ଭୁବନେଶ୍ବର: ସ୍ବେରେଜ୍ ପାଇପ୍ ବିଛାଇବା କାମ ୬ ମାସରୁ ଅଧିକ ସମୟ ଲାଗିଲା। ଲୋକେ ଘରୁ ବାହାରିବାକୁ ନାକେଦମ୍ ହେଲେ। କାର୍ କାଢ଼ିବା ଦୂର କଥା ୨ ଚକିଆ ବି କାଢ଼ିବା ମୁସ୍କିଲ୍ ହୋଇଗଲା। ଭାବିଲେ କାମ ସରିଲେ ସମସ୍ୟା ସୁଧୁରିଯିବ। ବର୍ଷା ଦିନେ ଆଉ ଅଳିଆ ପାଣି ଘରେ ପସିବନି। କି ଗନ୍ଧ ହେବନି। ଘର ମଇଳା ସ୍ବେରେଜ୍ରେ ଯିବ। ହେଲେ ସମସ୍ୟା ଏବେ ସୁଧୁରିବା ପରିବର୍ତ୍ତେ ଆହୁରି ଉତ୍କଟ ହୋଇଛି। ୨୪ ଘଣ୍ଟା ସେହି ଅଳିଆପାଣିରେ ଗୋଡ଼ ଦେଇ ଘରୁ ବାହାରିବାକୁ ହେଉଛି। ଏଭଳି ହିନସ୍ତା ହେଉଛନ୍ତି ୬୩ ନମ୍ବର ୱାର୍ଡ ଜାଗମରା ତଳସାହି ଅଞ୍ଚଳର ପ୍ରାୟ ୨ ହଜାର ବାସିନ୍ଦା।
ରାସ୍ତାରେ ଛୁଟୁଛି ମଇଳା ପାଣି
ଦହଗଞ୍ଜ ହେଉଛନ୍ତି ଜାଗମରା ତଳସାହି ବାସିନ୍ଦା
ତଳସାହିରେ ଗତ ଡିସେମ୍ବରରୁ ୱାଟ୍କୋ ପକ୍ଷରୁ ସ୍ବେରେଜ୍ ପାଇପ୍ ବିଛାଇବା କାମ ଓ ଚାମ୍ବର ତିଆରି କାମ ଆରମ୍ଭ ହେଲା। ମେ’ ମାସରେ ସରିଲା। ୬ ମାସ କାଳ ଲୋକେ ଯନ୍ତ୍ରଣା ଭୋଗିଲେ। କିନ୍ତୁ ଏହାପରେ ଘର ଆଗରେ ସ୍ବେରେଜ୍ ଟାଙ୍କି ସିନା ତିଆରି ହେଲା, ହେଲେ ଟାଙ୍କିକୁ କେଉଁ ଟ୍ରଙ୍କ୍ ଲାଇନ୍ ସହ ସଂଯୋଗ କରାଗଲା ନାହିଁ। ଫଳରେ ଘରର ମଇଳା, ଡ୍ରେନ୍ କଭର୍ ଉପର ଦେଇ ଘର ଆଗରେ ଭାସୁଛି। ଘରୁ ଗୋଡ଼ କାଢ଼ିଲେ ମଇଳା ପାଣିରେ ଗୋଡ଼ ଦେବାକୁ ହେଉଛି। ଦୁର୍ଗନ୍ଧ ଯୋଗୁ ଘରର ଝରକା, କବାଟ ମଧ୍ୟ ବନ୍ଦ ନ କଲେ ରହିହେଉନି। ସେହିପରି ଭଲ ରାସ୍ତାରେ ପ୍ରତିଦିନ ମଇଳା ପାଣି ଭାସିବା ଯୋଗୁଁ ରାସ୍ତାରେ ଖାଲ ହୋଇଗଲାଣି।
ଏନେଇ ସ୍ଥାନୀୟ ଅଞ୍ଚଳର ରିଙ୍କି ବେହେରାଙ୍କ କହିବା କଥା, ଏବେ ଶ୍ରାବଣ ମାସ ଚାଲିଛି। ପ୍ରତିଦିନ ପରିବାର ଲୋକେ ମନ୍ଦିର ଯାଉଛନ୍ତି। ହେଲେ ଘର ଆଗରେ ମଇଳା ପାଣି ଭାସୁଥିବାରୁ ମନ୍ଦିର ଯିବା ଆଗରୁ ଅଳିଆ ମାଡ଼ି ଯିବାକୁ ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନାହାନ୍ତି। ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର ସୁଜାତା ଛୋଟରାୟ କହିଛନ୍ତି, ଏ ସମସ୍ୟା ନେଇ ୱାଟ୍କୋର କନିଷ୍ଠ ଯନ୍ତ୍ରୀଙ୍କୁ ୨ ଥର ଅଭିଯୋଗ ହୋଇଛି। ଅଞ୍ଚଳରୁ ବାହାରିଥିବା ସ୍ବେରେଜ୍ ଲାଇନ୍ ଜାଗମରା ଟ୍ରଙ୍କ୍ଲାଇନ୍ ସହ ସଂଯୋଗ ହୋଇ ନଥିବାରୁ ସମସ୍ୟା ହେଉଛି। ତେଣୁ ଏହା ସଂଯୋଗ ହୋଇଗଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।