ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ୍‌

କିଙ୍ଗପିନ୍‌ ଓ ପିମ୍ପ ସମେତ ୪ ଅଟକ, ଦୁଇ ଦେହଜୀବୀ ଉଦ୍ଧାର

ଭୁବନେଶ୍ୱର: କିଛିଦିନ ହେବ ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ୍‌ ସକ୍ରିୟ ହୋଇ ଉଠିଛି। ଗତ ୧୦ ଦିନ ମଧ୍ୟରେ ରାଜଧାନୀରୁ ଦୁଇ ଦୁଇଟି ସ୍ଥାନରୁ ସେକ୍ସ ର‍୍ୟାକେଟ୍‌ ଠାବ ଏହା ସ୍ପଷ୍ଟ କରୁଛି। ଗତ କିଛିଦିନ ତଳେ ନୂଆପଲ୍ଲୀ ଥାନା ପୁଲିସ ଆଇଆର୍‌ସି ଭିଲେଜ୍‌ ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ଚଢ଼ଉ କରି ସେଠାରୁ ୬ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଆଜି ସହିଦନଗର ଥାନା ପୁଲିସ ଓ ସ୍ପେସାଲସ୍କ୍ଵାଡ୍‌ ମିଳିତ ଭାବେ ଚଢ଼ଉ କରି ଗଜପତିନଗର ବ୍ୟାଙ୍କ ହାଉସ୍‌ କଲୋନିର ଏକ ଦୁଇ ମହଲା ଘରେ ଚାଲିଥିବା ସେକ୍ସ ର‍୍ୟାକେଟ୍‌କୁ ଠାବ କରିଛି। ପୁଲିସ ର‍୍ୟାକେଟ୍‌ର କିଙ୍ଗପିନ୍‌, ପିମ୍ପ୍‌ ଓ ୨ ଗ୍ରାହକଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିବା ବେଳେ ସେଠାରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିଛି। ପୁଲିସ ସେମାନଙ୍କଠାରୁ ୧୦ଟି ମୋବାଇଲ୍‌ ଫୋନ୍‌, ୧୦ ହଜାର ଟଙ୍କା ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ସେମାନେ ହେଲେ ର‍୍ୟାକେଟ୍‌ର ପିମ୍ପ୍‌ ଆଦର୍ଶ ରଞ୍ଜନ ପାତ୍ର(୨୫) ଓ କିଙ୍ଗପିନ୍‌ ନିରୂପମା ସାମଲ(୨୯)। ତେବେ ଆଦର୍ଶର ଘର ବାଲେଶ୍ୱର ଜିଲ୍ଲା ହୋଇଥିବା ବେଳେ ନିରୂପମାଙ୍କ ଘର ବରଗଡ଼ ଜିଲ୍ଲା ଟାଉନ୍‌ ବୋଲି ଜଣାପଡ଼ିଛି। ସେହିପରି ଗ୍ରାହକ ଦ୍ୱୟ ହେଲେ ଯାଜପୁର ରୋଡ୍‌ ଅଞ୍ଚଳର ହରିକୃଷ୍ଣ ଅଗ୍ରଓ୍ଵାଲ(୫୦) ଓ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ଅମିୟ ପଣ୍ଡା(୩୦)।

ପୁଲିସ ସୂଚନା ମୁତାବକ, ଗତ ୬ ମାସ ହେବ ନିରୂପମା ଓ ଆଦର୍ଶ ମିଶି ସେଠାରେ ସେକ୍ସ ର‍୍ୟାକେଟ୍‌ ଚଲାଉ ଥିବା ପୁଲିସ ଖବର ପାଇଥିଲା। ପ୍ରତିଦିନ ନୂଆ ନୂଆ ଯୁବତୀ ଓ ଯୁବକଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କୁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୁଲିସରେ ମଧ୍ୟ ଅଭିଯୋଗ କରିଥିଲେ। ଗତ ଦୁଇଦିନ ତଳେ ପୁଲିସ ଚଢ଼ଉ କରିଥିଲେ ମଧ୍ୟ ନରୂପମା ଓ ଆଦର୍ଶ ଚତୁରତାର ସହ ଖସିଯାଇଥିଲେ। ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇ ସ୍ପେସାଲସ୍କ୍ଵାଡ୍‌ ଓ ସହିଦନଗର ଥାନା ପୁଲିସ ମିଳତି ଭାବେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେଠାରେ ଦୁଇଜଣ ଗ୍ରାହକ ଓ ଦେହଜୀବୀଙ୍କୁ ଅସଂଯତ ଅବସ୍ଥାରେ ପାଇ ସମସ୍ତଙ୍କୁ ଗିରଫ କରିଥିଲା। ତେବେ ପୁଲିସ ଉଭୟ କିଙ୍ଗପିନ୍‌ ଓ ପିମ୍ପକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଆସନ୍ତା କାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସେହିପରି ଦେହଜୀବୀଙ୍କୁ ସର୍ଟଷ୍ଟେ ହୋମ୍‌କୁ ପଠାଯିବ ବୋଲି ଜଣାପଡ଼ିଛି। ଯାହା ସୂଚନା ମିଳିଛି ଏକ ସ୍ୱେଚ୍ଛାସେବୀ ସଂଗଠନ ନାଁରେ ସେହି ଘରକୁ ଭଡ଼ା ଦିଆଯାଇଥିଲା। ବାବୁ ନାମକ ଜଣେ ଯୁବକଙ୍କୁ ପୁଲିସ ଏବେ ଖୋଜାଖୋଜି କରିବା ଆରମ୍ଭ କରିଛି। କାରଣ ସେ ହିଁ ଯୁବତୀମାନଙ୍କୁ ଏହି ର‍୍ୟାକେଟ୍‌ରେ ସାମିଲ୍‌ କରାଇଥିଲା। ବାବୁର ଘର ବାଲେଶ୍ୱରରେ।

ସମ୍ବନ୍ଧିତ ଖବର