ଟ୍ରଷ୍ଟ କାର୍ଯ୍ୟାଳୟରେ ଦେହବେପାର: ୨ ଦଲାଲଙ୍କ ସମେତ ୩ ଗିରଫ

ଗୁପ୍ତ କୋଠରିରୁ ବଙ୍ଗୀୟ ଯୁବତୀ ଉଦ୍ଧାର, ଡାଏରି ଖୋଲିବ ବଡ଼ ଗୁମର

ଭୁବନେଶ୍ବର : ଭିଆଇପି କଲୋନି ଭିତରେ ଦୁଇ ମହଲା ବିଶିଷ୍ଟ ସୁଦୃଶ୍ୟ ଅଟ୍ଟାଳିକାକୁ ଭଡ଼ାରେ ନିଆଯାଇ ଚାଲିଥିଲା ଏକ ଠାକୁରଙ୍କ ନାଁରେ ନାମିତ ଟ୍ରଷ୍ଟ କାର୍ଯ୍ୟାଳୟ। କୋଠାର ପ୍ରବେଶ ପଥ ବା ପ୍ରଥମ ରୁମ୍‌ରେ ଲାଗିଥିଲା ବାବାଙ୍କ ବିଶାଳ ଫଟୋ ଓ ପ୍ରତିମୂର୍ତ୍ତି। କାର୍ଯ୍ୟାଳୟ ଢାଞ୍ଚାରେ ପଡ଼ିଥିଲା ଦାମୀ ଆସବାବପତ୍ର। ସିସି କ୍ୟାମେରା ଓ ବଡ଼ ଟିଭି ବି ଲାଗିଥିଲା। ତେଣୁ ଏହାକୁ ଏକ ଟ୍ରଷ୍ଟ କାର୍ଯ୍ୟାଳୟ ବୋଲି ସମସ୍ତେ ସହଜରେ ବିଶ୍ବାସ କରୁଥିଲେ। କିନ୍ତୁ ଉପରକୁ ସିନା ଏହା ଟ୍ରଷ୍ଟ କାର୍ଯ୍ୟାଳୟ ଥିଲା, ଭିତରେ ଚାଲିଥିଲା ଦେହବେପାର। ବଙ୍ଗୀୟ ଯୁବତୀମାନଙ୍କୁ ଭଡ଼ାରେ ଆଣି ଦୁଇ ଦଲାଲ୍‌ ଚଳାଇଥିଲେ ଏହି କଳା କାରନାମା। ନାଗେଶ୍ବରଟାଙ୍ଗୀସ୍ଥିତ ଏକ ଭିଆଇପି କଲୋନିରେ ଦୀର୍ଘ ୩ ବର୍ଷ ହେଲା ଚାଲିଥିବା ଏହି ରୢାକେଟ୍‌କୁ ଆଜି ଠାବ କରିଛି ଶ୍ରୀଲିଙ୍ଗରାଜ ଥାନା ପୁଲିସ। ଟ୍ରଷ୍ଟ କାର୍ଯ୍ୟାଳୟ ଭିତରୁ ଜଣେ ବଙ୍ଗୀୟ ଦେହଜୀବୀ, ଜଣେ ଗ୍ରାହକ ଓ ୨ଜଣ ଦଲାଲଙ୍କୁ ପୁଲିସ ଥାନାକୁ ଉଠାଇନେଇଛି। ଦଲାଲଦ୍ବୟ ହେଲେ ଆଠଗଡ଼ର ନରେଶ ରଣା, ରାଜକିଶୋର ସାହୁ ଓ ଗ୍ରାହକ ହେଲେ ସୁଶାନ୍ତ ପ୍ରଧାନ। ଗୁପ୍ତ କୋଠରି ଭିତରୁ ବଙ୍ଗୀୟ ଯୁବତୀଙ୍କ ସହ ଗ୍ରାହକଙ୍କୁ ଧରାଯାଇଥିବା ବେଳେ ବିପୁଳ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସୁଚିନ୍ତିତ ଉପାୟରେ ଟ୍ରଷ୍ଟ ନାଁରେ ଲୋକଙ୍କ ଆଖିରେ ଧୂଳି ଦେଇ ଦୁଇ ଦଲାଲ୍ ଚଳାଇଥିବା ଏହି କାଣ୍ଡର ପର୍ଦ୍ଦାଫାସ୍‌ ହେବା ପରେ ସ୍ଥାନୀୟ ଲୋକେ ହତବାକ୍‌ ହୋଇପଡ଼ିଛନ୍ତି।

ସୂଚନାନୁଯାୟୀ, ନାଗେଶ୍ବରଟାଙ୍ଗୀ ହିରୋ‌ହୋଣ୍ଡା ଗଳିରେ ଏକ ଭଡ଼ା ଘରେ ଛଦ୍ମନାମ ନେଇ ଉକ୍ତ ଟ୍ରଷ୍ଟ କାର୍ଯ୍ୟାଳୟ ଚାଲିଥିଲା। ବାବାଙ୍କ ନାଁ ଥିବାରୁ କାର୍ଯ୍ୟାଳୟ ବାବଦରେ କେହି ମୁଣ୍ଡ ଖେଳାଉନଥିଲେ। ତେଣୁ ଭିତରେ ଦେହବେପାର ଚାଲିଥିବା ନେଇ କେହି କିଛି ଟେର୍‌ ପାଉନଥିଲେ। ତେବେ ବେଶି ଦିନ କଥା ଅଛପା ରହିଲା ନାହିଁ। କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅତର୍କିତ ଭାବେ ସେଠାରେ ଚଢ଼ଉ କରିଥିଲା। କାର୍ଯ୍ୟାଳୟର ଏକ ଗୁପ୍ତ କୋଠରି ଭିତରୁ ଅସ˚ଯତ ଅବସ୍ଥାରେ ଜଣେ ଗ୍ରାହକଙ୍କ ସହ ଜଣେ ବଙ୍ଗୀୟ ଯୁବତୀଙ୍କୁ ଠାବ କରାଯାଇଥିଲା। ଉକ୍ତ ରୁମ୍‌ ଭିତରୁ ବିପୁଳ ପରିମାଣର ବ୍ୟବହୃତ ଓ ଅବ୍ୟବହୃତ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଏଣେ ପୁଲିସକୁ ଦେଖି ଦୁଇ ଦଲାଲ ଚମ୍ପଟ ମାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପୁଲିସ ସେମାନଙ୍କୁ କାବୁ କରିଥିଲା।

ପୁଲିସ ସୂଚନା ଅନୁସାରେ ଦଲାଲଦ୍ବୟ ବଙ୍ଗୀୟ ଯୁବତୀମାନଙ୍କୁ ଆଣି ଏଠାରେ ଦେହବେପାରରେ ନିୟୋଜିତ କରିବା ସହ ସେମାନଙ୍କୁ ଅନ୍ୟତ୍ର ପଠାଉଥିବା ଜଣାପଡ଼ିଛି। ଜଣେ ଦଲାଲ ଯୁବତୀ ଯୋଗାଡ଼ କରୁଥିବା ବେଳେ ଅନ୍ୟ ଜଣଙ୍କ ଗ୍ରାହକ ଖୋଜନ୍ତି ବୋଲି ପୁଲିସ କହିଛି। ଚଢ଼ଉ ବେଳେ ଘଟଣାସ୍ଥଳରୁ ୩ ବାଇକ୍‌, ଗୋଟିଏ ଲାପଟପ୍‌, ୪ ଡାଏରି, ୭ ମୋବାଇଲ୍‌, ୭୫୦୦ ଟଙ୍କା ଜବତ କରାଯାଇଛି। ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ ଅଧିକ ତଥ୍ୟ ଦେଇପାରିନାହିଁ। ଆସନ୍ତାକାଲି ଯୁବତୀଙ୍କୁ କୌଣସି ଆଶ୍ରୟ କେନ୍ଦ୍ରରେ ଛଡ଼ାଯିବାକୁ ଥିବା ବେଳେ ୨ ଦଲାଲ ଓ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଭିଆଇପି ଅଞ୍ଚଳରେ ଥିବା ଏହି ଟ୍ରଷ୍ଟ କାର୍ଯ୍ୟାଳୟକୁ ବହୁ ଦାମୀ ଲୋକ ଆସୁଥିବାରୁ ଜବତ ଡାଏରିରେ ବହୁ ଗୁମର ରହିଛି। ତେଣୁ ପୁଲିସର ଉପଯୁକ୍ତ ତଦନ୍ତ ବଳରେ ଡାଏରିରୁ ବହୁ ଗୁମର ଖୋଲିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର