ସ୍ବେରେଜ ଟାଙ୍କି ନେଲା ଦୁଇ ଶ୍ରମିକଙ୍କ ଜୀବନ

ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣଙ୍କ ପ୍ରାଣ ଗଲା

ଭୁବନେଶ୍ବର : ସ୍ବେରେଜ୍‌ ଟାଙ୍କି ମରାମତି ବେଳେ ଦୁଇଜଣ ଶ୍ରମିକ ଆଜି ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଟଙ୍କପାଣି ରୋଡ୍‌ ବ୍ରହ୍ମେଶ୍ବରବାଗରେ ଏହି ଅଘଟଣ ଘଟିଛି। ମୃତ ଶ୍ରମିକଦ୍ବୟ ହେଲେ, ମୟୂରଭଞ୍ଜର ସୁନାକର ସରକାର ଓ ସ୍ବରୂପ ବେଉରିଆ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସୁପରଭାଇଜର୍‌ ଫେରାର୍‌ ହୋଇଯାଇଛି।

ପୁଲିସ ସୂଚନା ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୧ଟାରେ ବ୍ରହ୍ମେଶ୍ବରବାଗ ଅଞ୍ଚଳରେ ଯାଇଥିବା ସ୍ବେରେଜ ଲାଇନର ମରାମତି କାମ ଚାଲୁଥିଲା। ସୁନାକର ଓ ସ୍ବରୂପ ଏହି କାମରେ ନିୟୋଜିତ ଥିଲେ। ଦୁଇ ଜଣ ଗୋଟିଏ ପରେ ଗୋଟିଏ ଟାଙ୍କିର ଯାଞ୍ଚ କାମ ସାରି ବ୍ରହ୍ମେଶ୍ବରବାଗ ଫାଟକ ନିକଟରେ ଥିବା ଶେଷ ସ୍ବରେଜ ଲାଇନର କାମ କରୁଥିଲେ। ୨୦ ଫୁଟ୍‌ରୁ ଅଧିକ ଗଭୀର ମ୍ୟାନହୋଲ୍ ଭିତରକୁ ପ୍ରଥମେ ସୁନାକର ପଶିଥିଲେ। ବାହାରେ ସ୍ବରୂପ ଛିଡ଼ା ହୋଇଥିଲେ। ହଠାତ୍ ସୁନାକର ଅଚେତ ହୋଇ ପଡ଼ିଯାଇଥିଲେ। ଏହା ଦେଖି ସ୍ବରୂପ ତାଙ୍କୁ ଉଦ୍ଧାର କରିବା ପାଇଁ ଭିତରକୁ ଯାଇଥିଲେ। କିନ୍ତୁ ସେ ମଧ୍ୟ ଅଚେତ ହୋଇଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମ୍ୟାନହୋଲ ଭିତରୁ ଦୁଇଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ‌ରେ ଭର୍ତ୍ତି କରାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଛି। ସେମାନେ ଆଜି ପହଞ୍ଚିବାରେ ବିଳମ୍ବ ହେବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅପରପକ୍ଷେ, ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେବାରୁ କାମ ତଦାରଖ କରୁଥିବା ସୁପରଭାଇଜର୍‌ ପଳାଇଥିଲେ।

ନିୟମ ମାନୁନାହନ୍ତି ଠିକା ସଂସ୍ଥା
ମ୍ୟାନହୋଲ୍‌ ଭିତରେ ପଶିବା ସମୟରେ ଠିକାସଂସ୍ଥା କୌଣସି ନିୟମ ପାଳନ କରୁନାହାନ୍ତି। ଗଭୀର ମ୍ୟାନହୋଲ୍‌ ଭିତରେ ଅମ୍ଳଜାନର ଅଭାବ ରହିଥାଏ। ଏହା ଭିତରକୁ ପଶିବା ପୂର୍ବରୁ ଦହନଶୀଳ ପଦାର୍ଥକୁ ଭିତରକୁ ଛଡ଼ାଯିବା କଥା। ଯଦି ନିଆଁ ଲିଭିଗଲା, ତାହେଲେ ଅମ୍ଳଜାନର ଅଭାବ ରହିଥିବା ସ୍ପଷ୍ଟ ହୋଇଥାଏ। ସେପରି ସ୍ଥିତି ଦେଖାଗଲେ, ଅମ୍ଳଜାନ ଥଳି ନେଇ ଭିତରକୁ ଯିବାର ନିୟମ ରହିଛି। କିନ୍ତୁ ଅଧିକାଂଶ ସ୍ଥାନରେ ଏହି ନିୟମକୁ ଠିକାଦାର ପାଳନ କରୁ ନ ଥିବା ଯୋଗୁ ଶ୍ରମିକଙ୍କ ଜୀବନ ଯାଉଛି।

ସମ୍ବନ୍ଧିତ ଖବର