ରାଜଧାନୀରେ ସେକ୍ସ ରାକେଟ୍ : ଫ୍ଲାଟ୍‌ରେ ଚାଲିଥିଲା ଦେହ ବେପାର

୨ ଗ୍ରାହକଙ୍କ ସହ ମାଲିକାଣୀଙ୍କ ଝିଅ ଗିରଫ, ଜଣେ ଦେହଜୀବୀ ଉଦ୍ଧାର

ଭୁବନେଶ୍ୱର : ସାଇଶ୍ରୀ ଏନ୍‌କ୍ଲେଭ୍‌ର ଏକ ଫ୍ଲାଟ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ରାକେଟ୍‌ ଚଳାଉଥିଲେ ଘର ମାଲିକଙ୍କ ଝିଅ। ଦେହଜୀବୀ ବାହାରୁ ଆସୁଥିଲେ। ଫୋନ୍‌ରେ ଯୋଗାଡ଼ ହେଉଥିଲେ ଗ୍ରାହକ। ଦର ଛିଣ୍ଡିବା ପରେ ଗ୍ରାହକ ପହଞ୍ଚୁଥିଲେ ଫ୍ଲାଟ୍‌ରେ। ଗ୍ରାହକଙ୍କ ଠାରୁ ଆସୁଥିବା ଅର୍ଥରୁ ୩୫ ପ୍ରତିଶତ ନେଉଥିଲେ ମାଲିକାଣୀ। ଦୀର୍ଘ ଦିନ ଧରି ଅନାୟାସରେ ଚାଲିଥିଲା ଏହି ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ଚଢ଼ଉ କରି ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଜଣ ଗ୍ରାହକଙ୍କ ସମେତ ରାଣୀ ମହୁମାଛି କୁହାଯାଉଥିବା ଘର ମାଲିକଙ୍କ ଝିଅ ପୁରୀର ଇତିଶ୍ରୀ ମହାପାତ୍ରଙ୍କୁ ମଧ୍ୟ ଗିରଫ କରିଛି ଏବଂ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି । ଗିରଫ ଗ୍ରାହକ ହେଉଛନ୍ତି ଗଞ୍ଜାମ ପୁରୁଷୋତ୍ତମପୁରର ମନୋଜ ସାହୁ ଓ ସଚିନ ସାହୁ। ଏମାନେ ସମ୍ପର୍କୀୟ ଭାଇ। ଉଦ୍ଧାର ହୋଇଥିବା ଦେହଜୀବୀ ଓଡ଼ିଆ। ପୂର୍ବରୁ ଏଠାରୁ ଅଣଓଡ଼ିଆ ଦେହଜୀବୀ ଆସୁଥିବା ପୁଲିସ ସୂଚନା ପାଇଛି। ସେମାନଙ୍କଠାରୁ ୩ ହଜାର ନଗଦ ଟଙ୍କା, ବିଦେଶୀ ମଦ, ବିଅର, ସିଗାରେଟ୍‌ ଓ କଣ୍ଡୋମ୍‌ ଜବତ କରାଯାଇଛି। ଏମାନଙ୍କ ସହ ସମ୍ପୃକ୍ତ ଫ୍ଲାଟ୍‌ର ମାଲିକଙ୍କ ଝିଅକୁ ମଧ୍ୟ ଗିରଫ କରାଯାଇଛି। ଦେହଜୀବୀଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ଘରକୁ ସିଲ କରାଯାଇଛି।

ପୁଲିସ ସୂଚନା ମୁତାବକ, ବଡ଼ଗଡ଼ କେନାଲ ରୋଡ୍‌ରେ ସାଇଶ୍ରୀ ଏନକ୍ଳେଭ ରହିଛି। ଏଥିରେ ଏକ ୨ ବିଏଚ୍‌କେ ଫ୍ଲାଟ୍‌ ଇତିଶ୍ରୀଙ୍କ ମା’ଙ୍କ ନାମରେ ରହିଛି। ତାଙ୍କ ଝିଅ ଏଠାରେ ରହିବା ସହ ଦେହଜୀବୀ ଆଣି ବେପାର କରୁଥିଲେ। ପ୍ରଥମେ ଦୁଇଜଣ ଦେହଜୀବୀଙ୍କୁ ଆଣି ବେପାର ଆରମ୍ଭ କରିଥିଲେ। ପରେ ସଂଖ୍ୟା ବଢ଼ିବା ସହ ନାମୀଦାମୀ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ଗ୍ରାହକଙ୍କ ଠାରୁ ଅଧଘଣ୍ଟା ପାଇଁ ୪ ହଜାର ଟଙ୍କା ନିଆଯାଉଥିଲା। ଏହାର ୩୫ ପ୍ରତିଶତ ଇତିଶ୍ରୀ ନେଉଥିଲେ। କିନ୍ତୁ ଏହି ଘରେ ଦେହଜୀବୀ ରହୁନଥିଲେ। ପାଖରେ ଆଉ ଏକ ଘର ଭଡ଼ା ନେଇ ସେଠାରେ ସେମାନଙ୍କୁ ରଖା ଯାଉଥିଲା। ଗ୍ରାହକ ଆସିବା ପରେ ତାଙ୍କ ପସନ୍ଦ ଅନୁସାରେ ଦେହଜୀବୀ ତାଙ୍କ ଫ୍ଲାଟ୍‌କୁ ଆସୁଥିଲେ।

ଏହି ରୁମ୍‌କୁ କିଛି ଦିନ ବ୍ୟବଧାନରେ ନୂଆ ନୂଆ ଝିଅ ଓ ପୁଅ ଆସୁଥିବା ସେହି ଏନ୍‌କ୍ଲେଭ୍‌ରୁ ଖବର ମିଳିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଖବର ପାଇବା ପରେ ଘର ଉପରେ ନଜର ରଖିଥିଲା। ଗ୍ରାହକ ଓ ଦେହଜୀବୀ ଥିବା ନିଶ୍ଚିତ ହେବା ପରେ ପୁଲିସ ଗତକାଲି ବିଳମ୍ବିତ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଇତିଶ୍ରୀ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ତାଙ୍କୁ ଧରିବା ପରେ ଫ୍ଲାଟ୍‌ଟି ତାଙ୍କ ମା’ଙ୍କ ନାମରେ ଥିବା ଜଣାପଡ଼ିଥିଲା। ଏଣୁ ପୁଲିସ ମା’ଙ୍କୁ ବି ଜେରା କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଇତିଶ୍ରୀଙ୍କ ମୋବାଇଲ ମଧ୍ୟ ଜବତ ହୋଇଛି। ଏଥିରେ ଗ୍ରାହକଙ୍କ ତାଲିକାରେ ଅନେକ ବଡ଼ବଡ଼ିଆ ଅଛନ୍ତି। ଦେହଜୀବୀଙ୍କ ତାଲିକାରେ କେନ୍ଦ୍ରାପଡ଼ା, ପୁରୀ, ଭୁବନେଶ୍ବର ଉପକଣ୍ଠରୁ ଶତାଧିକ ଯୁବତୀ ରହିଛନ୍ତି। ଏ ସବୁର ଖୋଳତାଡ଼ ଚାଲିଛି ବୋଲି ଲକ୍ଷ୍ମୀସାଗର ଥାନା ଇନ୍‌ସ୍‌ପେକ୍ଟର ଭରତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର