ବାଂଲା ରୂପଜୀବୀ ମାମଲା : ମାନିଲା ଅଞ୍ଜଳି, ଭଉଣୀ ହାତରେ ବାଂଲାଦେଶ ନେଟ୍‌ୱର୍କ

ଓଡ଼ିଆ ଦମ୍ପତି ଗିରଫ
ଅଲ୍‌ଟୋ କାର୍‌ ଜବତ, ରୂପଜୀବୀ ଉଦ୍ଧାର
ଟାର୍ଗେଟ୍‌ରେ ଗରିବ ଓ ମଧ୍ୟବିତ୍ତ ପରିବାରର ବାଂଲା ଯୁବତୀ
ରାଣୀମହୁମାଛି ଅଞ୍ଜଳି ଓ ସ୍ବାମୀଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ବର : ରାଜଧାନୀରେ ଚାଲୁଥିବା ବାଂଲା ସେକ୍ସ ରୢାକେଟ୍‌ର ଗୁମର ଧୀରେ ଧୀରେ ଯୁବତୀ ଚାଲାଣ ରୢାକେଟ୍‌ରେ ସମ୍ପୃକ୍ତ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌। ସେମାନେ ହେଲେ, ପିପିଲି ଅଞ୍ଚଳର ଦଲାଲ ପଞ୍ଚାନନ ପାଢ଼ୀ ଓ ତାଙ୍କ ପତ୍ନୀ ପ୍ରୀତି ପାଢ଼ୀ। ସେମାନଙ୍କ ନିକଟରୁ ଏସ୍‌ଟିଏଫ୍ ଏକ ଅଲ୍‌ଟୋ କାର୍‌ ମଧ୍ୟ ଜବତ କରିଛି। ଏହି କାର୍‌ରେ ସେମାନେ ରୂପଜୀବୀମାନଙ୍କୁ ଗ୍ରାହକଙ୍କ ପାଖକୁ ପଠାଉ ଥିଲେ। ଏହି ଦମ୍ପତି ରାଣୀ ମହୁମାଛି ଅଞ୍ଜଳି ଦିଦି ଓ ତାଙ୍କ ପତି ସେକ୍ ଇବ୍ରାହିମ ପାଇଁ କାମ କରୁଥିଲେ।

ଦୁଇଦିନିଆ ରିମାଣ୍ଡରେ ଥିବା ବେଳେ ଅଞ୍ଜଳି ଦିଦି ଓରଫ୍ ରୁକ୍‌ସାରା ବେଗମ୍ ଓ ତାଙ୍କ ପତି ସେକ୍ ଇବ୍ରାହିମଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଜେରା ବେଳେ ସେମାନେ ଏସ୍‌ଟିଏଫ୍‌କୁ ରାଜଧାନୀରେ ଚାଲୁଥିବା ବାଂଲା ରୂପଜୀବୀ କାରବାର ସମ୍ପର୍କରେ ଅନେକ ଭିତିରି ତଥ୍ୟ ପ୍ରଦାନ କରିଛନ୍ତି। ସେମାନଙ୍କୁ କେଉଁମାନେ ସହଯୋଗ କରୁଥିଲେ‌, କାହା ମାଧ୍ୟମରେ ଯୁବତୀମାନେ କୋଲକାତାରୁ ଭୁବନେଶ୍ବର ଆସୁଥିଲେ, ଏଠାରେ ସେମାନଙ୍କୁ କେମିତି ନକଲି ଆଧାରକାର୍ଡ ଓ ଫଟୋ ପରିଚୟପତ୍ର ପ୍ରଦାନ କରାଯାଉଥିଲା ଆଦି ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏସ୍‌ଟିଏଫ୍‌ର ହସ୍ତଗତ ହୋଇଛି। ତଥ୍ୟକୁ ଆଧାର କରି ଏସ୍‌ଟିଏଫ୍ ଦଲାଲ ସେହି ଦମ୍ପତିଙ୍କୁ ଗିରଫ କରିଥିବା ବେଳେ ଜଣେ ରୂପଜୀବୀଙ୍କୁ ମଧ୍ୟ ଉଦ୍ଧାର କରିଛି।

ଏସ୍‌ଟିଏଫ୍‌କୁ ଯାହା ସୂଚନା ମିଳିଛି, ଏଠାରେ ଅଞ୍ଜଳି ପାଇଁ ଏକାଧିକ ଦଲାଲ କାମ କରୁଥିବା ବେଳେ ବାଂଲାଦେଶରେ ନେଟୱର୍କ ସମ୍ଭାଳୁ ଥିଲା ତା’ର ଭଉଣୀ ହାଫି ଅଖତାର। ସେଠାରୁ ସେ ଗରିବ ଓ ମଧ୍ୟବିତ୍ତ ପରିବାରର ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ଭାରତ ପଠାଇଥାଏ। ସେମାନେ ପ୍ରଥମେ ବାଂଲାଦେଶର ଜୟଶୋର ଜିଲ୍ଲା ପେଟାପୋଲ ପୋ‌ଷ୍ଟକୁ ଆସିଥାନ୍ତି। ସେଠାରୁ ପଶ୍ଚିମବଙ୍ଗର ଜୟଶ୍ବର ଜଙ୍କସନ୍ ହୋଇ ୨୪ ପ୍ରଗଣା ଜିଲ୍ଲା ଦେଇ ଭାରତକୁ ଆସିଥାନ୍ତି। ଢାକାରୁ ପେଟାପୋଲ ପୋଷ୍ଟ ୧୯୬ କିଲୋମିଟର ହୋଇଥିବା ବେଳେ ଜୟଶ୍ବର ଜଙ୍କସନରୁ କୋଲାକାତା ମାତ୍ର ୧୨୮ କିଲୋମିଟର। ଭାରତ ଓ ବାଂଲଦେଶରେ ନିୟୋଜିତ ଥିବା କେତେକ ସୀମା ସୁରକ୍ଷା ବଳଙ୍କ ସହଯୋଗରେ ବିନା ଭିସା ଓ ପାର୍ସପୋର୍ଟରେ ଯୁବତୀମାନେ ଭାରତକୁ ଆସି ପାରୁଛନ୍ତି। ଯୁବତୀମାନେ କୋଲକାତାରେ ପହଞ୍ଚିବା ପରେ ଏଜେଣ୍ଟମାନେ ସେମାନଙ୍କୁ ମୁମ୍ବାଇ, ପୁନେ, ଗୋଆ ଓ ବେଙ୍ଗାଲୁରୁ ଭଳି ସହରକୁ ପଠାଇ ଦେଇଥାନ୍ତି। ଭୁବନେଶ୍ବରରେ ପାଖାପାଖି ୨୫ଜଣ ବାଂଲାଦେଶୀ ଯୁବତୀ ସେକ୍ସ ରୢାକେଟ୍‌ରେ ସଂପୃକ୍ତ ଥିଲେ। କିନ୍ତୁ ଏସ୍‌ଟିଏଫ୍‌ର ଧରପଗଡ଼ ପରେ ସେମାନେ ଏବେ କୋଲକାତା ଚାଲି ଯାଇଛନ୍ତି ବୋଲି ଅଞ୍ଜଳି ଏସ୍‌ଟିଏଫ୍‌କୁ ସୂଚନା ଦେଇଛି। ସେହିପରି ସେକ୍ସ ରୢାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ଅଞ୍ଜଳି ଦିଦି ବାଂଲାଦେଶୀ ହୋଇଥିବା ବେଳେ ତା’ ପାଖରେ ଭାରତୀୟ ଜାଲ ଆଧାର କାର୍ଡ ରହିଛି। ଉକ୍ତ ଆଧାର କାର୍ଡକୁ ସହର ଉପକଣ୍ଠରେ ଥିବା ଅଭି ନାମକ ଯୁବକ ପ୍ରସ୍ତୁତ କରିଥିଲା। ଅଞ୍ଜଳିଙ୍କ ସମେତ ଆଉ କେତେକ ବାଂଲାଦେଶୀ ଯୁବତୀଙ୍କ ଆଧାରକାର୍ଡ ମଧ୍ୟ ଅଭି ପ୍ରସ୍ତୁତ କରିଥିବା ଇବ୍ରାହିମ ଏସ୍‌ଟିଏଫ୍‌କୁ ସୂଚନା ଦେଇଛି। ପୁଲିସ ଉକ୍ତ ତଥ୍ୟକୁ ଆଧାର କରି ଆଧାର କାର୍ଡ ପ୍ରସ୍ତୁତ କରୁଥିବା ଅଭିକୁ ଧରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର