ଭୁବନେଶ୍ବରରେ ନାକେଦମ୍‌ କଲାଣି ସ୍ବେରେଜ୍‌ କାମ

ପାଇଖାନା ଟାଙ୍କି ସଂଯୋଗ କରି ଦେଲେଣି ଲୋକେ
ଠିକାଦାର ଛିଣ୍ଡାଇ ଦେଉଛି ଭୂତଳ କେବୁଲ୍‌
କେବେ ସରିବ କାହା ପାଖରେ ଉତ୍ତର ନାହିଁ

ଭୁବନେଶ୍ୱର : ୧୨ ବର୍ଷ ହେଲାଣି ଭୁବନେଶ୍ବରରେ ସ୍ବେରେଜ୍‌ କାମ ଚାଲିଛି, ସରୁନି। ଗଳି ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖୋଳା ଚାଲିଛି। ସହର ସାରା ଲମ୍ବା ଲମ୍ବା ଗଭୀର ଗାତ। ଯାତାୟାତ ପାଇଁ ଅଧାରୁ କମ୍‌ ଓସାରର ରାସ୍ତା। ସେଥିରେ ଖରାଦିନରେ ନାଲି ରଙ୍ଗର ଧୂଳି ଉଡ଼ୁଛି, ବର୍ଷା ହେଲେ ପଚପଚ। କେତେକ ଜାଗାରେ ପରିସ୍ଥିତି ଏଭଳି ହୋଇଛି ଗଳି ଭିତରକୁ ଗାଡ଼ି ପଶି ପାରୁନି। ବଡ଼କଥା ହେଉଛି ଯେଉଁଠି ମାଟିତଳେ ପାଇପ୍‌ ପଡ଼ି ଯାଇଛି ଓ ମ୍ୟାନ୍‌ ହୋଲ୍‌ ସହ ସଂଯୋଗ କରି ଦିଆଯାଇଛି ସେଠାରେ ଲୋକମାନେ ତାଙ୍କର ପାଇଖାନା ନଳାକୁ ସଂଯୋଗ କରି ଦେଇଛନ୍ତି। ଫଳରେ ନିଷ୍କାସନ ପାଇଁ ବାଟ ଫିଟିନଥିବାରୁ ପାଇପ୍‌ ଓ ମ୍ୟାନ୍‌ହୋଲ୍‌ ମଳରେ ଭର୍ତ୍ତି ହୋଇ ଯାଇଛି। ଯେତେବେଳେ ଗୋଟିଏ ପ୍ରକଳ୍ପ ସମାପ୍ତ ହେବା ପରେ ଅନ୍ୟ ଗୋଟିଏ ପ୍ରକଳ୍ପ ସହ ସଂଯୋଗ କରାଯାଉଛି ସେତେବେଳେ ମଳ ଭାସୁଛି। ଆଗକୁ ବର୍ଷାଋତୁ ଆସୁଛି। ବର୍ଷା ପାଣି ମ୍ୟାନ୍‌ ହୋଲ୍‌ ଦେଇ ପାଇପ୍‌ଲାଇନ୍‌କୁ ଯିବା ପରେ ଏହି ସବୁ ମଳ ରାସ୍ତା ଉପରେ ଭାସିବ। ଏଣୁ ଲୋକେ ନାକେଦମ୍‌ ହେବା ଥୟ ହୋଇଛି। ଯାହାକୁ ନେଇ ସାରା ସହରରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଶହେରୁ ଊର୍ଧ୍ବ ଲୋକ କେତେକ ଜମିରେ କୋର୍ଟରୁ ରହିତାଦେଶ ଆଣିଥିବାରୁ ସେଠାରେ ପ୍ରକଳ୍ପ ଆଗେଇ ପାରୁ ନାହିଁ। କେବେ ପ୍ରକଳ୍ପ ସରିବ? କେବେ ଯନ୍ତ୍ରଣାରୁ ମୁକ୍ତି ମିଳିବ? ଏହାର ଉତ୍ତର କାହା ପାଖରେ ନାହିଁ।

ଏହି ପ୍ରକଳ୍ପକୁ ନେଇ ଆଉ ଗୋଟିଏ ବଡ଼ ଅଭିଯୋଗ ହେଉଛି ଠିକାଦାର ରାସ୍ତା ଖୋଳିବା ବେଳେ ଭୂତଳରେ ଥିବା ବିଭିନ୍ନ କେବୁଲ୍‌ ଓ ପାଣି ପାଇପ୍‌ ଛିଣ୍ଡାଇ ଦେଉଛନ୍ତି। ଫଳରେ କେତେକ ଅଞ୍ଚଳରେ ଦୀର୍ଘ ସମୟ ଧରି ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ ହେବା ସହ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ ହେଉଛି। ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ରସୁଲଗଡ଼ ଅଞ୍ଚଳରେ କାମ ଚାଲିଥିବା ବେଳେ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌)ର ଭୂତଳ କେବୁଲ୍‌ ଠିକାଦାର ଛିଣ୍ଡାଇ ଦେଇଛନ୍ତି। ଏ ନେଇ ବିଏସ୍‌ସିଏଲ୍‌ ସ୍ବେରେଜ୍‌ ବୋର୍ଡକୁ ନୋଟିସ୍‌ କରିଛି। ତାର ଛିଣ୍ଡି ଯିବା ଫଳରେ କେତେକ ଅଞ୍ଚଳରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ବିଏସ୍‌ସିଏଲ୍‌କୁ ବୋର୍ଡ କି ଉତ୍ତର ରଖିବ ସେ ନେଇ ଚିନ୍ତାରେ ପଡ଼ିଛି।

Telegraph India

ସୂଚନା ମୁତାବକ, ସହରରେ ଥିବା ପାଖାପାଖି ସାଢ଼େ ୩ଲକ୍ଷ ଘରକୁ ପାଇପ୍‌ ଯୋଗେ ପ୍ରତିଦିନ ଯେତିକି ପାଣି ଯୋଗା ଯାଉଛି, ତାହାର ୮୦ପ୍ରତିଶତ ପାଣି ଦୈନିକ ବ୍ୟବହାର ହେଉଛି। ତା’ ଛଡ଼ା ଲୋକେ ବୋରିଂ କରି ଭୂତଳ ଜଳ ମଧ୍ୟ ବ୍ୟବହାର କରୁଛନ୍ତି। ଲୋକଙ୍କ ଘରୁ ଦୈନିକ ୧୭୯ ମିଲିଅନ୍‌ ଲିଟରରୁ ଅଧିକ ବର୍ଜ୍ୟଜଳ ବାହାରୁଛି। ଏହି ସବୁ ଜଳକୁ ସ୍ବେରେଜ୍‌ ପାଇପ୍‌ ଲାଇନ୍‌ ଦ୍ବାରା ଅଣାଯାଇ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରି ନଦୀକୁ ଛଡ଼ାଯିବା ଯୋଜନା ହୋଇଥିଲା। ହେଲେ ୧୨ବର୍ଷ ଧରି ଚାଲିଥିଲେ ମଧ୍ୟ ସରୁନାହିଁ। ପ୍ରତି ଘରକୁ ସ୍ବେରେଜ୍‌ ପାଇପ୍‌ ସହ ଯୋଡ଼ିବା ପାଇଁ ୩୦୦ କିଲୋମିଟରର ପାଇପ୍‌ ବିଛାଇବା ପାଇଁ ଯୋଜନା ହୋଇଥିଲା।‌ ଏଥିରୁ‌‌ ଆହୁରି ୧୦୦ କିମିରୁ ଅଧିକ ଲମ୍ବାର ପାଇପ୍‌ ବିଛାଇବା ବାକି ରହିଛି। ସାଢ଼େ ୩ ଲକ୍ଷ ଘରକୁ ସଂଯୋଗ ଦେବା ଯୋଜନା ଥିଲେ ମଧ୍ୟ ମାତ୍ର ୫୦ ହଜାର ଘରକୁ ସଂଯୋଗ ଦିଆଯାଇଛି। ଏବେ ସହରର ୬ଟି ସ୍ଥାନରେ କାମ ଚ‌ାଲିଛି। ରାସ୍ତାର ମଝିରେ ଖୋଳି ଦିଆଯାଇଥିବାରୁ ଭୟଙ୍କର ସମସ୍ୟା ଉପୁଜିଛି।

ସେହିପରି ବର୍ଜ୍ୟଜଳ ବିଶୋଧନ ପାଇଁ ପାଇକରାପୁର, କୋଚିଲାପୁଟ, ବାସୁଆଘାଇ, କେଶୁରା, ରୋକଡ଼ ଓ ଅନ୍ଧାରୁଆ ଆଦି ୬ଟି ସ୍ଥାନରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ହୋଇଥିବା ବେଳେ ମାତ୍ର ୪ଟି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତୁତ ହୋଇଛି। ସେଥିରୁ କେବଳ କେଶୁରା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଯେଭଳି ଯୋଜନା ହୋଇଥିଲା‌ ସେଭଳି ହୋଇଛି। ଦୈନିକ ବାହାରୁଥିବା ୧୭୯ ମିଲିଅନ୍‌ ଲିଟରରୁ ଅଧିକ ପାଣିକୁ ବିଶୋଧନ କରିବା ବଦଳରେ ଏହି ୪ଟି ପ୍ଲାଣ୍ଟ ମାତ୍ର ସାଢ଼େ ୨୨ ମିଲିଅନ୍‌ ଲିଟର ପାଣି ବିଶୋଧନ କରିପାରୁଛି।

Telegraph India

ଉଲ୍ଲେଖଯୋଗ୍ୟ, ୨୦୧୦ ମସିହାରେ ସ୍ବେରେଜ୍‌‌ ବୋର୍ଡ ଚେନ୍ନାଇସ୍ଥିତ ଇସିସିଆଇ(ଇଷ୍ଟର୍ଣ୍ଣ କନ୍‌ଷ୍ଟ୍ରକସନ୍‌ କମ୍ପାନି ଇଣ୍ଡିଆ ଲିମିଟେଡ୍‌)ନାମକ ଏକ ଘରୋଇ ସଂସ୍ଥାକୁ ଭୁବନେଶ୍ବରରେ ସ୍ବେରେଜ୍‌ ବ୍ୟବସ୍ଥା କରିବାକୁ ଦେଇଥିଲା। ଟେଣ୍ଡର ମୂଲ୍ୟ ଠାରୁ ଖର୍ଚ୍ଚ ଅଧିକ ହେଉଥିବା ଦର୍ଶାଇ ସଂସ୍ଥା ବର୍ଷକ ପରେ ୪୦ ପ୍ରତିଶତ କାମ କରି ଓହରି ଯାଇଥିଲା। ୨୦୧୧ ମସିହାରେ ଏଥିପାଇଁ ଆଉ ଥରେ ଟେଣ୍ଡର୍‌ ହେଲା। ଇସିସିଆଇ ପୂର୍ବରୁ କାମ କରିଥିବାରୁ ଟେଣ୍ଡର ମୂଲ୍ୟ ବଢ଼ାଇ ପୁଣି ଥରେ କାମ ନେବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବା ସହ ଟେଣ୍ଡରରେ ଭାଗ ନେଲା। କିନ୍ତୁ ମାମଲା ହାଇକୋର୍ଟରେ ଗଡ଼ୁଥିବାରୁ ୫ ବର୍ଷ ପର୍ଯ୍ୟନ୍ତ ନୂଆ ଟେଣ୍ଡର କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ୨୦୧୬‌ରେ ମାମଲାର ଶୁଣାଣି ଶେଷ ହେବା ପରେ ସ୍ବେରେଜ୍‌ ବୋର୍ଡ ଟେଣ୍ଡର୍‌ ଡାକିଥିଲା। କିନ୍ତୁ ୨୦୧୭ରେ ଏହି ପ୍ରକଳ୍ପ ୱାଟ୍‌କୋ ଅଧୀନକୁ ଆସିଯିବାରୁ ୨୦୧୭ରେ ୱାଟ୍‌କୋ ଆଉ ଥରେ ଟେଣ୍ଡର କଲା। ଏଥିରେ ଆଇଟିଏଲ୍‌ ଅହମ୍ମଦାବାଦ, ଲକ୍ଷ୍ମୀ କନଷ୍ଟ୍ରକସନ୍‌ ଲିମିଟେଡ୍‌ ଓ ଟାଟା ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କାମ କରିବାକୁ ଯୋଗ୍ୟ ବିବେଚିତ ହେଲେ। ବାକି ରହିଥିବା ୬୦ ପ୍ରତିଶତ କାମ ୨୦୨୦ ସୁଦ୍ଧା ଶେଷ କରିବାକୁ କାର୍ଯ୍ୟ ଅବଧି ଧାର୍ଯ୍ୟ ହୋଇଥିଲେ ମଧ୍ୟ କରୋନାକୁ ଆଳ କରି ଠିକା ସଂସ୍ଥା ବିଳମ୍ବ କରିଛନ୍ତି।

ସମ୍ବନ୍ଧିତ ଖବର