ଭୁବନେଶ୍ବର: ନୂଆ କୋଠାରେ ବସିଥିବା ବିଏମ୍ସିର ପ୍ରଥମ ବୈଠକରେ ଆଜି ପ୍ରବଳ ବିଶୃଙ୍ଖଳା ହୋଇଛି। ଆଜି ଆଗତ ହୋଇଥିବା ଚିଠା ବଜେଟ୍ ଉପରେ ପ୍ରଶ୍ନ ଉଠାଇବାରୁ ଜଣେ ବରିଷ୍ଠ ବିଜେଡି କର୍ପୋରେଟରଙ୍କୁ ଘୋର ବିରୋଧ ହୋଇଛି। କେତେକ କର୍ପୋରେଟର ବିରୋଧ କରିବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। ସେହିଭଳି ବିଜେପି କର୍ପୋରେଟର ପ୍ରଶ୍ନ କରିବାରୁ କେତେକ କର୍ପୋରେଟର ସେମାନଙ୍କ କଣ୍ଠରୋଧ କରିଛନ୍ତି। ଫଳରେ ବିଜେପି କର୍ପୋରେଟରମାନେ ବୈଠକରେ ବିଜେଡି କର୍ପୋରେଟର କଥା କୁହାଇ ନ ଦେବା ପ୍ରତିବାଦ କରି ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଏତିକିବେଳେ ‘ବିଜେପି କର୍ପୋରେଟରମାନେ ଗଣମାଧ୍ୟମରେ ମୁହଁ ଦେଖାଇବା ପାଇଁ ଧାରଣା ଦେଇଛନ୍ତି’ ବୋଲି ବିଭିନ୍ନ ଗଣମାଧ୍ୟମରେ ମେୟର ସୁଲୋଚନା ଦାସଙ୍କ ମନ୍ତବ୍ୟ ନିଆଁରେ ଘିଅ ଢାଳିଛି। ବୁଝାସୁଝା କରିବା ପରିବର୍ତ୍ତେ ଏଭଳି ମନ୍ତବ୍ୟକୁ ସେମାନେ ଗ୍ରହଣ କରିପାରି ନାହାନ୍ତି। ଏଣୁ ସେମାନେ ଧାରଣାରୁ ହଟି ନାହାନ୍ତି। ବୈଠକ ସରିବା ପରେ ସେମାନଙ୍କୁ ବୁଝାସୁଝା କରିବାକୁ ଆସିଥିବା ମେୟର ପ୍ରବଳ ବିରୋଧର ଶିକାର ହୋଇ ଫେରି ଯାଇଛନ୍ତି। ଅତିରିକ୍ତ କମିସନର ମଧ୍ୟ ବିରୋଧର ଶିକାର ହୋଇଛନ୍ତି। ସନ୍ଧ୍ୟା ପରେ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଧାରଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଛି। ଏଭଳି ବିଶୃଙ୍ଖଳା ଭିତରେ ଚିଠା ବଜେଟ୍ ଅନୁମୋଦନ ଲାଭ କରିଛି।
ଆଜି ୧୦ଟା ବେଳେ ବିଏମ୍ସିର କର୍ପୋରେସନ ବୈଠକ ଆରମ୍ଭ ହୋଇଥିଲା। ମେୟର ସୁଲୋଚନା ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ବୈଠକରେ ବଜେଟ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଜରୁରୀ ବୋଲି କହି ବରିଷ୍ଠ କର୍ପୋରେଟର ନୃପେଶ ନାୟକ କେତେକ ପ୍ରଶ୍ନ ପଚାରିଥିଲେ। ହେଲେ ତାଙ୍କୁ କହିବାକୁ ଦିଆଯାଇନଥିଲା। ସେ ମେୟରଙ୍କୁ ପ୍ରଶ୍ନ କରିଥିବା ବେଳେ କେତେକ ବିଜେଡି କର୍ପୋରେଟର ତାଙ୍କୁ ଚୁପ୍ ବସିବାକୁ କହିବା ସହ ଗାଳି କରିଥିଲେ। ‘ତୁମେ ପାଗଳ ହୋଇଗଲଣି, ମେଡିସିନ୍ ଖାଅ, ଚୁପ୍ ବସ’ ଏଭଳି କହିବା ଦ୍ବାରା ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ମେୟର ନ କହି ଅନ୍ୟମାନେ କାହିଁକି କହିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିବାରୁ କେତେକ କର୍ପୋରେଟର ତାଙ୍କ ଚଉକି ଆଡ଼କୁ ଚିହିଁକି ଆସିବା ସହ ଆକ୍ରମଣ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆଗତ ହୋଇଥିବା ୬୯୦ କୋଟି ଟଙ୍କାର ବଜେଟ୍ କର୍ପୋରେସନ ଇତିହାସରେ ସର୍ବାଧିକ। ଏହା ଉପରେ ନିଶ୍ଚୟ ତର୍ଜମା ଜରୁରୀ। ଚିଠା ପ୍ରସ୍ତାବ ବେଳେ ଆଲୋଚନା କଲେ ନାହିଁ। ଫଟୋ ଉଠାଇ ସାରିଦେଲେ। ଏବେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏହା ଉପରେ ଆଲୋଚନା କରିବା କଥା। ଆମମାନଙ୍କର ସନ୍ଦେହ ମୋଚନ କରିବା କଥା। କିନ୍ତୁ ଆମେ ପ୍ରଶ୍ନ କଲା ବେଳେ ଅନ୍ୟମାନଙ୍କୁ କାହିଁକି ସମସ୍ୟା ହେଲା? କେବଳ ସମସ୍ୟା ହେଲା ନାହିଁ ବରଂ ସେମାନେ ବାଡ଼େଇବା ପାଇଁ ଦଉଡ଼ି ଆସିଲେ। ମେୟର ସେମାନଙ୍କୁ ବାରଣ କରୁଥିଲେ ମଧ୍ୟ ସେମାନେ ଶୁଣୁନଥିଲେ। କର୍ପୋରେସନ ବୈଠକ ଇତିହାସରେ ପ୍ରଥମ ଘଟଣା ଘଟିଲା।
ବିଜେଡି କର୍ପୋରେଟରଙ୍କୁ ବିରୋଧ
ହୋ ହଲ୍ଲା ଭିତରେ ବଜେଟ୍କୁ ଅନୁମୋଦନ
କର୍ପୋରେସନ ବୈଠକ ନୁହେଁ, ବିଜେଡିର ଦଳୀୟ ବୈଠକ: ବିଜେପି
ବିଜେପି କର୍ପୋରେଟର ଧାରଣା ଦେଲେ
ଏହି ପ୍ରସଙ୍ଗକୁ ନେଇ ବୈଠକ ଗମ୍ଭୀର ହୋଇପଡ଼ିଥିବା ବେଳେ ବିଜେପି କର୍ପୋରେଟର ଜୀବନ ରାଉତ ମଧ୍ୟ ସମାନ ଅଭିଯୋଗ କରିଥିଲେ। ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଉତ୍ତର ରଖିବା କଥା। କିନ୍ତୁ ବିଜେଡି କର୍ପୋରେଟରମାନେ ପ୍ରଶ୍ନ କରିବାକୁ ଦେଲେ ନାହିଁ, ହୋ ହଲ୍ଲା କଲେ। ଏଣୁ ବିଜେପି କର୍ପୋରେଟରମାନେ ବାହାରକୁ ଚାଲି ଆସି ଧାରଣା ଦେଇଥିଲେ। କର୍ପୋରେଟର ଅପରୂପ ରାଉତଙ୍କ ଅଭିଯୋଗ ମୁତାବକ, ବିଜେପି କର୍ପୋରେଟରମାନଙ୍କୁ କଥା କହିବା ପାଇଁ ଦିଆଯାଉନି। ଉଦ୍ଘାଟନୀରେ ସାଂସଦଙ୍କୁ ନିମନ୍ତ୍ରଣ କଲେନାହିଁ। ଏଠାରେ କର୍ପୋରେସନ ନୁହେଁ, ବରଂ ବିଜେଡିର ଦଳୀୟ ବୈଠକ ଚାଲିଛି। ଆମ ବିନା ବଜେଟ୍ ପାସ୍ ହୋଇଛି। ବୈଠକ ମଧ୍ୟ ଚାଲିଛି। ମେୟରଙ୍କ ମନ୍ତବ୍ୟ ମଧ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭୁବନେଶ୍ୱରରେ ରହୁଥିବା ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଦେବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି ବିଏମ୍ସି।
ସ୍ବର ଉଠାଇଲେ ବିରୋଧ କରାଯାଉଛି। ନିର୍ବାଚିତ ୱାର୍ଡ କର୍ପୋରେଟରଙ୍କୁ ଅନ୍ଧାରରେ ରଖି ବିଏମ୍ସି ମେୟର ଗଣତନ୍ତ୍ରର ଶ୍ୱାସରୁଦ୍ଧ କରି ଶାସକ ଦଳର କିଛି କର୍ପୋରେଟର୍ଙ୍କ ହାତବାରିସି ସାଜିଛନ୍ତି। ମଶା ଠାରୁ ଆରମ୍ଭ କରି ମୁକୁଳା ଡ୍ରେନ୍ ପର୍ଯ୍ୟନ୍ତ ସବୁଥିରେ ଫେଲ ମାରିଛି ବିଏମ୍ସି। ବିକାଶ ପାଇଁ ପ୍ରସ୍ତୁତ ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇ ପାରୁନି। ଏହାକୁ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ ବୋଲି ବୋଲି ଶ୍ରୀ ରାଉତ କହିଥିଲେ। ଶ୍ରୀ ରାଉତଙ୍କ ସହ ଧରିତ୍ରୀ ଜେନା, ସୁଚିତ୍ରା ପାତ୍ର, ରାମଚନ୍ଦ୍ର ରଣସିଂହ, ସୁଜାତା ଛୋଟରାୟ, ମଧୁସ୍ମିତା ପ୍ରଧାନ, ଯଶୋଧରା ପ୍ରଧାନ, ଗୀତାଞ୍ଜଳୀ ସାହୁ, ଲକ୍ଷ୍ମୀପ୍ରିୟା ପରିଡ଼ା ଓ ସୁକୁମାର ସାହୁ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।
ଅପରାହ୍ନ ୪ଟା ବେଳେ କାଉନ୍ସିଲ୍ ବୈଠକ ଶେଷ ହୋଇଥିଲେ ବି ବିଜେପି କର୍ପୋରେଟର୍ମାନେ ବାହାରେ ଧାରଣାରେ ବସିଥିଲେ। ମେୟର ଆସି ସେମାନଙ୍କୁ ବୁଝାସୁଝା କରିଥିଲେ ବି ସେମାନେ ଶୁଣି ନଥିଲେ। ବରଂ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେମାନେ ନ ଉଠିବାରୁ ମେୟର ଚାଲିଯାଇଥିଲେ। ପୁଣି ରାତି ୯ଟା ପରେ ମେୟର ଧାରଣାସ୍ଥଳକୁ ଆସିଥିଲେ। ବିକାଶମୂଳକ କାର୍ଯ୍ୟରେ ଆଦୌ ପାତରଅନ୍ତର କରାଯାଉନାହିଁ ବୋଲି କହିଥିଲେ। ଯାହାର ଯାହା ସମସ୍ୟା ଅଛି ତାହାକୁ ନଜରକୁ ଆଣିଲେ ତାହାର ସମାଧାନ ତୁରନ୍ତ କରାଯିବ ବୋଲି ମେୟର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ କର୍ପୋରେଟର୍ମାନେ ଧାରଣାରୁ ଉଠିଥିଲେ।