ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି: ପିଇବା ପାଣିରେ ମିଶୁଛି, ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଞ୍ଚଳ

ଭୁବନେଶ୍ବର: ଦୁଇ ଦିନର ଲଗାଣ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ ହୋଇଯାଇଥିଲା। ଫ୍ଲାଟ ଠାରୁ ବସ୍ତି ଯାଏ ଲୋକେ ବର୍ଷା ପାଣିରେ କଲବଲ ହୋଇଥିଲେ। ଏବେ ବର୍ଷା ପାଣି ଛାଡ଼ି ଯାଇଛି। ହେଲେ ଦୁର୍ଦ୍ଦଶା କମିନି। ରାଜଧାନୀର ଅନେକ ଅଞ୍ଚଳରେ ବାସିନ୍ଦା ମଇଳା ପାଣିରେ ହନ୍ତସନ୍ତ ହେଉଛନ୍ତି। ଭିଏସଏସ୍ ନଗର ବାଦାମବାଡ଼ି ଛକ, ପଥରବନ୍ଧ ବସ୍ତି ରାସ୍ତା, କଳିଙ୍ଗ ହସ୍ପିଟାଲ ଟ୍ରାଫିକ ଛକ, ଜିଜିପି ପୋଷ୍ଟାଲ କଲୋନିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭିଏସ୍‌ଏସ ନଗର ଭିଏମ୍‌ ଓ ଏଏମ୍‌ କଲୋନି ରାସ୍ତାରେ ମାସ ମାସ ଧରି ସ୍ବେରେଜ ପାଣି ଲହଡ଼ି ମାରୁଛି। ଦୀର୍ଘ ଦିନ ହେଲା ସ୍ୱଳ୍ପ ପରିମାଣରେ ପାଣି ବହୁଥିବା ବେଳେ ଗତ ବର୍ଷା ପରେ ରାସ୍ତାରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି। ଲୋକମାନେ ଦୂଷିତ ପାଣିରେ ଯିବାଆସିବା କରୁଛନ୍ତି। ରାସ୍ତାରେ ବଡ଼ ବଡ଼ ଗାତ ହୋଇଯାଇଛି, ଫଳରେ ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି।

ଦୀର୍ଘ ଦିନ ଧରି ନର୍ଦ୍ଦମା ପାଣି ବୋହିବା ଫଳରେ କଳିଙ୍ଗ ହସ୍ପିଟାଲ ଟ୍ରାଫିକ ଛକ ରାସ୍ତାରୁ ପିଚୁ ଉଠି ଗଲାଣି। ପାଣି ସୁଅ ଯୋଗୁଁ ବଡ଼ ବଡ଼ ଗାତ ହୋଇଗଲାଣି। ଦୀର୍ଘଦିନ ଧରି ରାସ୍ତାରେ ପାଣି ଜମି ରହି ଶିଉଳି ମଧ୍ୟ ଲାଗିଗଲାଣି। ଲୋକମାନେ ସେହି ପାଣିରେ ପଶି ଯା’ଆସ କରୁଛନ୍ତି। ସେହି ବାଟ ଦେଇ ନେତା, ମନ୍ତ୍ରୀ, ଅଫିସର ଯାଉଥିଲେ ମଧ୍ୟ କାହା ନଜରରେ ପଡ଼ୁନି। ଦେଖି ନ ଦେଖିଲା ପରି ସମସ୍ତେ ନିଜ ନିଜ ବାଟରେ ଚାଲି ଯାଉଛନ୍ତି। ଅପରିଷ୍କାର ପାଣି ଛିଟିକା ଲୋକଙ୍କ ଉପରେ ପଡ଼ିବା ଫଳରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ବେଳେବେଳେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ସେହିପରି ଜିଜିପି କଲୋନି ୧୮ ଓ ୧୯ ନମ୍ବର ୱାର୍ଡରେ ଅଧିକାଂଶ ସମୟରେ ପିଇବା ପାଣିରେ ସ୍ବେରେଜ ପାଣି ମିଶୁଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ ବୋଲି କହିଛନ୍ତି। ମୁଖ୍ୟ ରାସ୍ତାମାନଙ୍କରେ ଯଦି ଏଭଳି ଅବସ୍ଥା ତାହେଲେ ରାଜଧାନୀର ଗଳିକନ୍ଦି ଓ ବସ୍ତି ମାନଙ୍କରେ କିପରି ପରିସ୍ଥିତି ଥିବ ତାହା ସହଜରେ ଅନୁମେୟ।
ଭିଏସଏସ୍ ନଗର ବାସିନ୍ଦା ସୁବ୍ରତ ପାଣିଗ୍ରାହୀ ଓ ସୌମ୍ୟରଞ୍ଜନ ପ୍ରଧାନ କୁହନ୍ତି, ବର୍ଷା ହେବା ଦ୍ବାରା ଗତ କିଛି ଦିନ ହେଲା ଘର ଆଗରେ ସ୍ବେରେଜ ପାଣି ଲହଡ଼ି ମାରୁଛି। ପଚା ପାଣି ଜମି ରହୁଥିବାରୁ ଦୁର୍ଗନ୍ଧ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଅଧିକାରୀ ସ୍ବେରେଜ ଟାଙ୍କି ସଜାଡୁନାହାନ୍ତି। ସେହିପରି ଜିଜିପି କଲୋନିର କୁଳମଣି ନାୟକ ସରକାରୀ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ଏଭଳି ସମସ୍ୟା ଭୋଗୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର