ଆପାର୍ଟମେଣ୍ଟ‌ରେ ଦେହ ବେପାର, କିଙ୍ଗ୍‌ପିନ୍‌ ସମେତ ୩ ଗିରଫ, ୩ ଯୁବତୀ ଉଦ୍ଧାର

ଖଣ୍ଡଗିରି: ଜନଗହଳିପୂର୍ଣ ଛକ ଉପରେ ଠିଆ ହୋଇଥିବା ସୁଦୃଶ୍ୟ ଆପାର୍ଟମେଣ୍ଟ ଭିତରେ ଚାଲିଥିଲା ଦେହ ବେପାର। ବଡ଼ ଚତୁରତାର ସହ ମାର୍କେଟିଂ ଏଜେନ୍ସି ଅଫିସ ନାଁରେ ଚାଲିଥିଲା ଏହି ସେକ୍ସ‌ ଆଡ଼ା। କିନ୍ତୁ ଶୁକ୍ରବାର ଅପରାହ୍‌ଣରେ କମିସନରେଟ୍‌ ପୁଲିସ ଏଠାରେ ଚଢ଼ଉ କରି ଏହି ସେକ୍ସ ରୢାକେଟ୍‌ର ରହସ୍ୟ ଉନ୍ମୋଚନ କରିଛି। ପୁଲିସ ଆଡ଼ାରୁ ଜଣେ ଗ୍ରାହକ ଉମାଶଙ୍କର(୨୪)ଙ୍କ ସହ କିଙ୍ଗ୍‌ପିନ୍ କେଶବ ସାହୁ ଓ କେୟାର୍ ଟେକର ସନ୍ତୋଷ ସାହୁକୁ ଗିରଫ କରିଛି। ଅଭିଯୁକ୍ତ କେଶବ ଓ ସନ୍ତୋଷର ଘର ଗଞ୍ଜାମ ପାଟପୁର ଓ ଗ୍ରାହକ ଉମାଶଙ୍କର ଘର ଗଞ୍ଜାମ ପୁରୁଷୋତ୍ତମପୁର ବୋଲି ଜଣାପଡ଼ିଛି। ଉଦ୍ଧାର ୩ ଦେହଜୀବୀଙ୍କ ମଧ୍ୟରୁ ୨ ଜଣ ବଙ୍ଗୀୟ ଓ ଜଣେ ବଲାଙ୍ଗୀର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି। ଚଢ଼ଉବେଳେ ଉକ୍ତ ଘରୁ ପୁଲିସ ପ୍ରଚୁର ପରିମାଣର ଆପତ୍ତିଜନକ ସାମଗ୍ରୀ ଓ ନଗଦ ୨ ହଜାର ଟଙ୍କା ଜବତ କରିଛି। ଆଜି ମେଡିକାଲ ଯାଞ୍ଚ ହୋଇ ନପାରିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇପାରି ନାହିଁ। ଯୁବତୀମାନଙ୍କୁ ଏକ ସର୍ଟ ଷ୍ଟେ ହୋମ୍‌ରେ ରଖାଯାଇଥିବାବେଳେ ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

କେମିତି ଧରାପଡ଼ିଲା ରୢାକେଟ୍‌
ସ୍ଥାନୀୟ ନୂଆଗାଁ ମୁଖ୍ୟ ଛକସ୍ଥିତ ଏହି ଆପାର୍ଟମେଣ୍ଟର ତୃତୀୟ ମହଲା ସି-୨ରେ ସେକ୍ସ ରୢାକେଟ୍‌ ଚାଲିଛି ବୋଲି କ୍ୟୁଏଟି ଟିମ୍‌ ସନ୍ଧାନ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ଆଜି ଚଢ଼ଉ କରାଯାଇଥିଲା। ସେଠାରୁ କେଶବର ଅଲ୍‌ଟୋ କାର୍(ଓଆର୍୦୨ଏଏସ-୨୭୮୮), ଗୋଟିଏ ବୁଲେଟ୍‌ (ଓଡି୩୩ୟୁ-୩୪୭୮) ଓ ଦୁଇଟି ସ୍କୁଟି (ଓଡି୩୩ଏନ୍‌-୪୯୩୮, ଏମ୍‌ଏଚ୍‌୧୨ଡିକେ-୬୪୬୭) ଜବତ କରାଯାଇଛି। ସୂଚନାନୁସାରେ କେଶବ ହେଉଛି ଏହି କାରବାରର ମୁଖ୍ୟ। ତା ସହ‌ ବହୁ ଦେହଜୀବୀ ଯୋଗାଯୋଗରେ ଅଛନ୍ତି। ତେବେ ତା’ର ବେପାର ତରିକା ଭିନ୍ନ। ନିଛାଟିଆ ଘର ନ ନେଇ ସେ ଜନଗହଳିପୂର୍ଣ ଆପାର୍ଟମେଣ୍ଟ ବାଛି ଆଡ଼ା ଜମାଏ। ମାର୍କେଟିଂ ଏଜେନ୍‌ସି ନାଁରେ ରୁମ୍‌ ଭଡ଼ାକୁ ନେଇଥାଏ ଓ ଭଡ଼ାରେ ଆସୁଥିବା ଯୁବତୀମାନଙ୍କୁ ମାର୍କେଟିଂ ପିଲା ବୋଲି ପରିଚୟ ଦେଉଥାଏ। ବଡ଼ କଥା ହେଉଛି ଗ୍ରାହକ ଭିଡ଼କୁ ସେ ଯଥାସମ୍ଭବ ଏଡ଼ାଇଯାଏ। ବହୁ ସମୟରେ ସେ କାର୍ ଯୋଗେ ଯୁବତୀମାନଙ୍କୁ ନେଇ ବାହାରେ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇଥାଏ। ଫଳରେ କେହି ତା କାରବାରକୁ ନେଇ ସନ୍ଦେହ କରିବାକୁ ସୁଯୋଗ ପାଆନ୍ତି ନାହିଁ। ପୁଣି କୌଣସି ଗୋଟିଏ ସ୍ଥାନରେ ସେ ବହୁ ଦିନ ଧରି ବେପାର ଜାରି ରଖେ ନାହିଁ। ଯାଯାବର ଭଳି ସେ ସ୍ଥାନ ବଦଳାଉଥାଏ। ତେଣୁ ସେ ରାଜଧାନୀରେ ବହୁ ଦିନ ହେଲା ଏହି ବେପାର ଚଳାଇ ଆସୁଥିଲେ ବି କେବେ ପୁଲିସ ହାବୁଡ଼ରେ ପଡ଼ି ନଥିଲା। ମାତ୍ର ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ କେଶବର କାରବାର ଉପରେ ସନ୍ଦେହ କରି କମିସନରେଟ୍‌ ପୁଲିସର ସହଯୋଗ ନେଇଥିଲେ। ଫଳରେ କେଶବର ଏହି କାରବାର ଲୋକଲୋଚନକୁ ଆସିଥିଲା। ପୁଲିସ ସୂଚନାନୁସାରେ କେଶବର କାରବାରକୁ ନେଇ ଅଧିକ ଖୋଳତାଡ଼ ଚାଲିଛି। ସେ ପ୍ରାୟ ୧୫ ଦିନ ହେଲା ଏହି ଆପାର୍ଟମେଣ୍ଟକୁ ଭଡ଼ାରେ ନେଇଥିବା ମାନିଛି। କିନ୍ତୁ ଘର ମାଲିକଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ସତ ଜଣାପଡ଼ିବ। ସେହିଭଳି ତା’ର କାରବାରକୁ ନେଇ ମଧ୍ୟ ପୁଲିସ ଅଧିକ ଛାନ୍‌ଭିନ୍ ଜାରି ରଖିଛି। ରାଜଧାନୀର ଅନ୍ୟ କିଛି ସ୍ଥାନରେ ତା’ର ଆଡ଼ା ଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର