ଖଣ୍ଡଗିରି: ଗତବର୍ଷ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଖଣ୍ଡଗିରି ଅଞ୍ଚଳର ଜାଗମରା, ଗଣ୍ଡମୁଣ୍ଡା, ଖଣ୍ଡଗିରିବାରି ଭଳି ଏକାଧିକ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥର ମଧ୍ୟ ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୧୪୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଭୁବନେଶ୍ବର ମହାନଗର ଅଞ୍ଚଳରେ ୭୪ଜଣ ରହିଛନ୍ତି। ସାଲିଆସାହି ଓ ଶିଖରଚଣ୍ଡୀନଗରରେ ସର୍ବାଧିକ ୬ଜଣ ଲେଖାଏ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ୟୁନିଟ୍‌-୩, ଶୈଳଶ୍ରୀବିହାର, ସହିଦନଗରରେ ୪ଜଣ ଲେଖାଏଁ, ପଟିଆ, ପ୍ରଶାନ୍ତିବିହାର, ନନ୍ଦନବିହାର, ବଂଶୀବିହାର ଓ ବରମୁଣ୍ଡାରେ ୩ଜଣ ଲେଖାଏଁ, ବାପୁଜୀନଗର, ଭରତପୁର, କଳିଙ୍ଗନଗର, ଲିଙ୍ଗରାଜ ମନ୍ଦିର ଅଞ୍ଚଳ, ୟୁନିଟ୍‌-୪ ଅଞ୍ଚଳରେ ଦୁଇଜଣ ଲେଖାଏଁ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବରବାଡ଼ି, ଡୁମୁଡୁମା, କୋଳଥିଆ, ବିଜୁନଗର, ଗଙ୍ଗନଗର, ଜୟଦେବବିହ‌ାର, ମହାବିନାୟକପୁର, କଳାରାହାଙ୍ଗ, ଖଣ୍ଡଗିରିବାରି, କିଟ୍‌ ଅଞ୍ଚଳ ପରି ସ୍ଥାନରୁ ଜଣେ ଲେଖାଏ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ଓ ମେ ମାସ ତୁଳନାରେ ଜୁନ୍‌ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ଷାଋତୁ ଆରମ୍ଭ ହୋଇଥିବାରୁ ସମସ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ପ୍ରତିଦିନ ଗୋଟିଏ ଯୋଡ଼ିଏ ମାମଲା ସାମ୍ନାକୁ ଆସୁଥିବାରୁ ପ୍ରଶାସନ ନିଦ ହଜିଯାଇଛି। ପୂର୍ବବର୍ଷଗୁଡ଼ିକ ପରି ଏଥର ଆଗକୁ ଯେପରି ଭୟଙ୍କର ପରିସ୍ଥିତି ନ ଉପୁଜେ, ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ଡେଙ୍ଗୁର ମୁକାବିଲା ପାଇଁ ସ୍ବେଚ୍ଛାସେବୀ ଯୋଗାଇ ଦେବାକୁ ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ବିଏମ୍‌ସିକୁ ଅନୁରୋଧ କରିବା ପରେ ୩୦ ଜଣ ସ୍ବେଚ୍ଛାସେବୀଙ୍କୁ ୟୁପିଏଚ୍‌ସି ଆଇଆର୍‌ସି ଭିଲେଜରେ ପ୍ରଶିକ୍ଷଣ ଦିଆଯାଇଛି। ଡେଙ୍ଗୁରୋଗ କିଭଳି ବ୍ୟାପେ, କେଉଁ ପ୍ରକାର ପାଣିରେ ମଶା ରହିଥାନ୍ତି, ସ୍ୱଚ୍ଛ ଓ ଚହଲୁ ନଥିବା ପାଣି ସ୍ଥାନ ଚିହ୍ନଟ, ଡେଙ୍ଗୁ ଲାର୍ଭା ଉତ୍ପତ୍ତି ସ୍ଥଳ ଖୋଜିବା ଓ ତାହାର ନିରାକରଣ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି ‘ଡେଙ୍ଗୁ ଯୋଦ୍ଧା’ମାନେ ସହରର ବିଭିନ୍ନ ଅଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ମୁକାବିଲା ଦିଗରେ ପଦକ୍ଷେପ ନେବେ।
ଏହି କାର୍ଯ୍ୟକ୍ରମକୁ ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିବା ସହ ଏକ ଡେଙ୍ଗୁ ସଚେତନତା ଗାଡ଼ିକୁ ଲୋକାର୍ପିତ କରିଛନ୍ତି। ଏହାସହ ଛତା, ଲିଫ୍‌ଲେଟ୍, ଖାତା ବଣ୍ଟନ ହୋଇଛି। ଏଥି‌ରେ ୨୭ ନମ୍ବର ୱାର୍ଡ  କର୍ପୋରେଟର୍‌ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଏଡିୟୁପିଏଚ୍ଓ ନୀଳମଣି ସେନାପତି,‌ ମେଡିକାଲ ଅଫିସର ଗୁଲ୍‌ନାଜ ଉସ୍‌ମାନ, ସିଟିଏମ୍‌ ଏଲିନା ମହାପାତ୍ର, ବହୁ ବରିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ।