୩ ଯୁବତୀ ଅଟକ ମାମଲା : ଗେଷ୍ଟ ହାଉସ୍‌ରେ ଚାଲିଥିଲା ଦେହ ବେପାର, ୨ ଗିରଫ

ଖଣ୍ଡଗିରି : ବରମୁଣ୍ଡାରେ ଥିବା ଏକ ଗେଷ୍ଟ ହାଉସ୍‌ରୁ ଖଣ୍ଡଗିରି ଥାନା ପୁଲିସ ଉଦ୍ଧାର କରିଥିବା ୩ ସନ୍ଦିଗ୍ଧ ଯୁବତୀ ଦେହଜୀବୀ ବୋଲି ସ୍ପଷ୍ଟ ହୋଇଛି। ସେମାନଙ୍କୁ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଅଣାଯାଇ ଦେହ ବେପାରରେ ନିୟୋଜିତ କରୁଥିବା ଅଭିଯୋଗରେ ପୁଲିସ ଗେଷ୍ଟ ହାଉସ୍‌ ମାଲିକ ସଂଜୟ କୁମାର ବେହେରା(୩୬) ଓ ଗ୍ରାହକ ରଞ୍ଜନ କୁମାର ଜେନା(୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଙ୍ଗୀୟ ଦେହଜୀବୀମାନଙ୍କୁ ଏକ ସେଲ୍ଟର ହୋମ୍‌ରେ ଛଡ଼ା ଯାଇଛି। ସେମାନଙ୍କୁ ତୁରନ୍ତ ଭୁବନେଶ୍ବର ଛାଡ଼ି ପଳାଇଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବରମୁଣ୍ଡାରେ ଥିବା ସମସ୍ତି ଗେଷ୍ଟ୍ ହାଉସ୍‌ରେ ଏହି କାରବାର ଚାଲିଥିବା ଖବର ମିଳିବା ପରେ ଖଣ୍ଡଗିରି ଥାନା ପୁଲିସ ମଙ୍ଗଳବାର ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୩ ଯୁବତୀ ଗୋଟିଏ ରୁମ୍‌ରେ ଥିଲେ। ସେମାନେ ପୁଲିସକୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ମହିଳା ପୁଲିସ କର୍ମଚାରୀ ରୁମ୍ ଯାଞ୍ଚ କରିବା ପରେ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ପାଖ ରୁମ୍‌ରେ ଥିବା ରଞ୍ଜନକୁ ମଧ୍ୟ ପୁଲିସ ସନ୍ଦେହ କରି ପଚରାଉଚରା କରିଥିଲା। ତେଣୁ ସେମାନଙ୍କୁ ଥାନାକୁ ଅଣାଯାଇ ଅଧିକ ପଚରାଉଚରା କରାଯାଇଥିଲା। ତେବେ ପୁଲିସ ଚଢ଼ଉ ବେଳେ ଖସି ପଳାଇଥିବା ମାଲିକ ସଂଜୟ ଧରାପଡ଼ିବା ପରେ ସେ ସତ ମାନି ଯାଇଥିଲା। ପରେ ବଙ୍ଗୀୟ ଦେହଜୀବୀମାନେ ମଧ୍ୟ ସତ ସ୍ବୀକାର କରିଥିଲେ। ଆଜି ଯୁବତୀମାନଙ୍କ ସହ ଗ୍ରାହକ ରଞ୍ଜନର ଡାକ୍ତରୀ ଯାଞ୍ଚ କରାଯାଇଥିଲା। ସଂଜୟ ବଙ୍ଗୀୟ ଯୁବତୀମାନଙ୍କୁ ଗେଷ୍ଟ ହାଉସ୍‌ରେ ରଖି ବେପାର ଚଳାଇବା ସହ ସେମାନଙ୍କୁ ଅଧିକ ଦାମ୍‌ରେ ବାହାରକୁ ଚାଲାଣ କରୁଥିବା ଜଣାପଡ଼ିଛି। ଏମିତିକି ଚଢ଼ା ଦରରେ ଏମାନେ ହୋମ୍ ଡେଲିଭରି ବ୍ୟବସ୍ଥାରେ ମଧ୍ୟ ସେବା ଯୋଗାଉଥିବା ପୁଲିସ ନିକଟରେ ମାନିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର