ଖଣ୍ଡଗିରି : ରାସ୍ତାରେ ଲହଡ଼ି ମାରୁଛି ପାଇଖାନା ପାଣି। ଗନ୍ଧରେ ଫାଟି ପଡ଼ୁଛି ସାରା କଲୋନି। ବାହାର କ’ଣ ଘର ଭିତର ବି ଦୁର୍ଗନ୍ଧରେ ରହିହେଉ ନାହିଁ। ଏମିତି ପୂତିଗନ୍ଧମୟ ପରିବେଶରେ ରହିବାକୁ ପଡ଼ୁଛି। ଏହା କୌଣସି ଗାଁ କି ବସ୍ତିର ଅବସ୍ଥା ନୁହେଁ। ରାଜଧାନୀର ଏକ ଦାମୀ ହାଉସିଂବୋର୍ଡ କଲୋନିର ଅବସ୍ଥା। କଳିଙ୍ଗବିହାର କେ-୪ ଓ କେ-୬ର ବାସିନ୍ଦାମାନଙ୍କ ଦୁଃଖ। ସ୍ୱେରେଜ୍ କାମ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଏଭଳି ଅବସ୍ଥା। ବିଡିଏ ଓ ସ୍ୱେରେଜ୍ ବୋର୍ଡ ମଧ୍ୟରେ ବୁଝାମଣା ହୋଇପାରୁ ନଥିବାରୁ ଲୋକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି।
ଏଠିକାର ଅଧିବାସୀମାନଙ୍କ ଅଭିଯୋଗ ଅନୁସାରେ ଗତ କିଛି ବର୍ଷ ହେଲା ଏଭଳି ଅବସ୍ଥା ଲାଗି ରହିଛି। ବହୁ ଘରର ପାଇଖାନା ଟାଙ୍କିରୁ ମଇଳା ଉଛୁଳି ରାସ୍ତାକୁ ବହି ଆସୁଛି। ସେହିଭଳି କିଛି କିଛି ସ୍ଥାନରେ ସ୍ୱେରେଜ୍ ଲାଇନ୍ ଜାମ୍ ହୋଇଯିବାରୁ ମଇଳା ରାସ୍ତା ଉପରକୁ ମାଡ଼ି ଆସୁଛି। ସ୍ୱେରେଜ୍ କାମ ହୋଇ ନଥିବାରୁ ଏଭଳି ଅବସ୍ଥା। ପୂର୍ବରୁ ଏହି ଅଞ୍ଚଳ ଭୁବନେଶ୍ୱର ମହାନଗର ନିଗମରେ ସାମିଲ୍ ହୋଇ ନଥିଲା। ମାତ୍ର ଭୁବନେଶ୍ୱର ମହାନଗର ନିଗମ ଏହି ଅଞ୍ଚଳକୁ ନିଜ ପରିସରକୁ ନେବା ପରେ ବି ଅବସ୍ଥା ସୁଧୁରୁବା ନାଁ ଧରୁନି। ବିଡିଏ ଗୃହ ନିର୍ମାଣ କରି ଲୋକଙ୍କୁ ହସ୍ତାନ୍ତର କରିଦେଲା, କିନ୍ତୁ ସ୍ୱେରେଜ୍ ଲାଇନ୍ କାମ ବାକି ରହିଗଲା। ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ବି ଅଧାପନ୍ତରିଆ ହୋଇ ରହିଗଲା। କେବଳ ଦୁଇଟି ଗଡ଼ିଆ ଖୋଳାରେ ଆବର୍ଜନା ପ୍ଲାଣ୍ଟ୍ ଅଟକିଗଲା। ବିଡିଏର ଅଧା କାମ ପାଇଁ ସ୍ୱେରେଜ୍ ବୋର୍ଡ ଏହି ଦାୟିତ୍ୱ ମୁଣ୍ଡାଇଲା ନାହିଁ। ଫଳରେ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିଭଳି ବହୁ ଘରର ପାଇଖାନା ଟାଙ୍କି କାମ ଖରାପ ହୋଇଥିବା ବି ଅଭିଯୋଗ ହେଉଛି। ଫଳରେ ମଇଳା ସବୁ ରାସ୍ତାକୁ ଚାଲି ଆସିବା ସାର ହେଉଛି। ଏ ନେଇ ବିଏମ୍ସି ପର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କିଛି ଫଳ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ କିଛି ବାସିନ୍ଦା ମଧ୍ୟ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି। ବିଡିଏ ଘର ହସ୍ତାନ୍ତର କରିବା ପରେ ପ୍ରାୟ ବହୁ ଘର ବହୁତଳ ପ୍ରାସାଦ ହୋଇଛି। ବହୁ ଘର ମାଲିକ ଘରକୁ ଭଡ଼ାରେ ଦେଇ ବାହାରେ ରହୁଛନ୍ତି। ମେସ୍ ପାଇଁ ଭଡ଼ାରେ ଲାଗିବା କାରଣରୁ ଗୋଟିଏ ଗୋଟିଏ ଘରେ ୩୦/୪୦ ଲୋକ ରହୁଛନ୍ତି। ମାତ୍ର ପାଇଖାନା ଟାଙ୍କିକୁ ଘର ମାଲିକ ବଢ଼ାଇ ନାହାନ୍ତି। ଫଳରେ କମ୍ ଦିନରେ ସେହି ସବୁ ଟାଙ୍କି ଭର୍ତି ହୋଇ ଉଛୁଳି ପଡ଼ୁଛି। ଏମିତି ଅବସ୍ଥାରେ ଯଦି ଘର ମାଲିକମାନେ ନିଜ ଖର୍ଚ୍ଚରେ ପାଇଖାନା ଟାଙ୍କି ସଫା କରାଇବାକୁ ପଦକ୍ଷେପ ନିଅନ୍ତେ, ତେବେ ବହୁ ମାତ୍ରାରେ ଏଭଳି ଅବସ୍ଥା ଉପୁଜନ୍ତା ନାହିଁ। କିନ୍ତୁ ସମସ୍ତେ ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରି ବସୁଛନ୍ତି। ପାଇଖାନା ମଇଳା ରାସ୍ତା ଉପରକୁ ଗଲେ, ସେମାନଙ୍କର କିଛି ଯାଏ ଆସେ ନାହିଁ। ଭଡ଼ା ଦେଇ ସେମାନେ ବାହାରେ ରହୁଥିବା ବେଳେ କଲୋନି ବାସିନ୍ଦାମାନେ ଭୋଗୁଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମର ଜଣେ ଅଧିକାରୀଙ୍କ କହିବା କଥା ବିଡିଏ ଓ ସ୍ୱେରେଜ୍ ବୋର୍ଡ ଟଣାଓଟରା ପାଇଁ ଏଭଳି ଅବସ୍ଥା। ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି ଓ ଖୁବ୍ ଶୀଘ୍ର ସ୍ୱେରେଜ୍ କାମ ଶେଷ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/arjuna-kalinga-vihar.jpg-f.jpg)