ସ୍ବେରେଜ୍ ଯନ୍ତ୍ରଣାରୁ ମୁକ୍ତି କେବେ?

୬ ଡିଷ୍ଟ୍ରିକ୍ଟରୁ ଗୋଟିଏରେ କାମ ଆରମ୍ଭ ହୋଇନି, ୨ଟିରେ ଅଧା କାମ ବି ସରିନି

ଭୁବନେଶ୍ବର: ରାଜଧାନୀର ତରଳ ବର୍ଜ୍ୟଗୁଡ଼ିକୁ ବିଶୋଧନ କରିବା ପାଇଁ ‘ଇଣ୍ଟିଗ୍ରେଟେଡ୍ ସ୍ବେରେଜ୍ ସିଷ୍ଟମ୍’ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୨୦୧୦ ମସିହାରୁ ରାଜଧାନୀରେ ରାସ୍ତା ଖୋଳା ହୋଇ ପାଇପ୍ ବିଛା ଯିବା ସହ ମ୍ୟାନ୍‌ହେ‌ାଲ୍ କରାଯାଉଛି। ୨୦୧୩ ମସିହାରୁ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସ୍ବେରେଜ୍ ଟ୍ରିଟମେଣ୍ଟ କାର୍ଯ୍ୟକ୍ଷମ ହୋଇପାରିଲାନି। ‌ରାଜଧାନୀବାସୀଙ୍କୁ ସ୍ବେରେଜ୍‌ ଜାଲ ଭଳି ଛନ୍ଦି ଦେଇଛି। ଯେଉଁଠିକୁ ଯାଉଛନ୍ତି, ସେଠାରେ ସ୍ବେ‌ରେଜ୍‌ ଲାଇନ୍ ବିଛାଇବାକୁ ୧୦ଫୁଟ୍‌ ଲେଖାଏଁ ଖୋଳା ଯାଇଛି। କେବେ ସ୍ବେରେଜ୍ ଯନ୍ତ୍ରଣାରୁ ରକ୍ଷା ମିଳିବ, ରାଜଧାନୀବାସୀ ପ୍ରମାଦ ଗଣୁଥିବା ବେଳେ ଏବେ ନଗର ଉନ୍ନୟନ ବିଭାଗର ଆକଳନ କହୁଛି ୨୦୨୧ରେ ହିଁ ରାଜଧାନୀର ସ୍ବେରେଜ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଅପରପକ୍ଷେ ସ୍ବେରେଜ୍ ଲାଇନ୍ ବିଛାଇବା ଏବଂ ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଯେପରି ହେଉଛି, ସେଥିରେ ନିକଟ ଭବିଷ୍ୟତରେ ବି ଏହା ଶେଷ ହେବା ଭଳି ଲାଗୁନି। ରାଜଧାନୀକୁ ୬ଟି ଡିଷ୍ଟ୍ରିକ୍ଟରେ ବିଭକ୍ତ କରି କାମ ହେଉଥିବା ବେଳେ ୫ଟିରେ କାମ ଚାଲିଛି। ଗୋଟିଏ ଡିଷ୍ଟ୍ରିକ୍ଟରେ ଏପର୍ଯ୍ୟନ୍ତ କାମ ‌ଆରମ୍ଭ ହୋଇନି। ଏପରିକି ୫ଟି ଯାକ ଡିଷ୍ଟ୍ରିକ୍ଟରେ ଦୀର୍ଘ ବର୍ଷ ହେଲା କାମ ହେଉଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ପ୍ରକଳ୍ପକୁ ଛାଡ଼ି ଦେଲେ କେଉଁଠି ବି ଅଧା କାମ ହୋଇନି। ଦୁଇଟି ସ୍ଥାନରେ (ଡିଷ୍ଟ୍ରିକ୍ଟ୨ ଓ ୩ରେ) ୨୦%କାମ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ (ଡିଷ୍ଟ୍ରିକ୍ଟ-୬)ରେ ସର୍ବାଧିକ ୬୪% କାମ ହୋଇଛି। ତେଣୁ ବର୍ତ୍ତମାନର କାମ କରିବାର ଶୈଳୀକୁ ଦେଖିଲେ ଆସନ୍ତା ୫ବର୍ଷ ଭିତରେ ବି ଏହା ସରିବା ଭଳି ଦେଖାଯାଉନି। କିନ୍ତୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ୨୦୨୦ ଡିସେମ୍ବର ସୁଦ୍ଧା ରାଜଧାନୀର ୬ଟି ଯାକ ସ୍ବେରେଜ୍ ‌ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜଧାନୀରେ ୧୬୩ବର୍ଗକିମି ଅଞ୍ଚଳରେ ସ୍ବେରେଜ୍‌ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଛି। ଏଥିରେ ୫ଟି ଡିଷ୍ଟ୍ରିକ୍ଟ ପାଇଁ ୧୨୫୧.୨୯କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିବା ବେଳେ ଏଥିପାଇଁ ୭୫୪.୨୩ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ହୋଇଛି। କେନ୍ଦ୍ର ସରକାରଙ୍କ ଜେଏନ୍‌ଏନ୍‌ୟୁଆରଏମ୍ ଯୋଜନା, ରାଜ୍ୟ ସରକାରଙ୍କ ସ୍ବେରେଜ୍ ବୋର୍ଡ ଏବଂ ଜାଇକା ଏଥିପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ରାଜଧାନୀକୁ ୬ଟି ଡିଷ୍ଟ୍ରିକ୍ଟରେ ଭାଗ କରି ସ୍ବେରେଜ୍ ପ୍ରକଳ୍ପ ହେଉଛି।

ଏଥିରେ ଡିଷ୍ଟ୍ରିକ୍ଟ-୧ ପାଇଁ ୧୮୧.୨୭ ‌େକାଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୨୫.୫୨୬କିମି ଅଞ୍ଚଳରେ ସ୍ବେରେଜ୍ ଲାଇନ୍ ବିଛାଯାଉଛି। ବର୍ତ୍ତମାନ ସୁଦ୍ଧା ୮.୬୦କିମି କାମ ସରିଛି। ମୋଟ୍ ୫ଟି ସ୍ବେରେଜ୍ ପମ୍ପିଂ ଷ୍ଟେସନ୍ ହେବାକୁ ଥିବା ବେଳେ ଏବେ ୩ଟି ସରିଛି। ଏଥିପାଇଁ ମେହେରପଲିରେ ୫୬ଏମ୍‌ଏଲ୍‌ଡିର ଗୋଟିଏ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ୨୭/୭/୨୦୧୭ରେ ଏହାର କାମ ଆରମ୍ଭ ହୋଇଥିବା ବେଳେ ୨୬/୭/୨୦୨୦ରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଡିଷ୍ଟ୍ରିକ୍ଟ-୨ ପାଇଁ ୧୩୬.୮୩ ‌େକାଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୨୭.୧୮୩କିମି ଅଞ୍ଚଳରେ ସ୍ବେରେଜ୍ ଲାଇନ୍ ବିଛାଯାଉଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୬.୯୮ କିମି କାମ ସରିଛି। ମୋଟ୍ ୧୪ଟି ସ୍ବେରେଜ୍ ପମ୍ପିଂ ଷ୍ଟେସନ୍ ହେବାକୁ ଥିବା ବେଳେ ଏବେ ୯ଟିର କାମ ଚାଲିଛି। ଏଥିପାଇଁ ବାସୁଆଘାଇରେ ୨୮ ଏମ୍‌ଏଲ୍‌ଡିର ଗୋଟିଏ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ୧୫.୧୧.୨୦୧୭ରୁ ଏହାର କାମ ଚାଲିଥିବା ବେଳେ ୧୪.୧୧.୨୦୨୦ରେ ଏହାର କାମ ସରିବ ବୋଲି ଆକଳନ କରାଯାଇଛି।

ଡିଷ୍ଟ୍ରିକ୍ଟ-୩ ପାଇଁ ୨୯୮.୭୯ ‌େକାଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୯୭.୧୧୨କିମି ଅଞ୍ଚଳରେ ସ୍ବେରେଜ୍ ଲାଇନ୍ ବିଛାଯାଉଛି। ବର୍ତ୍ତମାନ ସୁଦ୍ଧା ୧୬.୩୫କିମି କାମ ସରିଛି। ମୋଟ୍ ୯ଟି ସ୍ବେରେଜ୍ ପମ୍ପିଂ ଷ୍ଟେସନ୍ ହେବାକୁ ଥିବା ବେଳେ ଏବେ ୫ଟିର କାମ ଚାଲିଛି। ଏଥିପାଇଁ କୋଚିଲାପୁଟରେ ୪୩.୫ଏମ୍‌ଏଲ୍‌ଡିର ଗୋଟିଏ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ୨୭/୭/୨୦୧୭ରେ କାମ ଆରମ୍ଭ ହୋଇଥିବା ବେଳେ ୨୬/୭/୨୦୨୦ରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଡିଷ୍ଟ୍ରିକ୍ଟ-୪ ପାଇଁ ୪୮.୪୦ ‌େକାଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୧୪.୨୭କିମି ଅଞ୍ଚଳରେ ସ୍ବେରେଜ୍ ଲାଇନ୍ ବିଛାଯାଉଛି। ବର୍ତ୍ତମାନ ସୁଦ୍ଧା ୭.୨୯କିମି କାମ ସରିଛି। ମୋଟ୍ ୪ଟି ସ୍ବେରେଜ୍ ପମ୍ପିଂ ଷ୍ଟେସନ୍ ହେବାକୁ ଥିବା ବେଳେ ଏବେ ୨ଟିର କାମ ଚାଲିଛି। ଏଥିପାଇଁ ପାଇକରାପୁରରେ ୮ ଏମ୍‌ଏଲ୍‌ଡିର ଗୋଟିଏ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ୯/୨/୨୦୧୮ରେ କାମ ଆରମ୍ଭ ହୋଇଥିବାବେଳେ ୮/୨/୨୦୨୦ ରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଡିଷ୍ଟ୍ରିକ୍ଟ-୫ରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନି। ଏହି ଅଞ୍ଚଳଟି ଜଳଗହଳିପୂର୍ଣ୍ଣ ହୋଇଥିବାରୁ ଏଠାରେ ଜମି ଅଧିଗ୍ରହଣ ପାଇଁ ଅଧିକ ସମୟ ଲାଗିବ। ତେଣୁ ଏଠାରେ ପରବର୍ତ୍ତୀ ସମୟରେ ସ୍ବେରେଜ୍ କାର୍ଯ୍ୟ ହେବ ବୋଲି ନି‌ଷ୍ପତ୍ତି ହୋଇଛି। ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳ (ଡିଷ୍ଟ୍ରିକ୍ଟ-୬ରେ ସବୁଠୁ ଅଧିକ କାମ ହୋଇଛି। ଏଠାରେ ଜାଇକା କାମ କରୁଥିବା ବେଳେ ସବୁଠୁ ଆଗୁଆ କାମ ଏଠାରେ ଆରମ୍ଭ ହୋଇଥିଲା। ୨୦/୬/୨୦୧୩ରୁ କାମ ଆରମ୍ଭ ହୋଇଥିବା ବେଳେ ଏଠାରେ ଡିସେମ୍ବର ୨୦୨୦ରେ କାମ ସରିବ ବୋଲି ଆକଳନ କରାଯାଉଛି। ୫୮୬କୋଟିର ଏହି ପ୍ରକଳ୍ପରେ ୨୫୪କିମି ସ୍ବେରେଜ୍ ଲାଇନ୍ ବିଛା ଯାଉଥିବା ବେଳେ ଏବେ ସୁଦ୍ଧା ୧୬୨କିମିରେ ସ୍ବେରେଜ୍ ଲାଇନ୍ ବିଛା ସରିଛି।

ସମ୍ବନ୍ଧିତ ଖବର