ତଦନ୍ତ ପାଇଁ କମିଟି ଗଠନ ହେବ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ପ୍ରସଙ୍ଗ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ସହକାରୀ ଅଧ୍ୟାପକ ମହେଶ୍ୱର ଶତପଥୀଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଆଣିଥିବା ଯୌନ ଓ ଶାରୀରିକ ନିର୍ଯାତନା ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟସ୍ତରରେ ଏକ କମିଟି ଗଠନ କରି ତଦନ୍ତ କରାଯିବ। ଏହି କମିଟି ଆସନ୍ତା ୩୧ତାରିଖ ମଧ୍ୟରେ ଗଠନ ହେବ। କମିଟିର ରିପୋର୍ଟ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବ ବୋଲି ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ଭାଶ୍ୱତୀ ପଟ୍ଟ ନାୟକ କହିଛନ୍ତି।

ଶ୍ରୀ ଶତପଥୀଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିବା ପରେ ମନସ୍ତତ୍ତ୍ୱ ବିଭାଗରେ ପାଠପଢ଼ା ଠପ୍‌ ହୋଇଯାଇଥିଲା। ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଥିବାରୁ କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଅଣାୟତ୍ତ ହେବାରୁ ଆଜି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଓ୍ଵାର୍ଡେନ କିଶୋର ବାସା ଏବଂ ବରିଷ୍ଠ ପ୍ରଧ୍ୟାପକମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ବିଭାଗରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବିଭାଗୀୟ ମୁଖ୍ୟ ସହକାରୀ ଅଧ୍ୟାପକ ମହେଶ୍ୱର ଶତପଥୀଙ୍କୁ କ୍ଲାସ୍‌ ନେବାରୁ ବାରଣ କରିବା ସହ ଛାତ୍ରଛାତ୍ରୀ ସଂପୃକ୍ତ ଥିବା ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ତଦନ୍ତ କମିଟି ରିପୋର୍ଟ ନଦେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ଜାରି ରହିବ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯୌନ ନିର୍ଯାତନା ଆସିଲେ ଯେପରି କମିଟି ଗଠନ କରିବାକୁ ନିୟମ ଅଛି ସେହି ଅନୁଯାୟୀ ତଦନ୍ତ କମିଟି ଗଠନ ହେବ। କମିଟିର ସୁପାରିସ ଅନୁସାରେ ଯାହା ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର