କଟକ ରୋଡ୍‌ ସନ୍‌ସାଇନ୍‌ ପ୍ଲାଜାରେ ସେକ୍ସ ରୢାକେଟ୍‌ ଠାବ, ଫିଜିଓଥେରାପି ନାଁରେ ଚାଲୁଥିଲା ଦେହ ବେପାର

ଭୁବନେଶ୍ୱର: କଟକ ରୋଡ୍‌ରେ ଥିବା ସନ୍‌ସାଇନ୍‌ ପ୍ଲାଜାରେ ଏକ ସେକ୍ସ ରୢାକେଟ୍‌କୁ ଠାବ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ହୋଟେଲରେ ଚଢ଼ଉ କରି ଦୁଇଜଣ ଗ୍ରାହକଙ୍କ ସମେତ ୪ ଜଣ ଦେହଜୀବୀ ଓ ବେପାର ସହ ସମ୍ପୃକ୍ତ ମୁଖ୍ୟ ତିନିଜଣଙ୍କ ସମେତ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଛି। ଫିଜିଓଥେରାପି ନାମରେ ଏଠାରେ ଦେହବେପାର ଚାଲୁଥିବା ଜଣାପଡ଼ିଛି। ‌ଦେହଜୀବୀମାନେ ସମସ୍ତେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଗିରଫ ଗ୍ରାହକମାନେ ହେଉଛନ୍ତି ଡୁମୁଡୁମା ହାଉସିଂ ବୋର୍ଡର ଶୁଭେନ୍ଦୁ ରଥ ଓ ବିଜେବି ନଗରର ଅବିନାଶ ନାୟକ। ଏହି ବେପାରର କିଙ୍ଗ୍‌ ପିନ୍‌ ଭୁବନେଶ୍ବରର ରାଜା ବାରିକ ଗିରଫ ହୋଇଥିବା ବେଳେ ସେଣ୍ଟର ମୁଖ୍ୟ ଗିରିଜା ଶଙ୍କର ସେନାପତି ଓ ତାଙ୍କ ସହଯୋଗୀ କୋରାପୁଟର ସୁଧାଂଶୁ ରଞ୍ଜନ ମାଣିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଫିଜିଓଥେରାପି ନାମରେ ପ୍ରଥମେ ଗ୍ରାହକଙ୍କୁ ଡକାଯାଇ ବେପାର ସମ୍ପର୍କରେ କୁହାଯାଉଥିଲା। ଯେଉଁମାନେ ଇଚ୍ଛୁକ ହେଉଥିଲେ ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଶାରୀରିକ ସମ୍ପର୍କର ସୁଯୋଗ ଦିଆଯାଉଥିଲା। ଏ ସମସ୍ତଙ୍କୁ ପଚରା ଉଚରା ଚାଲିଛି। ଚେର ଆଉ କୁଆଡ଼େ ଲମ୍ବିଛି ତାହା ପୁଲିସ ଖୋଜୁଛି। ଭୁବନେଶ୍ବରରେ ମଧ୍ୟ ଆଉ କେତେକ ଦଲାଲ ଏବଂ ଏଭଳି କେନ୍ଦ୍ର ରହିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି। ଖୁବ୍‌ଶୀଘ୍ର ଅନ୍ୟ ସେଣ୍ଟରଗୁଡ଼ିକ ଉପରେ ଚଢ଼ଉ କରାଯିବ ବୋଲି ଜୋନ୍‌-୪ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ ଓ ଏସିପିଙ୍କ ନେତୃତ୍ବରେ ଦୁଇଟି ଦଳ ଏହି ସନ୍‌ସାଇନ୍‌ ପ୍ଲାଜା ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସମସ୍ତଙ୍କୁ ଅସଞ୍ଜତ ଅବସ୍ଥାରେ ଧରାଯାଇଥିବା ବେଳେ କେତେକ ଉତ୍ତେଜକ ଔଷଧ ଓ କଣ୍ଡୋମ୍‌ ଜବତ ହୋଇଥିଲା।

କଟକ ରୋଡ୍‌ ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ସନ୍‌ସାଇନ୍‌ ପ୍ଲାଜା ରହିଛି। ଏଥିରେ ଏକ ଫ୍ଲୋର୍‌ରେ ଏହି ଫିଜିଓଥେରାପି ସେଣ୍ଟର ଚାଲିଥିଲା। ଗିରିଜା ଶଙ୍କର ଓ ସୁଧାଂଶୁ ଏହାକୁ ପରିଚାଳନା କରୁଥିଲେ। ରାଜା ବାରିକ କୋଲକାତାରୁ ଯୁବତୀମାନଙ୍କୁ ଏଠାକୁ ଆଣୁଥିଲେ। ଥରେ ଗ୍ରାହକ ଆସିବା ପରେ ଅନ୍ୟ ଗ୍ରାହକମାନଙ୍କ ପାଖରେ ଖବର ପହଞ୍ଚୁଥିଲା। ‌ସେଣ୍ଟରରେ ଗ୍ରାହକମା‌ନେ ଯୁବତୀକୁ ପସନ୍ଦ କରିବା ପରେ ସମ୍ପୃକ୍ତ ଯୁବତୀକୁ ନେଇ ଗ୍ରାହକ ରୁମ୍‌କୁ ଯାଉଥିଲା। ରୁମ୍‌ ଓ ଦେହଜୀବୀର ଦେୟ ଏକତ୍ର ଆଦାୟ ହେଉଥିଲା। ନୂଆ ତଥା ଅଜଣା ଗ୍ରାହକଙ୍କୁ ସୁଯୋଗ ଦେବା ପୂର୍ବରୁ ରାଜା ତର୍ଜମା କରୁଥିଲା। ନିୟମିତ ଗ୍ରାହକଙ୍କୁ ପ୍ରଥମ ସୁଯୋଗ ଦିଆଯାଉଥିବା ବେଳେ ନିୟମିତ ଗ୍ରାହକ ଆଣୁଥିବା ନୂଆ ଗ୍ରାହକଙ୍କୁ ପ୍ରାଥମିକତା ଦିଆଯାଉଥିଲା। ଫିଜିଓଥେରାପି କେନ୍ଦ୍ରରେ ଗ୍ରାହକଙ୍କୁ ଶାରୀରିକ ସମ୍ପର୍କ ପାଇଁ ସୁଯୋଗ ଦିଆଯାଉନଥିଲା। ବାହାରୁ ଦେଖିଲେ ଏହା ଯେଭଳି ଫିଜିଓଥେରାପି କେନ୍ଦ୍ର ଭଳି ଲାଗିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଫଳରେ ଦୀର୍ଘ ଦିନ ହେବ ଏହି ବେପାର ଚାଲିଥିଲେ ବି ଏ ସମ୍ପର୍କରେ କାହା ପାଖେ ଖବର ନଥିଲା।

ସମ୍ବନ୍ଧିତ ଖବର