ଜଟଣୀ: ପୌରପାଳିକା ୩ନଂ ୱାର୍ଡ ଅନ୍ତର୍ଗତ ରାଜାବଜାରରୁ ରେଲୱେ ରେତଙ୍ଗ କଲୋନି ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି। ଫଳରେ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଥିଲେ ବି ପ୍ରଶାସନର ନଜର ପଡୁନି। ଯେଉଁଥିପାଇଁ ରାସ୍ତାରେ ସାଧାରଣ ଲୋକେ ଯିବାଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅନେକଥର ପୌରପରିଷଦ ଓ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେଣୁ ଆଗକୁ ଯଦି ସମସ୍ୟାର ସମାଧାନ ନ ହୁଏ ତାହାଲେ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ୱାର୍ଡଟି ରେଳବାଇ ଅଧୀନରେ ଆସୁଛି ଓ ଉକ୍ତ ରାସ୍ତାଟି ରେଳ ବିଭାଗ ମୁଖ୍ୟ ରାସ୍ତା। ରାସ୍ତାର ଗୋଟିଏ ପାର୍ଶ୍ୱରେ ପୌରପାଳିକାର ନର୍ଦ୍ଦମା ଥିବା ବେଳେ ଅପରପାର୍ଶ୍ୱରେ ଥିବା ଡ୍ରେନ୍ ରେଳବାଇ ମୁଖ୍ୟ ନାଳକୁ ସଂଯୋଗ କରୁଛି। ଏହାର ସଂଯୋଗସ୍ଥଳରେ ଏକ କଲ୍ଭର୍ଟ ନିର୍ମାଣ ହୋଇ ନର୍ଦ୍ଦମା ପାଣି ନିଷ୍କାସନ ହୋଇଥାଏ। ବର୍ତ୍ତମାନ ନିର୍ମାଣାଧୀନ କଲଭର୍ଟଟି ସମ୍ପୂର୍ଣ୍ଣ ନଷ୍ଟ ହେବା ଫଳରେ ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଅନବରତ ପାଣି ବୋହିବା କାରଣରୁ ରାସ୍ତାରେ ଶିଉଳି ଭର୍ତ୍ତି ହୋଇଗଲାଣି। ଯେଉଁଥିପାଇଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ବୋଲି ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦା ରବୀନ୍ଦ୍ର ପ୍ରସାଦ କହିଛନ୍ତି ଯେ, ଏ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ନା ରେଳ ବିଭାଗ ସମାଧାନ କରୁଛି ନା ପୌର ପ୍ରଶାସନ। ଘରୁ ବାହାରିଲେ ଏହି ନାଳର ପଚାପାଣି ଦେଇ ଯିବାକୁ ପଡ଼ୁଛି। ବିଦ୍ୟାଳୟକୁ ଛୋଟ ପିଲାମାନେ ଯାତାୟାତ କରିବାରେ ମଧ୍ୟ ଘୋର ସମସ୍ୟା ହେଉଛି। କାଉନସିଲର୍ ସଂଗ୍ରାମ କେଶରୀ ରାଉତରାୟ କହିଛନ୍ତି ଯେ, ରେଲୱେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଳବାଇ ପ୍ରଶାସନ ଡ୍ରେନ୍କୁ ପୋତି ଦେଇଛି। କଲଭର୍ଟ ପକାଇ ନୂତନ ଡ୍ରେନ୍ କାମ କରୁନାହାନ୍ତି।