ଭୁବନେଶ୍ବର: ଖଣ୍ଡଗିରି ଥାନା ବାହାଦଲପୁରରେ ଘଟିଥିବା ସ୍ବେରେଜ୍ ଟ୍ୟାଙ୍କର୍ ଚାଳକ ଅଶୋକ ସେଠୀ ହତ୍ୟା ମାମଲାର ଅଭିଯୁକ୍ତ ଜଗନ୍ନାଥ ଧୀବର ଓରଫ୍ ଜଗା ବିଷୟରେ ଏକ ଚାଞ୍ଚଲ୍ୟକର ଖବର ଜଣାପଡ଼ିଛି। ପୂର୍ବରୁ ସେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ପୋଡ଼ିଦେଇଥିଲା। ସେ ଓ ତା’ର ଦୁଇ ସହଯୋଗୀ ଏହି ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିଲେ। ଜଗା ଜଣେ କୁଖ୍ୟାତ ଅପରାଧୀ। ବହୁ ଆପରାଧିକ ମାମଲାରେ ସେ ଜେଲ୍ ଯାଇଥିଲା। ଏଥର ବି ସେ ସାମାନ୍ୟ ମୋବାଇଲ୍ ଫୋନ୍ ପାଇଁ ଅଶୋକଙ୍କୁ ଜଗ୍ ରଡ୍ରେ ପିଟିପିଟି ହତ୍ୟା କରିଛି। ଆଜି ତାକୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିବା ଅବସରରେ ଭୁବନେଶ୍ବର ଡିସିପି ପ୍ରତୀକ୍ ସିଂ ଏସବୁ ସୂଚନା ଦେଇଛନ୍ତି। ଜଗାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି। କୋର୍ଟ ଚାଲାଣ ପୂର୍ବରୁ ପୁଲିସ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରାଇଥିଲା। ଅଶୋକଙ୍କୁ କିଭଳି ଜଗା ଜଗ୍ ରଡ୍ରେ ପିଟିପିଟି ହତ୍ୟା କରିଥିଲା, ସେ ସେସବୁର ଡେମୋ ଦେଖାଇଥିଲା।
ମୋବାଇଲ୍ ପାଇଁ ମାରିଦେଲା
ଏପ୍ରିଲ୍ ୨୬ ତାରିଖରେ ଜଗା ବାହାଦଲପୁରର ବିପିନ ବିହାରୀ ମୁଖିଙ୍କୁ ଭେଟି ଟ୍ୟାଙ୍କର ଚାକଳ ଭାବେ କାମ କରିବାକୁ କହିଥିଲା। ବିପିନଙ୍କର ଦୁଇ ଚାରିଟି ସ୍ବେରେଜ୍ ଟ୍ୟାଙ୍କର ଥିବା ବେଳେ ତାଙ୍କର ଏକ ଡ୍ରାଇଭର ଆବଶ୍ୟକ ଥିବାରୁ ସେ ତାକୁ କାମରେ ରଖିଥିଲେ। ମାତ୍ର ତା’ ଭିତରେ ଛପି ରହିଥିବା ଏକ କୁଖ୍ୟାତ ଅପରାଧୀକୁ କେହି ବୁଝିପାରିନଥିଲେ। ମାଲିକ ବିପିନଙ୍କ ପାଖରେ ଅଶୋକ ସେଠୀ ବହୁ ଦିନ ଧରି କାମ କରୁଥିଲେ। ତେଣୁ ସ୍ବାଭାବିକ ଭାବେ ମାଲିକ ଓ ଅଶୋକଙ୍କ ଭିତରେ ଘନିଷ୍ଠତା ଥିଲା। କିନ୍ତୁ ଜଗା ଏହାକୁ ସହଜରେ ଗ୍ରହଣ କରିପାରୁନଥିଲା। ବଡ଼ କଥା ହେଉଛି, ତା’ ଭିତରର ଅପରାଧୀଟି ସବୁବେଳେ ଅପରାଧ ଘଟାଇବା ମୁଡ୍ରେ ରହୁଥିଲା। କାମ କରିବା ଭିତରେ ସେ ଅଧିକାଂଶ ସମୟରେ ମୋବାଇଲ୍ରେ ବ୍ୟସ୍ତ ରହୁଥିବାରୁ କାମ ଖରାପ ହେଉଥିଲା।
ଏକଥା ମାଲିକ ବିପିନଙ୍କ ନଜରକୁ ଆସିବାରୁ ସେ ତା’ର ମୋବାଇଲ୍ ଫୋନ୍ ସେଟ୍କୁ ବଦଳାଇ ଦେଇଥିଲେ। ତା’ଠାରୁ ଆଣ୍ଡ୍ରଏଡ୍ ସେଟ୍ ନେଇ ଏକ କି-ପ୍ୟାଡ୍ ସେଟ୍ ଦେଇଥିଲେ। ଉକ୍ତ ସେଟ୍କୁ ବିପିନ ଅଶୋକଙ୍କୁ ଦେଇଦେଲେ। ତେଣୁ ଜଗା ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ମାଲିକ ବିପିନ ଅଶୋକଙ୍କ କାନ କୁହା କଥାରେ ତା’ ମୋବାଇଲ୍ ବଦଳାଇଦେଲେ ବୋଲି ଜଗା ରାଗରେ ଜଳିଉଠିଥିଲା। ମନେମନେ ରକ୍ତଚାଉଳ ଚୋବାଉଥିବା ପ୍ରତିଶୋଧ ନେବାକୁ ସେ ପ୍ରସ୍ତୁତ ହୋଇରହିଲା। ଗତ ମଙ୍ଗଳବାର ରାତିରେ ସେମାନେ ଭୋଜି କରିବା ଅବସରରେ ମିଶିକି ମଦ ପିଇଥିଲେ। ଏତିକିବେଳେ ଜଗା ମୋବାଇଲ୍ ଫୋନ୍ କଥା ଉଠାଇ ଅଶୋକ ସହ ଝଗଡ଼ା ଆରମ୍ଭ କଲା। ଫଳରେ ଉଭୟଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ତେବେ ଅନ୍ୟ ଜଣେ ଚାଳକ କେନାଲୁ ସେମାନଙ୍କୁ ଅଲଗା କରିଥିଲା ଏବଂ ଅଶୋକଙ୍କୁ ନେଇ ଅଲଗା ରୁମ୍ରେ ଛାଡ଼ିଆସିଥିଲା। ଏହା ପରେ ସମସ୍ତେ ଶୋଇବାକୁ ଯାଇଥିଲେ। କିନ୍ତୁ ଜଗା ଏକ ଜଗ୍ ରଡ୍ ଧରି ଅଶୋକଙ୍କ ରୁମ୍କୁ ଯାଇ ଅତର୍କିତ ଆକ୍ରମଣ କଲା। ଜଗ୍ ରଡ୍ ମାଡ଼ରେ ଅଶୋକ ସଂଜ୍ଞାହୀନ ହୋଇପଡ଼ିବା ପରେ ଜଗା ତାଙ୍କ ଗଞ୍ଜିରେ ବେକକୁ ଭିଡ଼ି ଧରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଶୋକଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଚାଳକମାନେ ଓ ମାଲିକ ବିପିନ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ସରିଯାଇଥିଲା।
ପୂର୍ବରୁ ବି ଜଗା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ
ସୂଚନାନୁସାରେ ପାଳଲହଡ଼ା ଅଞ୍ଚଳର ଜଗା ଜଣେ ଅଭ୍ୟାସଗତ କୁଖ୍ୟାତ ଅପରାଧୀ। ୨୦୧୬ ମସିହାରେ ସେ ପାଳଲହଡ଼ା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ରାସ୍ତାରୁ ଅପହରଣ କରିନେବା ପରେ ଦୁଷ୍କର୍ମ କରି ହତ୍ୟା କରିଥିଲା। ସେ ଓ ତା’ର ଦୁଇ ସହଯୋଗୀ ମିଶି ଜଣେ ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଏକ ଇଟାଗଦା ଭିତରେ ଜାଳିଦେଇଥିଲେ। ସେତେବେଳେ ସେହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ତେବେ ପାଳଲହଡ଼ା ପୁଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଦୁଇ ବର୍ଷ ଜେଲ୍ରେ କାଟିବା ପରେ ସେ ୨୦୧୮ ମସିହାରେ ତାକୁ ଜାମିନ୍ ମିଳିଯାଇଥିଲା। ଜେଲ୍ରୁ ଫେରିବା ପରେ ଜଗା ସ୍ଥାନୀୟ ଅଞ୍ଚଳରେ ଭାଇଗିରି ଦେଖାଇବା ଆରମ୍ଭ କରିଦେଇଥିଲା।
ଗୁଣ୍ଡାଗର୍ଦ୍ଦି କରି ବଟି ଆଦାୟ କରିବା ଆରମ୍ଭ କରିଥିଲା। ତେଣୁ ୨୦୨୦ ମସିହାରେ ଅନୁଗୁଳ ପୁଲିସ ପୁଣି ତାକୁ ଗିରଫ କରିଥିଲା। କିଛି ଦିନ ଜେଲ୍ରେ ରହି ସେ ପୁଣି ଜାମିନ୍ରେ ଆସିଥିଲା। ୨୦୨୨ ମସିହା ଡିସେମ୍ବରରେ ସେ ପୁଣି ଏକ ବଡ଼ଧରଣର ଅପରାଧ ଘଟାଇ ଫେରାର୍ ହୋଇଯାଇଥିଲା। ଅନୁଗୁଳ ପୁଲିସ ତାକୁ ଖୋଜୁଥିବା ବେଳେ ସେ ରାଜଧାନୀକୁ ଚାଲିଆସି ଲୁଚିଥିଲା। ଅଗୁଗୁଳ ପୁଲିସ ପାଇଁ ସେ ଥିଲା ମୋଷ୍ଟ ୱାଣ୍ଟେଡ୍।