟାଲକୁ ନେଇଥିଲେ। ତାଙ୍କ ସଂସ୍ପର୍ଶରେ ୩୦ ଜଣ ଆସିଥିବାରୁ ସେମାନଙ୍କ ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

ବାରଙ୍ଗରୁ ଆଉ ୨ ପଜିଟିଭ୍‌ ଚିହ୍ନଟ
ବାରଙ୍ଗ : ସ୍ଥାନୀୟ ଦାଢ଼ାପାଟଣା ପଞ୍ଚାୟତ ବଙ୍ଗାଳି ସାହିରୁ ଜଣେ ଓ ମୁଣ୍ଡଳୀରୁ ଜଣେ ଏମିତି ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବଙ୍ଗାଳି ସାହିରୁ ଚିହ୍ନଟ ସଂକ୍ରମିତ ଜଣେ ୪୮ ବର୍ଷୀୟ ଲୁଗା ଫେରି ବ୍ୟବସାୟୀ। କରୋନା କଟକଣା ଲାଗୁ ହେବା ପରଠାରୁ ତାଙ୍କ ବେପାର ବନ୍ଦ ରହିଛି। କିନ୍ତୁ ସେ ଗତ କିଛି ଦିନ ହେବ ଜ୍ବରରେ ପୀଡ଼ିତ ଥିଲେ। ଜ୍ବର ଭଲ ‌ନ ହେବାରୁ ସେ ନିଜ ତରଫରୁ ତାଙ୍କ ସ୍ବାବ୍‌ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ସରପଞ୍ଚଙ୍କୁ ଫୋନ୍ କରି ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦାଢ଼ାପାଟଣାରୁ ବର୍ତ୍ତମାନ ସୁଦ୍ଧା ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣଙ୍କର ମୃତ୍ୟୁ ହୋଇଛି। ମୁଣ୍ଡଳୀରୁ ଚିହ୍ନଟ ଆକ୍ରାନ୍ତ ଜଣେ ୩୧ ବର୍ଷୀୟ ଯୁବକ। ସେ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ।