ଗେଷ୍ଟହାଉସ୍‌ରେ ସେକ୍ସ ରାକେଟ୍‌; ଦଲାଲ ସମେତ ୩ ଗିରଫ, ରୂପଜୀବୀ ଉଦ୍ଧାର

ଭୁବନେଶ୍ବର : କରୋନା ପାଇଁରାଜଧାନୀରେ ଏବେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଅଧିକାଂଶ ଦୋକାନବଜାର ବନ୍ଦ ଅଛି। ମାତ୍ର ବେଧଡ଼କ ଚାଲିଛି ଦେହ ବେପାର। ରବିବାର ଦିନ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରୢାକେଟ୍ ଧରାପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି।

ବୁଦ୍ଧେଶ୍ବରୀ କଲୋନିରେ ଥିବା ଏନ୍‌.କେ. ଗେଷ୍ଟହାଉସ୍‌ରେ ଚାଲିଥିଲା ଦେହ ବେପାର। ରାଜଧାନୀ ଭିତରୁ ଓ ବାହାରୁ ଆସି ଗ୍ରାହକ ମଉଜ କରୁଥିଲେ। ଦେହଜୀବୀଙ୍କୁ ଲଗାଇ ଦଲାଲ ରୋଜଗାର କରୁଥିଲା ଟଙ୍କା। ଏଭଳି ସୂଚନା ମିଳିବା ପରେ ଆଜି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପୁଲିସ ଚଢ଼ଉ କରି ଏକ ଘରୁ ଜଣେ ରୂପଜୀବିଙ୍କୁ ଉଦ୍ଧାର କରିବା ସହ ୨ଜଣ ଗ୍ରାହକ ଓ ଜଣେ ଦଲାଲକୁ ଧରିଛି। ଗିରଫ ହୋଇଥିବା ଦଲାଲ ହେଉଛି ପୁରୀ ଗୋପର ବିଜୟ କୁମାର ଦାସ ଏବଂ ଦୁଇ ଗ୍ରାହକ ହେଉଛନ୍ତି କଟକ ଗୋବିନ୍ଦପୁରର ବିଭୂତି ଦାସ ଓ କଟକ କିଶନ ନଗରର ବିନୟ ମହାପାତ୍ର। ଉଦ୍ଧାର ରୂପଜୀବିକୁ ସୁଧାର ଗୃହରେ ରଖାଯାଇଛି। ଗେଷ୍ଟହାଉସ୍‌ରୁ କଣ୍ଡୋମ୍‌, ଏଟିଏମ୍‌ କାର୍ଡ, ଔଷଧ ପ୍ରଭୃତି ଜବତ କରାଯାଇଛି। ଅନ୍ୟପଟେ ଗେଷ୍ଟ ହାଉସ୍‌ ପରିଚାଳନା କରୁଥିବା ବିଜୟକୁ ପଚରାଉଚରା ବେଳେ ଅନେକ ବଡ଼ବଡ଼ିଆଙ୍କ ଘରକୁ ଦେହଜୀବି ଯାଉଥିଲେ ବୋଲି ସେ ପ୍ରକାଶ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ପୁଲିସ ଖୋଳତାଡ଼ କରୁଛି।

ଗେଷ୍ଟହାଉସ୍ ମାଲିକ ବିଦେଶ‌ରେ, ପୁଲିସ ବେଶ୍ୟାଳୟ ଘୋଷଣା କରିବ କି?
ବୁଦ୍ଧେଶ୍ବରୀ କଲୋନିରେ ଥିବା ଏହି ଘରର ମାଲିକ ବିଦେଶରେ ରହୁଛନ୍ତି। ସେ ଏହି ଘରର ରକ୍ଷଣାବେକ୍ଷଣ କରିବାକୁ ବିଜୟ ଦାସକୁ ଦାୟିତ୍ବ ଦେଇଥିଲେ। ପୂର୍ବରୁ ଅଟୋ ଚଳାଉଥିବା ବିଜୟ ଘର ମିଳିବା ପରେ ଏଠାରେ ଏନ୍‌କେ ଗେଷ୍ଟହାଉସ୍‌ କରି ଦେହ ବେପାର ଆରମ୍ଭ କରିଥିଲା। ପୁରୀ, ନୟାଗଡ଼, କେନ୍ଦ୍ରପଡ଼ା ପ୍ରଭୃତି ଜିଲ୍ଲାରୁ ଯୁବତୀମାନଙ୍କୁ ଆଣି ଏଠାରେ ରଖୁଥିଲା। ଲକ୍‌ଡାଉନ୍‌ ସମୟରେ ଯୁବତୀମାନେ ଏଠା‌ରେ ରହୁଥିଲେ। ଏବେ ଲକ୍‌ଡାଉନ୍‌ କୋହଳ ହେବା ପରେ ଯୁବତୀମାନେ ଯିବା ଆସିବା କରିବାରୁ ଲୋକଙ୍କର ସନ୍ଦେହ ହୋଇଥିଲା। ଏ ନେଇ ପୁଲିସ ପାଖକୁ ଖବର ଆସିବା ପରେ ଆଜି ଚଢ଼ଉ କରାଯାଇଥିଲା। ଅନ୍ୟପକ୍ଷରେ ବିଦେଶରେ ଥିବା ଘର ମାଲିକଙ୍କ ସହ ପୁଲିସ ଏବେ ଯୋଗାଯୋଗ କରୁଛି। ଏଭଳି ବେପାର ନେଇ ମାଲିକଙ୍କ ପାଖରେ ଖବର ଥିଲା କି ନାହିଁ? ମାଲିକଙ୍କ ଇଙ୍ଗିତରେ ଏଭଳି କାରବାର ଚାଲୁଥିଲା କି? ଏ ନେଇ ନିଶ୍ଚିତ ହେବା ପରେ ପୁଲିସ ଏହି ଘରକୁ ବେଶ୍ୟାଳୟ ଘୋଷଣା କରିପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର