ସରୁନି ସ୍ବେରେଜ୍‌ ଲାଇନ୍‌ କାମ, ୪୦ ପରିବାର ଗୃହବନ୍ଦୀ

ଭୁବନେଶ୍ବର: ବିଏମ୍‌ସି ୩୩ ନମ୍ବର ୱାର୍ଡ ଶାନ୍ତିଗନର କେନାଲ୍ ରୋଡ୍‌ରେ ଚାଲିଥିବା ସ୍ବେରେଜ୍‌ ଲାଇନ୍‌ କାମ ବିଳମ୍ବ ହେଉଥିବାରୁ ୪୦ ପରିବାର ହନ୍ତସନ୍ତ ହେଉଛନ୍ତି। ପ୍ରାୟ ବର୍ଷେ ହେଲା ଏହି ପରିବାର ଏକପ୍ରକାର ଗୃହବନ୍ଦୀ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି। ବର୍ଷା ଦିନ ଆରମ୍ଭ ହୋଇ ଯାଇଥିବାରୁ ସେମାନେ ପଙ୍କକାଦୁଅ ଭର୍ତ୍ତି ରାସ୍ତାରେ ବଡ଼ କଷ୍ଟରେ ଯାତାୟାତ କରୁଥିବା କହିଛନ୍ତି।

ଲୋକଙ୍କ ଅଭିଯୋଗ ଅନୁସାରେ, ଠିକାସଂସ୍ଥା ବହୁ ମନ୍ଥର ଗତିରେ କାମ କରୁଛି। ତେଣୁ ମାତ୍ର ୧ କିଲୋମିଟର ସ୍ବେରେଜ୍‌ ଲାଇନ୍‌ ନିର୍ମାଣ ପାଇଁ ପାଖାପାଖି ବର୍ଷେ ସମୟ ଲାଗି ଗଲାଣି। ଏବେ ପର୍ଯ୍ୟନ୍ତ ଭୂତଳ ଲାଇନ୍‌ କାମ ଶେଷ ହୋଇପାରୁନି। ରାସ୍ତାକୁ ଖୋଳି ଦିଆଯାଇଥିବାରୁ ଖାଲଖମା ପାଇଁ ଯାତାୟାତ ଉପଯୋଗୀ ହୋଇ ରହି ନାହିଁ। ଲୋକଙ୍କ ଘର ସାମ୍ନାରେ ବଡ଼ ବଡ଼ ଗାତ ଖୋଳି କାମ ବନ୍ଦ କରି ଦିଆଯାଇଛି। ଫଳରେ ସେହି ପରିବାରଟି ଗୃହବନ୍ଦୀ ହୋଇପଡ଼ୁଛି। ବର୍ତ୍ତମାନ ସ୍ଥିତି ଏମିତି ଯେ ଏଠାରୁ କୌଣସି ରୋଗୀକୁ ତୁରନ୍ତ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ନେବା ସମ୍ଭବ ହେବ ନାହିଁ। ସେହିପରି ସ୍ଥାନୀୟ ଅଞ୍ଚଳରେ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟିଲେ, ଦମକଳ ଗାଡ଼ି ପହଞ୍ଚି ପାରିବ ନାହିଁ। ଆଗକୁ ଲଗାଣ ବର୍ଷ‌ା ଆସିବ ଓ ଏହି ରାସ୍ତ‌ା ଅବସ୍ଥା ପୂରା ଶୋଚନୀୟ ହୋଇପଡ଼ିବ ବୋଲି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଏ ସଂପର୍କରେ ପୂର୍ବତନ କର୍ପୋରେଟର୍‌ ସୁରେଶ ଚନ୍ଦ୍ର‌ ଜେନା ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ନିକଟରେ ଅଭ‌ିଯୋଗ କରି ମଧ୍ୟ କିଛି ସୁଫଳ ମିଳି ନଥିବା କହିଛନ୍ତି। ଏନେଇ ଜନସ୍ବ‌ାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଭରତ ଚନ୍ଦ୍ର ଦଳାଇ କହିଛନ୍ତି ଯେ ସେଠାରେ କାମ କରୁଥିବା ପଶ୍ଚିମବଙ୍ଗର ଶ୍ରମିକମାନେ କରୋନା ପାଇଁ ଫେରି ନଥିବାରୁ କାମ ବିଳମ୍ବ ହୋଇଛି। ଅନ୍ୟ ଶ୍ରମିକ ନିୟୋଜିତ କରି ଖୁବ୍‌ ଶୀଘ୍ର କାମ ଶେଷ କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର