ରାଜଧାନୀରେ ମୁକୁଳା ପଡ଼ିଛି ସ୍ବେରେଜ ଚାମ୍ବର୍‌, ପ୍ରଶାସନର ନଜର ନାହିଁ

ଚନ୍ଦ୍ରଶେଖରପୁର : ରାଜଧାନୀର କେଉଁଠି ସ୍ବେରେଜ ଚାମ୍ବର ମୁକୁଳା ପଡ଼ିଛି ତ ଆଉ କେଉଁଠି ଭୁଶୁଡ଼ିବା ଅବସ୍ଥାକୁ ଆସିଗଲାଣି। କେତେକ ସ୍ଥାନରେ ଚାମ୍ବର ଆଁ କରି ରହିଥିବାରୁ କେତେବେଳେ ଯେ ଗଳିବ ତାହା କହିବା ମୁସ୍କିଲ୍‌। ଦିନେ କି ଦୁଇ ଦିନ ନୁହେଁ। ବରଂ ମାସ ମାସ ଧରି ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖାଦେଉଛି। ଲୋକେ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ୱାର୍ଡର କୌଣସି ଜନପ୍ରତିନିଧି ନ ଥିବାରୁ ଲୋକେ ୱାର୍ଡ ଅଫିସ୍‌ର ଦ୍ବାରସ୍ଥ ହେଉଛନ୍ତି। ସମସ୍ୟା ସମ୍ପର୍କରେ ଅବଗତ କରୁଛନ୍ତି। ହେଲେ ଉତ୍ତର ମିଳୁଛି ଆମ ଅଧୀନରେ ସ୍ବେରେଜ ଆସୁନି। ତୁମେ ସ୍ବେରେଜ ବୋର୍ଡରେ ଅଭିଯୋଗ କର।

ଏନେଇ ଲୋକେ ସ୍ବେରେଜ ବୋର୍ଡରେ ଅଭିଯୋଗ କଲେ ଉତ୍ତର ମିଳୁଛି, କାଲି ଯିବୁ। ଦୁଇ ଦିନ ପରେ ମରାମତି କରାଯିବ। ଚାମ୍ବର କଭର୍‌ ଲଗାଯିବ। ଏମିତି କହି ସମୟ ଗଡ଼ାଇ ଚାଲୁଛନ୍ତି। ମରାମତି କରିବା ତ ଦୂରର କଥା, ଅନୁଧ୍ୟାନ କରିବାକୁ ବି କେହି ଆସୁନାହାନ୍ତି। ପ୍ରଶାସନ ସବୁ‌ବେଳେ ଲୋକଙ୍କ ସହ ଅଛି। ଅଭିଯୋଗ ମାତ୍ରକେ ଅଧିକ‌ାରୀ ନିକଟରେ ପହଞ୍ଚିବ ବୋଲି ଡିଣ୍ଡିମ ପିଟା ଯାଉଥିବା ବେଳେ ଅଧିକାରୀମାନଙ୍କର ଏଥିପ୍ରତି ତିଳେ ମାତ୍ର ଖାତିର ନାହିଁ। ସ୍ମାର୍ଟ ସିଟିର ସମସ୍ୟା ସୋସିଆଲ ମିଡିଆରେ ଅଭିଯୋଗ କଲେ ତୁରନ୍ତ ସମାଧାନ ହୋଇଯିବ ବୋଲି ଅଧିକାରୀମାନେ ବାହାସ୍ପୋଟ ମାରୁଛନ୍ତି। ଏନେଇ ଲୋକେ ଟୁଇଟର, ଫେସ୍‌ବୁକ୍‌, ୱେବସାଇଟ୍‌ରେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଯେଉଁଥିପାଇଁ ଲୋକଙ୍କୁ ଏବେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଉଦାହରଣ ଭାବେ ଏହି ଅଞ୍ଚଳରେ ଥିବା ପ୍ରଗତି ଏନ୍‌କ୍ଲେଭ୍‌କୁ ନିଆଯାଇପାରେ। ଏଠାରେ ୩ରୁ ଅଧିକ ସ୍ବେରେଜ୍‌ ଚାମ୍ବର ଦୀର୍ଘ ଦିନ ହେଲା ଖୋଲା ପଡ଼ି ଥିବାରୁ ଅନେକ ଜୀବଜନ୍ତୁ ତା’ ଭିତରେ ଗଳି ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ କିଛି ବିଲଡିଂ ନିର୍ମାଣ ଚାଲିଥିବାରୁ ରାସ୍ତାରେ ଭାରୀଯାନ ଚଳାଚଳ କରୁଛି। ଫଳସ୍ବରୂପ ସ୍ବେରେଜ ଚାମ୍ବର ପ୍ରଭାବିତ ହେଉଛି। ଭାରୀଯାନ ଯିବା ଦ୍ବାରା ଚାମ୍ବର ଦବି ଯାଉଛି। ୬ମାସ ତଳେ ଏକ ଭାରୀଯାନ ଚାମ୍ବର ଭିତରେ ଗଳି ପଡ଼ିଥିଲା। ‌ସେତେବେଳେ ସ୍ବେରେଜ୍‌ ବୋର୍ଡ ତାହାକୁ ମରାମତି କରିଲା ନାହିଁ। ଯେଉଁ ଲୋକଙ୍କର ଘର କାମ ଚାଲିଥିଲା, ସେ କର୍ମଚାରୀ ଲଗାଇ ତାହାକୁ ମରାମତି କଲେ। ଫଳସ୍ବରୂପ ଏବେ ରାସ୍ତାଠାରୁ ବହୁ ଉଚ୍ଚରେ ଚାମ୍ବର ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏବେ ରାସ୍ତା ମଝିରେ ଥିବା ଆଉ ଏକ ଚାମ୍ବରର ରଡ୍‌ ରାସ୍ତାରେ ଉଠି କରି ରହିଛି। କେତେବେଳେ ଯେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ନ ହେବେ, କହିହେବ ନାହିଁ। ଏହା ନିକଟରେ ଥିବା ଆଉ ଏକ ଲେନ୍‌ରେ ଚାମ୍ବର ସମ୍ପୂର୍ଣ୍ଣ ମୁକୁଳା‌ ପଡ଼ିଛି।

ସମ୍ବନ୍ଧିତ ଖବର