ଖୋଲୁଛି ସେକ୍ସ କାରବାରର ଗୁମର : ଧନୀଙ୍କୁ ଫସାଉଥିଲେ

ବାଂଲା ରୂପଜୀବୀ ଧରାପଡ଼ିବା ମାମଲା

କମିସନେରଟ ପୁଲିସ କବ୍‌ଜାରେ ଆଉ ୫ ଦଲାଲ‌
ରିମାଣ୍ଡରେ ଯିବ ରାଣୀ ମହୁମାଛି!
ହୋଟେଲ୍‌କୁ ଡାକି ସର୍ବସ୍ବ ଲୁଟି ନେଉଥିଲେ, ପ୍ରତିବାଦ କଲେ ଦୁଷ୍କର୍ମ ଅଭିଯୋଗ ଧମକ
ମୋବାଇଲ୍‌ରେ କଏଦ କରୁଥିଲେ ସଂପର୍କର ଦୃଶ୍ୟ

ଭୁବନେଶ୍ବର : ବାଂଲାଦେଶୀ ରୂପଜୀବୀ ଧରାପଡ଼ିବା ପରେ ଧୀରେଧୀରେ ସେକ୍ସ କାରବାରର ଗୁମର ଖୋଲିବାରେ ଲାଗିଛି। ଏମାନେ କେବଳ ସେକ୍ସ କାରବାରରେ ଲିପ୍ତ ନଥିଲେ, ବରଂ ଦଲାଲଙ୍କ ସହାୟତାରେ ମାୟା ଜାଲ ବିଛାଉଥିଲେ। ଧନୀ ଘରର ଯୁବକମାନଙ୍କୁ ନିଜର ସୁନ୍ଦରୀ ମାୟା ଜାଲରେ ଫସାଉଥିଲେ। ପରେ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ହୋଟେଲକୁ ଡାକି ସର୍ବସ୍ୱ ଲୁଟି ନେଉଥିଲେ। ଯଦି କେହି ପ୍ରତିବାଦ କରିବାକୁ ଚେଷ୍ଟା କରୁଥିଲା, ତେବେ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇକୁ ଧମକ ଦେଉଥିଲେ। ଭୟରେ ଲୋକେ ତାଙ୍କୁ ଦାବି ମୁତାବକ ଟଙ୍କା ଦେଉଥିଲେ। କମିସନ‌ରେଟ୍‌ ପୁଲିସ ହାତରେ ଧରାପଡ଼ିଥିବା ୫ଜଣ ଦଲାଲମାନଙ୍କଠାରୁ ଆଜି ଏଭଳି ତଥ୍ୟ ପାଇଛି କମିସନରେଟ୍‌ ପୁଲିସ। ସମସ୍ତଙ୍କୁ ସ୍ପେସାଲ୍‌ ସ୍କ୍ୱାଡ୍‌ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ଲକ୍ଷ୍ମୀସାଗର ଥାନା ପୁଲିସ ୩ ଜଣ ଦଲାଲ ଝାରପଡ଼ା କେନାଲ ରୋଡରେ ରହୁଥିବା ନୟାଗଡ଼ର ପ୍ରଶାନ୍ତ ପରିଡ଼ା‌, କଟକ ପୁରୁଷୋତ୍ତମପୁର ଅଂଚଳର ଉତ୍ତମ ଜେନା ଓ ପୁରୁଣା ଭୁବନେଶ୍ୱରରେ ରହୁଥିବା ବାଲେଶ୍ୱରର ରାଜୁ ଓରଫ ବିନୋଦ ଦାସ ପ୍ରମୁଖଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ସୂଚନା ପାଇବା ପରେ ଆଜି ସ୍ପେସାଲ ସ୍କ୍ବାଡ୍ ଆଉ ୫ଜଣ ଦଲାଲଙ୍କୁ ରାଜଧାନୀ ବିଭିନ୍ନ ସ୍ଥାନରୁ ଉଠାଇ ଆଣିଛି। ଏମାନେ ସେକ୍ସ କାରବାରରେ ସଂପୃକ୍ତ ହେବା ସହ ଲୁଟ୍‌ପାଟ୍‌ ମଧ୍ୟ କରୁଥିଲେ। ଧନୀ ଘରର ଯୁବକମାନଙ୍କୁ ଏହି ଦଲାଲମାନେ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ପଠାଇଥାନ୍ତି। ଯୁବତୀମାନଙ୍କ ଫଟୋ ଦେଖିବା ପରେ ଯଦି କେହି ଏଥିରେ ଆକର୍ଷିତ ହୁଅନ୍ତି, ଏହା ପରେ ଆରମ୍ଭ ହୋଇଯାଇଥାଏ ‘ଅପରେସନ୍ ଲୁଟ୍‌’। ଯୁବକମାନଙ୍କୁ ଏକ ହୋଟେଲକୁ ନିଆଯାଇଥାଏ। ସେଠାରେ ଯୁବତୀମାନଙ୍କ ସହିତ ସମ୍ପର୍କ ରଖିବା ବେଳର ଦୃଶ୍ୟକୁ ମୋବାଇଲ କ୍ୟାମେରା ମାଧ୍ୟମରେ ସୁଟିଂ କରି ଦିଆଯାଇଥାଏ। ଏହା ପରେ ସେହି ଭିଡିଓ ଦେଖାଇ ବ୍ଲାକମେଲ୍। ବ୍ଲାକମେଲ କରି ଏହି ଦଲାଲମାନେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିଥାନ୍ତି। ଆଜି ସ୍ପେସାଲ ସ୍କ୍ବାଡ୍‌ ଅଟକ ରଖିଥିବା ଦଲାଲମାନେ ଗତ ୨୦୧୮ ମସିହାରେ ଖଣ୍ଡଗିରି ଅଞ୍ଚଳରେ ସମାନ ଢ଼ଙ୍ଗରେ ଏକ ଅପରାଧ ଘଟାଇଥିଲେ। ଯେଉଁଥିରେ ସେ ଯୁବତୀମାନଙ୍କ ସହଯୋଗରେ ଲୁଟ୍‌ପାଟ୍‌ କରିଥିଲେ। ସେହିପରି ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଧୀନ ପରୁଣା ଷ୍ଟେସନ୍‌ ବଜାରସ୍ଥିତ ଆଶୀର୍ବାଦ ହୋଟେଲରେ ରହୁଥିବା ୨ ବାଂଲା ଯୁବତୀ ମଧ୍ୟ ଏପରି କାଣ୍ଡ କରି ହୋଟେଲ କର୍ମଚାରୀମାନଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ। ଏହା ବ୍ୟତୀତ ସେମାନେ ଅନେକ ସମୟରେ ରାଜଧାନୀରେ ଏଭଳି କାଣ୍ଡ ଘଟାଇଛନ୍ତି, ଯାହାର ସୁରାକ୍‌ ପୁଲିସ ପାଇ ପାରି ନ ଥିଲା। ଗତକାଲି ୩ଜଣ ଦଲାଲ ଗିରଫ ହେବା ପରେ ସେମାନେ ଏହି ଦଲାଲମାନଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ସେହି ସୂଚନାକୁ ଆଧାର କରି ପୁଲିସ ଆଜି ଦଲାଲମାନଙ୍କୁ ଅଟକ ରଖିଛି।

ସେହିପରି କ୍ରାଇମ ବ୍ରାଞ୍ଚର ଏସଟିଏଫ୍ ଗିରଫ କରିଥିବା ସେକ୍ସ ରୢାକେଟ ଦଲାଲ ଇବ୍ରାହିମ ଖାନ ଓ ଦିଦି ଅଞ୍ଜଳି ଓରଫ ରୁକସାର ବେଗମ୍‌ଙ୍କୁ କମିସନରେଟ୍‌ ପୁଲିସ ରିମାଣ୍ଡ ନେବାକୁ ଯୋଜନା କରୁଛି। ରିମାଣ୍ଡରେ ନେବା ପରେ ରାଜଧାନୀର ଆଉ କେଉଁ ଅଞ୍ଚଳରେ ବାଂଲାଦେଶୀ ଯୁବତୀ ଅଛନ୍ତି, ସେନେଇ ତଥ୍ୟ ସଂଗ୍ରହ କରିବ। ସେକ୍ସ ରୢାକେଟ୍‌ ଓ ମାନବ ଚାଲାଣ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ହାସଲ କରିବ କମିସନରେଟ ପୁଲିସ।

ଅନ୍ୟପକ୍ଷରେ ମାନବ ଚାଲାଣ ଓ ସେକ୍ସ ରୢାକେଟ୍‌ ଚେର ଖୋଜିବାକୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ବାଂଲାଦେଶ ଓ କୋଲକାତା ଯିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଏସ୍‌ଟିଏଫ୍‌ ପକ୍ଷରୁ ଆଜି ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ଏଥିସହ ଏନ୍‌ଆଇଏ ବା ଜାତୀୟ ତଦନ୍ତକାରୀ ସଂସ୍ଥା, ଇଣ୍ଟରପୋଲ ଓ ସିବିଆଇର ସହଯୋଗ ମଧ୍ୟ ଲୋଡ଼ା ଯାଇଛି। ସେମାନଙ୍କ ସହଯୋଗ ମିଳିଲେ, ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ଟିମ୍‌ ବାଂଲାଦେଶ ଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ସେହିପରି ଆଉ ଏକ ଟିମ୍‌ କୋଲକାତା ଯାଇ ଘଟଣାର ଛାନିଭିନ୍‌ କରିବା ସହ ମାଷ୍ଟରମାଇଣ୍ଡ ସୁନୀଲ ମେହେରକୁ ଧରିବାକୁ ଉଦ୍ୟମ କରିବ। ବାଲଂଦେଶୀମାନେ ଯେଉଁଭଳି ଭାବେ ବେଆଇନ ଭାବେ ଦେଶ ଭିତରକୁ ପଶୁଛନ୍ତି, ଏ ସମ୍ପର୍କରେ ବିଏସଏଫ୍‌କୁ ମଧ୍ୟ ଅବଗତ କରାଯିବ ବୋଲି ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର