ସମ୍ଭାଳି ପାରୁନାହାନ୍ତି ରାଜଧାନୀକୁ, ବଦଳିବେ ୭ ଥାନା ଇନ୍ସପେକ୍ଟର

ଭୁବନେଶ୍ବର : ରାଜଧାନୀର ୭ ଥାନା ଇନ୍ସପେକ୍ଟରଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା। ଯେ କୌଣସି ମୁହୂର୍ତରେ ସେମାନଙ୍କ ବଦଳି କଟକ କିମ୍ବା ଅନ୍ୟ ଜିଲ୍ଲାକୁ ହୋଇ ପାରେ। ଏଭଳି ଚର୍ଚା ଏବେ କମିସନରେଟ ପୁଲିସ ମହଲରେ ଆରମ୍ଭ ହୋଇ ଗଲାଣି। କାହାର ବଦଳି କଟକକୁ ହେବ, କାହାକୁ ଜିଲ୍ଲା ପାର କରାଯିବ, କେଉଁମାନେ କଟକରୁ ଭୁବନେଶ୍ବର ଆସିବେ ସେ ନେଇ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ ଆରମ୍ଭ କରିଛନ୍ତି।

ତେବେ ଏସବୁ ବଦଳି ପଛର କାରଣ ହେଉଛି ମାସକ ତଳେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁଯାୟୀ ଅଭିଯୋଗକାରୀମାନେ ଥାନା ଇନ୍ସପେକ୍ଟରଙ୍କୁ ଦେଇଥିବା ମାର୍କ, ଏକାଧିକ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ, କେତେକ ଇନ୍ସପେକ୍ଟର ରାଜଧାନୀରେ କାମ ନ କରିବାର ଅସମର୍ଥତା ଦେଖାଇ ନିଜ ଆଡୁ ବଦଳି ପାଇଁ ହାତ କାଟି ଲେଖି ଦେବା।

ଯାହା ସୂଚନା ମିଳିଛି, ନିଜ ଆଡୁ ଯେଉଁମାନେ ବଦଳି ପାଇଁ ଲେଖିଛନ୍ତି, ସେମାନଙ୍କ ସମ୍ପର୍କରେ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ତର୍ଜମା କରୁଛନ୍ତି। କିନ୍ତୁ ଯେଉଁ ଥାନା ବାବୁ ‘ମୋ ସରକାର’ ଯୋଜନାରେ କମ୍ ମାର୍କ ପାଇଛନ୍ତି, ସେମାନଙ୍କ ବଦଳି ହେବା ନିଶ୍ଚିତ ବୋଲି ଜଣାପଡ଼ୁଛି। ଏତଦବ୍ୟତୀତ ରାଜଧାନୀର କେତେକ ଇନ୍ସପେକ୍ଟରଙ୍କ ବିରୋଧରେ ପୁଲିସ କମିସନର, ପୁଲିସ ଡିଜିଙ୍କ ନିକଟରେ ଏକାଧିକ ପିଟିସନ ପଡ଼ିବା ସହିତ ଅଭିଯୋଗ ହୋଇଛି। ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିଛି ସେମାନଙ୍କୁ କମିସନରେଟ ପୁଲିସରୁ ବାଦ୍‌ ଦିଆଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଗତ ସାଧାରଣ ନିର୍ବଚନ ପୂର୍ବରୁ ଭୁବନେଶ୍ବର ପୁଲିସର ଇନ୍ସପେକ୍ଟରମାନଙ୍କୁ କଟକ ବଦଳି କରାଯାଇଥିଲା। ସେହିପରି କଟକରୁ ଅଫିସରମାନଙ୍କୁ ଭୁବନେଶ୍ବର ଅଣାଯାଇଥିଲା। କିନ୍ତୁ କଟକ ଓ ଭୁବନେଶ୍ବର ମଧ୍ୟରେ ପୁଲିସର କାମ କରିବା ଶୈଳୀ ଭିନ୍ନ। ଏଠାରେ ପ୍ରତ୍ୟେକ ଦିନ ଭିଭିଆଇପି ସୁରକ୍ଷା, ଆଇନଶୃଙ୍ଖଳା ଭଳି ଡ୍ୟୁଟିରେ ପୁଲିସ ଦିନ ରାତି ବ୍ୟସ୍ତ। ଏଠାରେ ପୁଲିସ ବିଭିନ୍ନ ଆଡୁ ଚାପରେ ଥାଏ। କୌଣସି ଘଟଣାଟିଏ ଘଟି ଗଲେ ପରିସ୍ଥିତି ହଠାତ ଜଟିଳ ହୋଇ ଯାଇଥାଏ। ଏଭଳି ପରିସ୍ଥିତି‌ରେ କେତେକ ଅଫିସର ଭୁବନେଶ୍ବରରେ ଖାପ ଖୁଆଇ ପାରୁଥିବା ବେଳେ କେତେକ ପାରୁ ନାହାନ୍ତି। ଫଳରେ କେତେକ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର