ବରମୁଣ୍ଡା ଆପ୍ରୋଚ୍‌ ରୋଡ୍‌ରେ ଭାସୁଛି ନର୍ଦମା ପାଣି: ଭୋଗୁଛନ୍ତି ସାଧାରଣ ଜନତା ଦାୟିତ୍ବ ନେବାକୁ କେହି ପ୍ରସ୍ତୁତ ନୁହନ୍ତି ବଢ଼ୁଛି ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ଖଣ୍ଡଗିରି: ବରମୁଣ୍ଡା ଓଭରବ୍ରିଜ୍ ଆପ୍ରୋଚ୍‌ ରୋଡ୍‌ରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ଏହି ରାସ୍ତା ବସ୍‌ଷ୍ଟାଣ୍ଡ୍‌କୁ ଯା’ଆସ କରୁଥିବା ଯାତ୍ରୀ ଓ ବରମୁଣ୍ଡା ଗ୍ରାମବାସୀଙ୍କ ଯାତାୟାତର ପ୍ରମୁଖ ରାସ୍ତା। କିନ୍ତୁ ଏଥିପ୍ରତି କାହାର ନଜର ନାହିଁ। ରାସ୍ତାଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଥିବାରୁ ବିଏମ୍‌ସି ଦାୟିତ୍ବ ନେବାକୁ ପ୍ରସ୍ତୁତ ନୁହେଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବି ସତେଯେମିତି ଆଖି ବୁଜି ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏନ୍ଏଚ୍-୧୬ ବରମୁଣ୍ଡା ଓଭରବ୍ରିଜ୍ କଡ଼ ଅପ୍ରୋଚ୍ ରୋଡ୍‌ରେ ପ୍ରତିଦିନ ହଜାରହଜାର ସଂଖ୍ୟାରେ ଯାତ୍ରୀ ଯାତାୟାତ କରୁଛନ୍ତି। କେବଳ ବରମୁଣ୍ଡାବାସୀ ନୁହନ୍ତି, କଳିଙ୍ଗ ବିହାର, ଖଣ୍ଡଗିରି, ପାତ୍ରପଡ଼ା, ଆଇଗିଣିଆ ଲୋକଙ୍କ ପାଇଁ ଏହା ନିତିଦିନିଆ ରାସ୍ତା। ରାସ୍ତାଟି ସବୁବେଳେ ଭିଡ଼ ହେଉଥିବାରୁ ଯଦି କେବେ କୌଣସି ବସ୍ ଏହି ସ୍ଥାନରେ ଅଟକେ, ତେବେ ବାଇକ୍ ଚାଳକଙ୍କୁ ନର୍ଦମା ପାଣିରେ ପଶିବାକୁ ପଡ଼େ। ଏପରିକି ବେଳେବେଳେ ପଥଚାରୀଙ୍କ ଉପରେ ନର୍ଦ୍ଦମା ପାଣି ପଡ଼ିଥାଏ। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୧୦ଦିନ ହେଲା ଏହି ଆପ୍ରୋଚ୍‌ ରୋଡ୍‌ରେ ନର୍ଦ୍ଦମା ପାଣି ଲହଡ଼ି ଭାଙ୍ଗୁଛି। ରାସ୍ତାକଡ଼ରେ ଥିବା ଡ୍ରେନ୍‌ଟି ପୋତି ହୋଇ ଏଥିରେ ଅନାବନା ଗଛ ଉଠି ଯାଇଛି। ଫଳରେ ତାହା ଜାମ୍‌ ହୋଇ ପାଣି ନିଷ୍କାସନ ହୋଇପାରୁନି। ପାଣି ଉଛୁଳି ରାସ୍ତାରେ ଭାସୁଛି।

ଏ ସମ୍ପର୍କରେ ବିଏମ୍‌ସି ଓ ଏନ୍‌ଏଚ୍‌ଏଆଇକୁ ଲୋକମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଏହାର ସମାଧାନ ପାଇଁ କୌଣସିସ୍ତରରେ ତତ୍ପରତା ପ୍ରକାଶ ପାଉନାହିଁ। ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ବିଏମ୍‌ସିର ନିର୍ବାହୀଯନ୍ତ୍ରୀ ପି. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାମ। ବିଏମ୍‌ସି କିଛି କରିପାରିବ ନାହିଁ। ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧିତ ଖବର