କନ୍‌ସଲ୍‌ଟାନ୍ସି ନାଁରେ ସେକ୍ସ ରାକେଟ୍‌

ସଂସ୍ଥା ମୁଖ୍ୟ ଗିରଫ, ୩ ଦେହଜୀବୀ ଉଦ୍ଧାର, ବହୁ ଆପତ୍ତିଜନକ ସାମଗ୍ରୀ ଜବତ

ଚଢ଼ଉ ବେଳେ ଖସିଗଲେ ୨ ଯୁବତୀ, ୪ ଗ୍ରାହକ

ଭୁବନେଶ୍ୱର : ଏଥର ରାଜଧାନୀରେ ବଦଳି ଯାଇଛି ସେକ୍ସ ରୢାକେଟ୍‌ର ଠିକଣା। ଆଗରୁ ସ୍ପା’, ମସାଜ୍‌ ସେଣ୍ଟର୍‌, ଗେଷ୍ଟହାଉସ୍‌ରେ ସେକ୍ସ ରୢାକେଟ୍‌ ଚାଲିଥିବା ଘଟଣା ପଦାକୁ ଆସୁଥିଲା। ଏବେ ପୁଲିସକୁ ଚକ୍‌ମା ଦେବା ପାଇଁ ଦେହ ବେପାରୀ ଭିନ୍ନ ତରିକା ଆପଣାଇଛନ୍ତି। କନ୍‌ସଲ୍‌ଟାନ୍ସି ଅଫିସ୍‌ରେ ଚାକିରି ଦେବା ନାଁରେ ଚଲାଇଛନ୍ତି ସେକ୍ସ ରୢାକେଟ୍‌। ସତ୍ୟବିହାରର ଲକ୍ଷ୍ମୀ କନସଲ୍‌ଟାନ୍ସିରେ ଦେହ ବେପାର ଚାଲିଥିବା ବେଳେ ମଞ୍ଚେଶ୍ବର ଥାନା ପୁଲିସ ଚଢ଼ଉ କରି ରୢାକେଟ୍‌ର ମୁଖ୍ୟକୁ ଗିରଫ କରିବା ସହ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି। ଗିରଫ ହୋଇଥିବା ରୢାକେଟ୍‌ର ମୁଖ୍ୟ ହେଲା, ରାଉଲ୍‌କେଲା ଛେଣ୍ଡ କଲୋନିର ଲକ୍ଷ୍ମୀନାରାୟଣ ପଟ୍ଟନାୟକ(୩୮)। ଏହି ଅଫିସ୍‌ରୁ ୩ଟି ମୋବାଇଲ୍‌, ଅଫିସ୍‌ କାଗଜପତ୍ର, ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

ସୂଚନା ମୁତାବକ, ଏଠାରେ ‌ଦେହ ବ୍ୟବସାୟ ଚାଲୁଥିବା ନେଇ କିଛି ଦିନ ତଳେ ପୁଲିସ ଖବର ପାଇଥିଲା। ଚଢ଼ଉ ପାଇଁ ପୁଲିସ ସୁଯୋଗକୁ ଅପେକ୍ଷା କରିଥିଲା। ରବିବାର ବିଳମ୍ବିତ ରାତିରେ ସେଠାରେ କେତେକ ଗ୍ରାହକ ଥିବା ଜାଣିବା ପରେ ଏକ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ବିଳମ୍ବିତ ରାତିରେ ପୁଲିସକୁ ଘର ତଳେ ଦେଖି ଲକ୍ଷ୍ମୀ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲା। ପୁଲିସ ଘର ଭିତରେ ପଶିବା ପୂର୍ବରୁ ଯିଏ ଯେଉଁବାଟେ ପାରିଲେ, ଡେଇଁ ଖସି ପଳାଇଥିଲେ। ୪/୫ଜଣ ଯୁବକ ଏବଂ ୨ଜଣ ଯୁବତୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ହେଲେ ସଂସ୍ଥା ମାଲିକ ଏବଂ ଅନ୍ୟ ୩ଜଣ ଚେଷ୍ଟା କରିଥିଲେ ବି ପୁଲିସ ହାତରୁ ଖସି ପାରି ନଥିଲେ। ପୁଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହିପରି ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା। ସେମାନଙ୍କୁ ଥାନାକୁ ଆଣି ପାଖାପାଖି ୫ଘଣ୍ଟା କାଳ ଜେରା ପରେ ସେମାନେ ଦେହ ବ୍ୟବସାୟରେ ସାମିଲ ଥିବା ମାନି ଯାଇଥିଲେ। ଏ ସଂପର୍କରେ ମଞ୍ଚେଶ୍ବର ପୁଲିସ ଏକ ମାମଲା ରୁଜୁକରି ଲକ୍ଷ୍ମୀକୁ କୋର୍ଟ ଚାଲାଣ କରିଛି। ସେହିପରି ଯୁବତୀମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ ଜିମା ଦିଆଯାଇଛି। ଅନ୍ୟପଟେ ଘରକୁ ବେଶ୍ୟାଳୟ ଘୋଷଣା ପାଇଁ ମଞ୍ଚେଶ୍ବର ଥାନା ପୁଲିସ ଯୋଜନା କରୁଛି। ଯେହେତୁ ଏହା ଆବାସିକ ଅଞ୍ଚଳ ଭିତରେ ରହିଛି, ପୁଲିସ କମିସନରଙ୍କୁ ଆବେଦନ ପାଇଁ ଡିସିପିଙ୍କୁ ଜଣାଇଛି। ବେଶ୍ୟାଳୟ ଘୋଷଣା ହେଲେ ବର୍ଷେ ଯାଏ ଘର ସିଲ୍‌ କରାଯିବ।

Laksha Maharashtra

ବଙ୍ଗୀୟ ଯୁବତୀଙ୍କ ଚାହିଦା
ଗ୍ରାହକଙ୍କ ଚାହିଦା ମୁତାବକ ବେଶୀ ବଙ୍ଗୀୟ ଯୁବତୀଙ୍କୁ ସାମିଲ କରାଯାଉଥିଲା। ଜଣେ ଗ୍ରାହକଙ୍କଠାରୁ ରାତି ପିଛା ୨ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ଅର୍ଥ ଆଦାୟ କରାଯାଉଥିଲା। ବିଭିନ୍ନ ସ୍କୁଲ, କେଲଜ ଯୁବତୀଙ୍କୁ ବି ନିଜର ଟାର୍ଗେଟ୍‌ ବନାଇଥିଲା ଲକ୍ଷ୍ମୀ। ସେମାନଙ୍କୁ ଟଙ୍କା ରୋଜଗାର ଲୋଭ ଦେଖାଇ ବ୍ୟବସାୟରେ ସାମିଲ୍‌ କରୁଥିଲା।

ଗାଏବ୍‌ କରିଛି ସିସିଟିଭି ଫୁଟେଜ୍‌
ଲକ୍ଷ୍ମୀ ଘରର ସୁରକ୍ଷା ପାଇଁ ସବୁଠି ସିସିଟିଭି ଲଗାଇଛି। ସବୁଦିନ ସିସିଟିଭି ଫୁଟେଜ୍‌ ରେକର୍ଡ ବି ହେଉଛି। ହେଲେ ସେ ଏତେ ଚତୁର ଯେ ପୁଲିସ ଆସିବା ପୂର୍ବରୁ ଫୁଟେଜ୍‌କୁ ଗାଏବ୍‌ କରିଦେଇଛି। କାଳେ ସିସିଟିଭି ଫୁଟେଜ୍‌ରୁ ସଂସ୍ଥାର ସମସ୍ତ ଗୁମର ଖୋଲିଦେବ, ସେଥିପାଇଁ ଫୁଟେଜ୍‌କୁ ଗାଏବ କରିଦେଇଛି। ହେଲେ ପୁଲିସ ଫୁଟେଜ୍‌କୁ କିଭଳି ରିଷ୍ଟୋର୍‌ କରି ହେବ, ସେ ଦିଗରେ ଉଦ୍ୟମ ଚଳାଇଛି।

ବର୍ଷେ ହେବ ଚାଲିଥିଲା ଦେହ ବେପାର
ବର୍ଷେ ହେବ ଲକ୍ଷ୍ମୀ ଘର ମାଲିକଙ୍କୁ ଭୁଆଁ ବୁଲାଇ ଚାଲିଥିଲା। ୨୦୨୦ ଅକ୍ଟୋବରରେ ସେଠାରେ କନ୍‌ସଲ୍‌ଟାନ୍ସି ଅଫିସ୍‌ କରିବ ବୋଲି ଘର ଭଡ଼ା ନେଇଥିଲା। ସମ୍ପୂର୍ଣ୍ଣ ୩ ମହଲା ଘରକୁ ମାସିକ ୪୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲା। ବର୍ଷେ ହେବ ସେଠାରେ ଦେହ ବେପାର ଚାଲିଥିଲେ ବି ପୁଲିସ ଟେର୍‌ ପାଇ ନଥିଲା।

ଚାକିରି ନାଁରେ ଗ୍ରାହକଙ୍କ ସେବାରେ ଲଗାଉଥିଲା
ଯୁବତୀଙ୍କୁ ପ୍ରଥମେ ବଡ଼ବଡ଼ କର୍ପୋରେଟ୍‌ ସଂସ୍ଥାରେ ଚାକିରି କରାଇଦେବାର ଲୋଭ ଦେଖାଯାଉଥିଲା। ପ୍ରଥମେ ଏଠାରେ ଟ୍ରେନିଂ ନେବାକୁ କହି ସଂସ୍ଥା ସହ ଯୋଡ଼ା ଯାଉଥିଲା। ଏହି ଟ୍ରେନିଂ ନାଁରେ ସେମାନଙ୍କୁ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ କ’ଣ କୁହାଯାଉଥିଲା। ସେମାନେ ଥରେ ସଂସ୍ଥା ସହ ଯୋଡ଼ି ହେବା ପରେ ସେମାନଙ୍କୁ ଭିନ୍ନ ରାସ୍ତା ଦେଖାଯାଉଥିଲା। ଯେଉଁମାନେ ସଂସ୍ଥାରେ ରହୁଥିଲେ, ସେମାନଙ୍କୁ ଆଇକାର୍ଡ ଓ ବଡ଼ବଡ଼ ପଦରେ ବସାଯାଉଥିଲା। ଏହାପରେ ସେମାନଙ୍କୁ ଗ୍ରାହକଙ୍କ ଆବଶ୍ୟକତା ମୁତାବକ ସ୍ଥାନକୁ ପଠାଯାଉଥିଲା। କେତେବେଳେ ବଡ଼ ବଡ଼ ସଂସ୍ଥାର ମୁଖ୍ୟଙ୍କ ସହ ରାତ୍ରିଯାପନ ପାଇଁ ବାହାରକୁ ତ ପୁଣି କେତେବେଳେ ଖୋଦ୍‌ ଅଫିସ୍‌ରେ ଗ୍ରାହକଙ୍କ ସହ କିମ୍ବା ଗ୍ରାହକଙ୍କ ସହ ବାହାରକୁ ବି ଯିବାକୁ ପଡ଼ୁଥିଲା। ଏମିତି କରି ଲକ୍ଷ୍ମୀ ଯୁବତୀଙ୍କୁ ବ୍ୟବସାୟରେ ସମ୍ପୃକ୍ତି କରି ମୋଟା ଅର୍ଥ ରୋଜଗାର କରୁଥିଲା।

ଗ୍ରାହକଙ୍କ ପାଇଁ ଉନ୍ନତ ସେବା
ଗ୍ରାହକଙ୍କୁ ଖୁସି କରିବା ଓ ଓଡ଼ିଶାରେ ବିଦେଶୀ ସେବାର ମଜା ଦେବା ପାଇଁ ଅଫିସ୍‌ ଭିତରେ ବେଡ୍‌ ଓ ରୁମ୍‌ଗୁଡ଼ିକୁ ହୋଟେଲ୍‌ ଭଳି ସଜା ଯାଇଥିଲା। ରୁମ୍‌ଗୁଡ଼ି‌କରେ ଏସି ଓ ରଂଗିନ୍‌ ଆଲୋକ ସଜାଯାଇ ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରାଯାଉଥିଲା।

ସମ୍ବନ୍ଧିତ ଖବର