ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ମାମଲା : ବିଜେପିର ବିକ୍ଷୋଭ, କଂଗ୍ରେସର ତଥ୍ୟ ସଂଗ୍ରହ

ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଉଭୟ ଦଳ

ଭୁବନେଶ୍ବର : ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ମାମଲା ଏବେ ରାଜ‌େନୖତିକ ମୋଡ଼ ନେଇଛି। ଏହି ଘଟଣା‌େର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଟାର୍ଗେ‌ଟ୍‌ କରିଛନ୍ତି ବିଜେପି ଓ କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବେଳେ କଂଗ୍ରେସ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ମନ୍ତ୍ରୀ ଓ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ସୁ‌ଲୋଚନା ଦାସଙ୍କ ବହିଷ୍କାର ଦାବି କରିଛି।

ସୋମବାର ଅପରାହ୍ନରେ ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ‌ଏକ ଶୋଭଯାତ୍ରା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ମାଷ୍ଟର୍‌ କ୍ୟାଣ୍ଟିନ୍ ଯାଇଥିଲା। ସେଠାରେ ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଇସ୍ତଫା ଦାବି କରିଥିଲେ। ସଭାପତି ଶ୍ରୀ ସିଂହ କହିଥିଲେ ଯେ ଦିବ୍ୟାଙ୍ଗ ଯୁବତୀଙ୍କୁ ଭଲ ଚାକିରି ଓ ଦରମାର ପ୍ରଲୋଭନ ଦେଖାଇବା ସହ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି। ଖୋଦ୍‌ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ଏପରି କାଣ୍ଡ କରିଛନ୍ତି। ପୁଲିସ୍‌ ଅଭିଯୋଗ ପାଇବାର ଦୁଇ ମାସ ପରେ ବି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଆଶ୍ଚର୍ଯ୍ୟଜନକ। ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜୋର୍‌ କରି ହାକିମମାନଙ୍କୁ ଖୁସି କରିବା ପାଇଁ ଠେଲି ଦିଆଯାଇଥିବା ଭଳି ଏକ ସମ୍ବେଦନଶୀଳ ମାମଲାକୁ ପୋଲିସ କାହା ଚାପରେ ହାଲକା ଭାବରେ ନେଇଥବା ସନ୍ଦେହ ହେଉଛି। ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଏହି ପ୍ରସଙ୍ଗରେ କାହିଁକି ନୀରବ ଅଛନ୍ତି ? ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଇସ୍ତଫା ଦେବାକୁ ଶ୍ରୀ ସିଂହ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳର ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ, ଯୁବମୋର୍ଚ୍ଚା ଭୁବନେଶ୍ବର ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ସବୁ ମଣ୍ଡଳ ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ପ୍ରଦେଶ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ମହାସଂଘ କାର୍ଯ୍ୟାଳୟକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା। ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ‌େର ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଦିବ୍ୟାଙ୍ଗମାନଙ୍କ ଅବସ୍ଥା କେତେ ଦୁର୍ବିସହ, ଏହି ଘଟଣାରୁ ତାହା ସ୍ପଷ୍ଟ ଜଣାପଡ଼ୁଛି। ନଭେମ୍ବର ୨୩ ତାରିଖରୁ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପୁଲିସ୍‌ର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଦୀର୍ଘ ଦିନ ଧରି ସେଠାରେ ହୀନ କାର୍ଯ୍ୟ କରି ଆସୁଥିବା ସୁରେଶ ବେହେରାଙ୍କୁ ପୁଲିସ୍‌ ଖୋଜି ନ ପାଇବା ଦୁର୍ଭାଗ୍ୟଜନକ। ଭିନ୍ନକ୍ଷମ କମିସନ୍‌ର ଅଧ୍ୟକ୍ଷା ସୁଲୋଚନା ଦାସ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ଅନ୍ତେବାସୀଙ୍କ ସହ କଥା ହୋଇ ନ ଥିଲେ କି ସ୍ମାରକପତ୍ର ଗ୍ରହଣ କରି ନ ଥିଲେ। ନିଜେ ଶ୍ରୀମତୀ ଦାସ ଗତ ଅଗଷ୍ଟ ୧୫ ତାରିଖରେ କୋଭିଡ୍‌ କଟକଣାକୁ ଖାତିର ନ କରି ସୁରେଶ ବେହେରାଙ୍କ ନିମନ୍ତ୍ରଣ କ୍ରମେ ସେଠାରେ ପତାକା ଉତ୍ତୋଳନ କରିଥିଲେ। ସୁରେଶ ବେହେରାଙ୍କ ଚାରିତ୍ରିକ ତଥ୍ୟ ଓ ସ୍ବଚ୍ଛତାକୁ ଠିକ୍ ଭାବେ ପରୀକ୍ଷା ନ କରି ଭିନ୍ନକ୍ଷମ କମିସନ୍‌ର ଅଧ୍ୟକ୍ଷା ଶ୍ରୀମତୀ ଦାସ, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂପୃକ୍ତ ଅନୁଷ୍ଠାନର ସଭାପତି ଅନନ୍ତ ନାରାୟଣ ଜେନା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସୁପାରିସ୍‌ ଫଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସ କାର୍ଯ୍ୟକ୍ରମରେ ପୁରସ୍କୃତ କରିଥିଲେ। ଏହି ଘଟଣାର ନିରପେକ୍ଷ ଓ ସ୍ବତନ୍ତ୍ର ତଦନ୍ତ କରାଯିବା ସହ ମନ୍ତ୍ରୀ, ବିଧାୟକ ଓ କମିସନ୍‌ ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବାକୁ ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ଓ ପୂର୍ବତନ ମୁଖପାତ୍ର ପଦ୍ମାକର ଗୁରୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ତଥ୍ୟ ଅନୁସନ୍ଧାନକାରୀ ଟିମ୍‌ରେ ରଶ୍ମୀ ମହାପାତ୍ର, ସ୍ବାଧୀନବାଳା ଦାସ, ପଦ୍ମାକର ଗୁରୁ, ସ୍ବାଗତିକା ପଟ୍ଟନାୟକ, ନିରୁପମା ପାତ୍ର, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର ଓ ଦୀପକ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର