ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ବିଗବଜାର ଛକରୁ ସତ୍ୟନଗର ସାଇ ମନ୍ଦିର ରାସ୍ତାରେ ଦେଖିବାକୁ ମିଳିଛି ଆବର୍ଜନା ପାଣି ନିଷ୍କାସନର ବିକଳ ଚିତ୍ର। ଯାହା ସାହିବାସିନ୍ଦାଙ୍କୁ କଲବଲ କରୁଛି। ଦୁର୍ଗନ୍ଧରେ ଆଖପାଖ ଲୋକେ ରହି ପାରୁନାହାନ୍ତି। ସେପଟେ ଦୈନିକ ଏହି ରାସ୍ତାରେ ଲୋକେ ଗାଡ଼ିମୋଟର ନେବା ବେଳେ ଅନ୍ୟମନସ୍କରେ କଚଡ଼ା ଖାଉଛନ୍ତି। ମାସ ମାସ ଧରି ରାସ୍ତାରେ ଶୌଚ ଓ ଆର୍ବଜନା ପାଣି ଏଭଳି ରାସ୍ତାରେ ଭାସୁଥିଲେ ବି ମହାନଗର ନିଗମ କର୍ତ୍ତୃ୍ପକ୍ଷଙ୍କ ଏହା ଉପରେ ନଜର ପଡ଼ୁନି। ଶେଷରେ ବାଧ୍ୟ ହୋଇ ନାଳନର୍ଦ୍ଦମାର ପାଣି ଭାସୁଥିବା ସ୍ଥାନରେ ଅଞ୍ଚଳବାସୀ ବାଉଁଶ ପୋତି ଲୋକଙ୍କୁ ସତର୍କ କରାଇଛନ୍ତି।
ବିଗ୍ବଜାର ଛକରୁ ସତ୍ୟନଗର ସାଇମନ୍ଦିର ୩୪ ନମ୍ବର ୱାର୍ଡରେ ଆସୁଛି। ନାଳ ଜାମ୍ କାରଣରୁ ଆବର୍ଜନା ପାଣି ନିଷ୍କାସିତ ହୋଇ ନପାରି ରାସ୍ତାରେ ବହୁଛି। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଚାହିଥିଲେ, ଏହି ସ୍ଥାନରେ ଥିବା ଚାମ୍ବରକୁ ସଫା କରି ଆବର୍ଜନା ପାଣି ନିଷ୍କାସନ ବାଟକୁ ସୁଗମ କରିପାରନ୍ତା। କିନ୍ତୁ ସେ ୱାର୍ଡ ଅଧିକାରୀ ହୁଅନ୍ତୁ କି ଜୋନାଲ୍ ଅଧିକାରୀ, କାହାରି ଏଥିପ୍ରତି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗତ ୱାର୍ଡସ୍ତରୀୟ ଅଭିଯୋଗ ଶୁଣାଣିରେ ବି ଏହି ପ୍ରସଙ୍ଗରେ ଅଞ୍ଚଳବାସୀ ହୋହଲ୍ଲା କରିଥିଲେ। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଉପସ୍ଥିତ ଅଧିକାରୀ, ଯନ୍ତ୍ରୀ ବି ଏହି ପ୍ରସଙ୍ଗ ଖାତାରେ ଟିପି ରଖି ପ୍ରତିକାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ଅଭିଯୋଗ ଶୁଣାଣିକୁ ସପ୍ତାହେ ବିତିଲାଣି, ଅଥଚ ଡ୍ରେନ୍ ପାଣି ସେହିଭଳି ରାସ୍ତାରେ ଭାସୁଛି। ଅପରପକ୍ଷେ ଏତେଦିନ ଧରି ଆବର୍ଜନା ପାଣି ରାସ୍ତାରେ ଭାସିବା ଫଳରେ ଏହା ଘାସ ଜଙ୍ଗଲ ହୋଇଗଲାଣି। ଶିଉଳି ଆସ୍ତରଣ ବସିଗଲାଣି। ଅଧାରୁ ଅନେକ ସମୟରେ ଏଠାରେ ଛୋଟବଡ଼ ଦୁର୍ଘଟଣା ବି ଘଟୁଛି। ଏଣୁ ବଡ଼ ଦୁର୍ଘଟଣା ପୂର୍ବରୁ ମହାନଗର ନିଗମ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
କେବଳ ସେତିକି ନୁହେଁ, ସତ୍ୟନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଡ୍ରେନ୍ ଓ ସ୍ୱେରେଜ ଲାଇନ ଫାଟି ରାସ୍ତାରେ ପାଣି ଜମାହେଉଛି। ବିଶେଷ କରି କୋଣାର୍କ ଟେଲର୍ଠାରୁ ପ୍ଲଟ୍ ନମ୍ୱର ୧୩୧ ମଧ୍ୟରେ ମଇଳା ପାଣି ଜମା ହୋଇରହିଛି। ଲୋକସଂଖ୍ୟା ଅନୁସାରେ ସ୍ୱେରେଜ ପାଇପର ମୋଟେଇ ହୋଇନଥିବାରୁ ରାସ୍ତାରେ ମଇଳା ପାଣି ଭାସୁଛି। ପୁଣି ସେଠିକାର କିଛି ଲୋକ ରାସ୍ତାରେ ନିଜର ଘରର ଆବର୍ଜନା ପାଣି ମଧ୍ୟ ରାସ୍ତାକୁ ଛାଡ଼ି ଦେଉଛନ୍ତି। ଫଳରେ ସେହି ଅଞ୍ଚଳରେ ରହୁଥିବା ୨୦୦ରୁ ଉର୍ଦ୍ଧ୍ୱ ଲୋକ ହନ୍ତସନ୍ତ ହେଉଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ୧୯୬୦ ମସିହାରେ ୬ ଇଞ୍ଚିଆ ପାଇପ ଚଳି ଯାଉଥିଲା। ହେଲେ ବର୍ତ୍ତମାନ ଏହି ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ଫଳରେ ସେହି ମୋଟେଇର ପାଇପ ଆଉ କାମ କରୁନାହିଁ ଓ ରାସ୍ତାରେ ମଇଳା ପାଣି ଭାସୁଛି। ତେଣୁ ଅଞ୍ଚଳବାସୀ ଏଠାରେ ୧୦ ଇଞ୍ଚିଆ ପାଇପ ପାଇଁ ଦାବି କରିଛନ୍ତି। ଏନେଇ ଵାଟ୍କୋର କନିଷ୍ଟ ଯନ୍ତ୍ରୀ ଗିରିଜାନନ୍ଦିନୀ ପତି କହିଛନ୍ତି, ଆଜି ଏହି ଅଞ୍ଚଳର କଥା ଆଲୋଚନା ହୋଇଛି। ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।