ସରୁନି ସ୍ବେରେଜ୍ ଲାଇନ୍‌ କାମ, କାଦୁଅରେ ଘାଣ୍ଟି ହେଉଛନ୍ତି ଶହେ ପରିବାର

ଭୁବନେଶ୍ବର: ଚକାଚକ୍ ବିଲ୍ଡିଂ ସବୁ ବେଶ୍ ଆକର୍ଷଣୀୟ। ବାହାରୁ ଦେଖିଲେ କୌଣସି ବିଦେଶୀ ସହରର ଏକ ଦାମୀ କଲୋନିର ଭ୍ରମ ସୃଷ୍ଟି କରିବ। କିନ୍ତୁ ମହାକାଳ ଫଳ ଭଳି ବାହାର ସିନା ବହୁ ସୁନ୍ଦର କିନ୍ତୁ ଭିତର ପୂରା ପୋଡ଼ା ଅଙ୍ଗାର। କାଦୁଅ ପଚପଚ ରାସ୍ତା ଦେଖିଲେ କେହି ବି ଭିତରକୁ ପଶିବାକୁ ମନ ବଳାଇବ ନାହିଁ। ଭିତରର କାଦୁଅ ପୂର୍ଣ୍ଣ ରାସ୍ତା କୌଣସି ଅପହଞ୍ଚ ଅଞ୍ଚଳର ଗାଁ ରାସ୍ତାଠାରୁ ମଧ୍ୟ କଦର୍ଯ୍ୟ। ଏହା ହେଉଛି ରାଜଧାନୀ ବମିଖାଲ ଅଞ୍ଚଳର ଏକ ଆବାସିକ କଲୋନି ଭିତର ରାସ୍ତାର ଶୋଚନୀୟ ଅବସ୍ଥା। ଏହି ଅଞ୍ଚଳଟି ବିଏମ୍‌ସି ୩୧ ନମ୍ବର ୱାର୍ଡରେ ରହିଛି। ବମିଖାଲ କେନାଲ ରୋଡ୍‌ ନିକଟ ଏହି ଆବାସିକ କଲୋନି ଭିତରେ ଚାଲିଛି ସ୍ବେରେଜ୍ ଲାଇନ୍ କାମ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ଠିକା ସଂସ୍ଥା ଏମିତି ଧାରାରେ କାମ କରୁଛି ଯେ ୧କିମି ଲାଇନ୍‌ ପାଇଁ ବର୍ଷେରୁ ଅଧିକ ସମୟ ଲାଗିଗଲାଣି। ତଥାପି ସରୁନି।

ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ଅସରାଏ ବର୍ଷା ହେଲେ କାଦୁଅ ପଚପଚ ହୋଇଯାଉଛି। ଯାତାୟାତ କରିବା କଷ୍ଟକର ହେଉଛି। ବୟସ୍କ ଓ ମହିଳାମାନେ ଘରୁ ବାହାରିବା କାଠିକର ହୋଇପଡ଼ୁଛି। ଏବେ ଆରମ୍ଭ ହୋଇଥିବା ମୌସୁମୀ ବର୍ଷା ଯୋଗୁଁ ରାସ୍ତା ସାରା ପାଣି କାଦୁଅ ଭର୍ତ୍ତି ହୋଇ ରହିଛି। ଘରୁ ବାହାରିବା ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ଲୋକେ ବାଧ୍ୟ ହୋଇ କାଦୁଅରେ ପଡ଼ି ଉଠି ଯିବା ଆସିବା କରୁଛନ୍ତି। ଆଗକୁ ବର୍ଷା ଲାଗି ରହିବ ଓ ସେମାନେ ଆହୁରି ହନ୍ତସନ୍ତ ହେବେ। ତେଣୁ ତୁରନ୍ତ ସ୍ବେରେଜ୍ ବୋର୍ଡ ଏହି କାମ ଶେଷ କରୁ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର