ଆଉ ଏକ ସେକ୍ସ ର‍୍ୟାକେଟ୍‌ ଠାବ : ଅଞ୍ଜଳି ଦିଦିର ସହଯୋଗୀ ଗିରଫ, ଓଡ଼ିଆ ଯୁବତୀ ଉଦ୍ଧାର

ଟାର୍ଗେଟ୍‌ରେ ଗରିବ ଓଡ଼ିଆ ଯୁବତୀ

ଭୁବନେଶ୍ୱର : ଭୁବନେଶ୍ବରରେ ଚାଲିଥିବା ସେକ୍ସ-ରୢାକେଟ୍‌ର ରାଣୀ ମହୁମାଛି କୁହାଯାଉଥିବା ଅଞ୍ଜଳି ଦିଦି ଓରଫ ରୁକ୍‌ସାର ବେଗମ୍‌ର ପ୍ରମୁଖ ସହଯୋଗୀକୁ ଗିରଫ କରିଛି ଏସ୍‌ଟିଫ୍‌। ସେ ହେଲା, ଗଞ୍ଜାମ ପୁରୁଷୋତ୍ତମପୁର ଭାବନ୍ଧର କେଶବ ସାହୁ। ତାକୁ ଗିରଫ କରାଯିବା ସହ ଏହି ରୢାକେଟ୍‌‌‌ରେ ଫସିଥିବା ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସିଆର୍‌ପି ଛକରେ ଜଣେ ଗ୍ରାହକଙ୍କୁ ହସ୍ତାନ୍ତର କରିବା ପାଇଁ ଛିଡ଼ା ହୋଇଥିବା ବେଳେ ଏସ୍‌ଟିଏଫ୍‌ର ଅଧିକାରୀମାନେ ଚଢ଼ଉ କରି ତାକୁ ଗିରଫ କରିଛନ୍ତି। ପୂର୍ବରୁ ଦେହ ବେପାରରେ ଲିପ୍ତ ବାଂଲାଦେଶୀ ଓ ଅଣଓଡ଼ିଆ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ଜଣେ ଓଡ଼ିଆ ଯୁବତୀ ଉଦ୍ଧାର ପାଇଛନ୍ତି। ଅଭିଯୁକ୍ତକୁ କୋର୍ଟଚାଲାଣ କରିବା ସହ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ଏସ୍‌ଟିଏଫ୍‌।

ତେବେ କିଏ ଥିଲେ ଗ୍ରାହକ? କାହାକୁ ବିଭିନ୍ନ ସମୟରେ ଦେହଜୀବୀ ଯୋଗାଉଥିଲା କେଶବ? ରାଣୀ ମହୁମାଛି ଏବେ ଜେଲ୍‌ରେ ଥିବା ବେଳେ କାହା ନିର୍ଦ୍ଦେଶରେ ରୢାକେଟ୍‌ ଚଳାଇଥିଲା କେଶବ? ଏ ସବୁକୁ ନେଇ ଏସ୍‌ଟିଏଫ୍ ମୁହଁ ଖୋଲି ନାହିଁ। କେଶବର ପରିଚୟ ଦେବା ପାଇଁ ମଧ୍ୟ ଏସ୍‌ଟିଏଫ୍‌ କୁନ୍ଥକୁନ୍ଥ ହୋଇଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସେ ଦେହଜୀବୀ ଯୋଗାଉଥିବା ନେଇ ଚର୍ଚ୍ଚା ହେଉଛି। କାଳେ ଅଧିକାରୀ ପଦାରେ ପଡ଼ିଯିବେ, ସେଥିପାଇଁ ଏସ୍‌ଟିଏଫ୍‌ର ଅଧିକାରୀମାନେ ମୁହଁ ଖୋଲି ନାହାନ୍ତି। ତେବେ ରିମାଣ୍ଡରେ ଆସିବା ପରେ ଅଧିକ ପଚରାଉଚରା ହେବ। ସେଥିରେ ଏହି ଗ୍ରାହକଙ୍କ ସମ୍ବନ୍ଧରେ ଖୋଳତାଡ଼ କରାଯିବ ବୋଲି କହିଛନ୍ତି ଏସ୍‌ଟିଏଫ୍‌ ଡିଆଇଜି ‌ଜେ.ଏନ୍‌ ପଙ୍କଜ।

ଟାର୍ଗେଟ୍‌ରେ ଗରିବ ଓଡ଼ିଆ ଯୁବତୀ
ପୂର୍ବରୁ ଏହି ମାମଲାରେ ଏସ୍‌ଟିଏଫ୍‌ ୫ଜଣ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ରାଣୀ ମହୁମାଛି ରୁକ୍‌ସାର୍‌ ସମେତ ସ୍ବାମୀ ଇବ୍ରାହିମ୍‌, ପଞ୍ଚାନନ ପାଢ଼ୀ ଓ ପତ୍ନୀ ପ୍ରତିଙ୍କୁ ଗିରଫ କରିସାରିଛି। ୬ ବାଂଲାଦେଶୀ ଯୁବତୀଙ୍କ ସହ ମୋଟ ୯ ଜଣ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ‌ରୂପଜୀବୀଙ୍କୁ ଏସ୍‌ଟିଏଫ୍ ଉଦ୍ଧାର କରିଛି। ଇବ୍ରାହିମ୍‌ ଓ ପତ୍ନୀ ରୁକ୍‌ସାର ବାଂଲାଦେଶୀ ଓ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଏହି କାମରେ ଲଗାଉଥିଲା। ଭୁବନେଶ୍ବରର ବିଭିନ୍ନ ହୋଟେଲ ଓ ଲଜ୍‌କୁ ଯୋଗାଉଥିଲା। ଉଭୟ ପତି-ପତ୍ନୀଙ୍କୁ ନିକଟ ଅତୀତରେ ଏସ୍‌ଟିଏଫ୍ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କର ଅନ୍ୟତମ ସହଯୋଗୀ କେଶବ ଓଡ଼ିଆ ଯୁବତୀଙ୍କୁ ଆଣି ଏହି ବେପାରରେ ଲଗାଉଥିଲା। ଏହା ସହିତ ଆହୁରି ଅନେକ ଓଡ଼ିଆ ଯୁବତୀ ଅଛନ୍ତି। ମୋବାଇଲ ଯାଞ୍ଚ ବେଳେ ଏଭଳି ଅନେକ ତଥ୍ୟ ପଦାକୁ ଆସିଛି। ବାଲେଶ୍ବର, ଭଦ୍ରକ ଅଞ୍ଚଳରେ ଗରିବ ଓଡ଼ିଆ ଯୁବତୀଙ୍କୁ ସେ ଚାକିରି ଲୋଭ ଦେଖାଇ ଭୁବନେଶ୍ବ‌ର ଆଣେ। ଏଠାରେ ଭଡ଼ା ଘରେ ରଖି ଏଭଳି କାମରେ ଲଗାଏ। ବଡ଼ବଡ଼ିଆଙ୍କୁ ଯୋଗାଇ ମୋଟାଅଙ୍କର ଟଙ୍କା ରୋଜଗାର କରେ। ବଡ଼ବଡ଼ିଆଙ୍କ ସହ କାରବାର କଲେ ଧରାପଡ଼ିବା ଭୟ କମ୍‌ ଥାଏ ବୋଲି ପଚରାଉଚରା ବେ‌ଳେ କେଶବ କହିଛି।

ସମ୍ବନ୍ଧିତ ଖବର