ଦିବ୍ୟାଙ୍ଗ ଯୁବତୀଙ୍କୁ ‌ଯୌନଶୋଷଣ ମାମଲା : ନ୍ୟାୟ ଦେବେ ତ ଭିନ୍ନକ୍ଷମ ଆୟୋଗ?

ଦୁଇ ମାସ ପରେ ଚେଇଁଲା ପୁଲିସ, ଖସିଯିବେ କି ହାକିମ!

ଭୁବନେଶ୍ବର : ଦିବ୍ୟାଙ୍ଗ ଯୁବତୀଙ୍କୁ ଭଲ ଚାକିରି ଓ ଭଲ ଦରମାର ପ୍ରଲୋଭନ ଦେଖାଇବା ସହ ଜୋର୍‌ ଜବରଦସ୍ତ ଯୌନ ନିର୍ଯାତନା ଦିଆଯାଇଥିବା ମାମଲା ଏବେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଖୋଦ୍‌ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ରାଜଧାନୀରେ ଏଭଳି କାଣ୍ଡ ଘଟାଇଥିବାରୁ ଏହି ମାମଲାକୁ ନେଇ ସବୁଆଡ଼େ ଚର୍ଚ୍ଚା। ବିଶେଷକରି ପୁଲିସ ଅଭିଯୋଗ ପାଇବାର ୨ମାସ ପରେ ବି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ମାମଲାକୁ ଚପାଇବାକୁ ଉପରସ୍ତରରେ ଚାଲିଥିବା ଉଦ୍ୟମରେ ପୁଲିସ ମଧ୍ୟ ସାମିଲ୍ ହୋଇଥିବା ଚର୍ଚ୍ଚା ହେଉଛି। ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜୋର୍‌ କରି ହାକିମମାନଙ୍କୁ ଖୁସି କରିବା ଲାଗି ଠେଲି ଦିଆଯାଇଥିବା ଭଳି ଏକ ସମ୍ବେଦନଶୀଳ ମାମଲାକୁ ପୁଲିସ ବେଶ୍ ହାଲୁକା ଭାବେ ନେଇଛି ବୋଲି ଅଭିଯୋଗ ହେଉଛି। ତେବେ ଏବେ ଭିନ୍ନକ୍ଷମ ଓ ସଶକ୍ତୀକରଣ ଆୟୋଗଙ୍କ କୋର୍ଟ ଉପରେ ସମସ୍ତଙ୍କ ନଜର। ନିରୀହ ଦିବ୍ୟାଙ୍ଗ ଯୁବତୀଙ୍କୁ ଭିନ୍ନକ୍ଷମ ଆୟୋଗ କି ନ୍ୟାୟ ଦେଉଛନ୍ତି, ତାହା ଦେଖିବାକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି କୁହାଯାଉଛି।

ଆରମ୍ଭରୁ ଏହି ମାମଲାକୁ ବେଶ୍ ହାଲୁକା ଭାବେ ନେଇଥିବା ଏୟାରପୋର୍ଟ ପୁଲିସର ନିଦ ଭାଙ୍ଗିଛି। ପୁଲିସଠାରୁ ନ୍ୟାୟ ନ ପାଇ ପୀଡ଼ିତାଜଣକ ଗଣମାଧ୍ୟମରେ ମୁହଁ ଖୋଲିବା ପରେ ପୁଲିସ ହରଡ଼ଘଣାରେ ପଡ଼ିଛି। ତେଣୁ ୨ମାସ ପରେ ପୁଲିସ ଅଭିଯୁକ୍ତ ସମ୍ପାଦକ ସୁରେଶ ବେହେରାକୁ ଧରିବା ଲାଗି ଅଣ୍ଟା ଭିଡ଼ିଛି। ତେଣୁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଆଜି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ ଆରମ୍ଭ କରିଛି। ସୁରେଶକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ମାତ୍ର ପୁଲିସର ଏହି ତତ୍ପରତାକୁ ନେଇ ଲୋକେ ସନ୍ଦିହାନ ଅଛନ୍ତି। କାରଣ ଗତ ନଭେମ୍ବର ମାସରୁ ଏହି ମାମଲା ଏୟାରପୋର୍ଟ ଥାନାକୁ ଯାଇଥିଲା। ନଭେମ୍ବର ୨୩ ତାରିଖରେ ଏୟାରପୋର୍ଟ ଥାନା ପୁଲିସ କେସ୍ ନଂ-୨୪୮/୨୦ ଏବଂ ଆଇପିସି ଦଫା-୪୨୦, ୩୫୪(ଏ), ୩୫୪(ଡି), ୨୯୪, ୩୨୩, ୫୦୬, ୫୦୯ରେ ମାମଲା ରୁଜୁ କରିଥିଲା। କିନ୍ତୁ ତା’ ପରେ ଚୁପ୍‌ ହୋଇଗଲା ପୁଲିସ। ଲୋକଦେଖାଣିଆ ଭାବେ ପୁଲିସ ଅଭିଯୁକ୍ତକୁ ଫେରାର୍‌ ଦର୍ଶାଇ ଚୁପ୍ ବସି ଯାଇଥିଲା।

ସେହିଭଳି ଅଭିଯୋଗ ପାଇବା ପରେ ଭିନ୍ନକ୍ଷମ ଓ ସଶକ୍ତୀକରଣ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି। ଆୟୋଗ ନିଜ ଆଡ଼ୁ ଆଉ ଏକ ମାମଲା ରୁଜୁ କରିଥିବା କହିଛନ୍ତି। ଆସନ୍ତାକାଲି ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବ ବୋଲି କହିଛନ୍ତି ଅଧ୍ୟକ୍ଷା ଶ୍ରୀମତୀ ଦାସ। ଯେଉଁ ଭିଡିଓ, ଫଟୋ ଭାଇରାଲ୍‌ ହେଉଛି, ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ କହିଛନ୍ତି। ତେବେ ଭିନ୍ନକ୍ଷମ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କ ଏହି ଦୃଢ଼ୋକ୍ତି କେତେ ଦୂର ଫଳପ୍ରଦ ହେବ, ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ଜଣେ ପ୍ରଭାବଶାଳୀ ବ୍ୟକ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସଂସ୍ଥାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତହବିଲରୁ ବିପୁଳ ଅନୁଦାନ ମିଳିଥାଏ। ବହୁ ବଡ଼ ବଡ଼ ଅଧିକାରୀମାନେ ତାଙ୍କ ସଂସ୍ଥାରେ ଆତିଥ୍ୟ ଗ୍ରହଣ କରନ୍ତି ଓ ସେମାନଙ୍କୁ ଖୁସ୍ କରିବା ଲାଗି ଯୁବତୀ ଯୋଗାଇ ଦିଆଯାଏ। ଏମିତିକି ଉକ୍ତ ସଂସ୍ଥାକୁ ମିଳୁଥିବା ଅନୁଦାନର ଅଡିଟ୍‌ ପାଇଁ ଆସୁଥିବା ଅଧିକାରୀମାନେ ମଧ୍ୟ ସଂସ୍ଥା ଦ୍ବାରା ଯୋଗାଇ ଦିଆଯାଉଥିବା ଯୁବତୀଙ୍କ ଦ୍ବାରା ଆପ୍ୟାୟିତ ହୋଇଥାଆନ୍ତି ବୋଲି ପୀଡ଼ିତା ସଂଗିନ୍ ଅଭିଯୋଗ ଆଣିଛନ୍ତି। ତେଣୁ ଏସବୁ ଅଭିଯୋଗ ଯଦି ସତ ହୋଇଥାଏ, ତେବେ ତଥାକଥିତ ବଡ଼ବଡ଼ିଆ ହାକିମମାନେ ଏହି ମାମଲାକୁ ଚାପି ଦେବା ଲାଗି ସବୁପ୍ରକାର କଳବଳ ଲଗାଇ ଦେବେ। ଏମିତିକି ଏହି ମାମଲାରେ ରାଜନୈତିକ ଶକ୍ତିର ପ୍ରଭାବ କାମ କରିବା କିଛି ଅସମ୍ଭବ ନୁହେଁ ବୋଲି କୁହାଯାଉଛି। ତେଣୁ ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭିନ୍ନକ୍ଷମ ଆୟୋଗଙ୍କ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କିଭଳି ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ନିବିଦ୍ଧ ରହିଛି।

ସୂଚନାଯୋଗ୍ୟ, ଯୁବତୀଙ୍କ ଘର ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ଅଞ୍ଚଳରେ। ସେ ଜଣେ ଦିବ୍ୟାଙ୍ଗ। ୨୦୧୫ ମସିହାରେ ରୋଜଗାର ଚିନ୍ତାରେ ରାଜଧାନୀ ଆସି ପଳାସପଲ୍ଲୀସ୍ଥିତ ‘ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ’ର କୋଷାଧ୍ୟକ୍ଷ ଥିବା ସୁରେଶ ବେହେରାଙ୍କୁ ସାକ୍ଷାତ କରିଥିଲେ। ବିୟୁଟି ପାର୍ଲର ଇନ୍‌ଷ୍ଟ୍ରକଟର ପଦ ଖାଲି ଅଛି କହି ତାଙ୍କୁ ଚାକିରି ଦିଆଯାଇଥିଲା। ଏଥିପାଇଁ ମାସକୁ ୭ ହଜାର ୨ଶହ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହେଲେ ୬ ମାସ ପରେ ତାଙ୍କୁ ଥରେ ମାତ୍ର ୫ହଜାର ଟଙ୍କା ଦରମା ଦିଆଯାଇଥିଲା। ବାରମ୍ବାର ସେ ଦରମା ମାଗିଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଲୋଭ ଦେଖାଇ ରଖାଯାଉଥିଲା। କରୋନା ସମୟରେ ତାଙ୍କୁ ମାଗଣାରେ ଅଫିସ୍‌ରେ ରହିବାକୁ ଦିଆଯାଇଥିଲା। ସେତେବେଳେ ସୁରେଶ ତାଙ୍କୁ ରାତିରେ ଅସଦାଚରଣ କରିଥିଲେ। ଦୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିଲେ। ସେ ଅଭିଯୋଗ କରିବାକୁ ବାହାରିବାରୁ ସୁ‌ରେଶ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଗତ ନଭେମ୍ବର ମାସରେ ଦରମା ମାଗିବାରୁ ସୁରେଶ ତାଙ୍କୁ ଆକ୍ରମଣ କରିଥିଲେ। ଏଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର