ଭିନ୍ନକ୍ଷମ କଲ୍ୟାଣ କେନ୍ଦ୍ରରେ ଯୌନ କେଳେଙ୍କାରୀ ମାମଲା: ସ୍ବତନ୍ତ୍ର ଟିମ୍‌ ଖୋଜିବ ଖିଅ

ରିମାଣ୍ଡରେ ଆସିବ ବାସନ୍ତୀ, ସଂପୃକ୍ତ ଅଫିସରଙ୍କ ଗୁମର ଫିଟିବ

ଭୁବନେଶ୍ବର, ୯/୨(ଇମିସ): ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦୀର୍ଘ ଦିନ ଧରି ଚାଲିଥିବା ଯୌନ କେଳେଙ୍କାରୀ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦିବ୍ୟାଙ୍ଗ ମହିଳାଙ୍କ କଲ୍ୟାଣ ପାଇଁ ଗଠିତ ଅନୁଷ୍ଠାନ ଭିତରେ ଅନ୍ତେବାସିନୀଙ୍କୁ କିଛି ବଡ଼ବଡ଼ିଆଙ୍କୁ ଯୌନସୁଖ ଦେବା ପାଇଁ ନିୟୋଜିତ କରାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେଣୁ ପ୍ରଥମରୁ ମାମଲାକୁ ବେଶ୍ ହାଲୁକା ଭାବେ ନେଇଥିବା କମିସନରେଟ୍‌ ପୁଲିସ ଏବେ ଏହାକୁ ଅଧିକ ଗୁରୁତ୍ବର ସହ ନେଇଛି। ଅନୁଷ୍ଠାନ ଭିତରେ ଚାଲିଥିବା ଏହି କଳା କାରନାମା ଉପରୁ ପରଦା ହଟାଇବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ମୁଖିଆଭାବେ ଜଣେ ଏସିପିଙ୍କ ସହିତ ଏୟାର୍‌ପୋର୍ଟ ଥାନା ଆଇଆଇସି ଓ ମହିଳା ଥାନା ଆଇଆଇସି ବନୀତା ମହାରଣା ଏହି ସ୍ବତନ୍ତ୍ର ଟିମ୍‌ରେ ରହିଛନ୍ତି। ଆଜିଠୁ ଏହି ଟିମ୍‌ ମାମଲାର ଛାନ୍‌ଭିନ୍‌ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ ପ୍ରାଥମିକ ତଦନ୍ତରୁ ଏକ ବଡ଼ ସେକ୍‌ସ ରୢାକେଟ୍‌ର ସନ୍ଧାନ ମିଳିଛି। କଟକରୁ ଗିରଫ ହୋଇଥିବା ବାସନ୍ତୀ ଏଠାକୁ ଯୁବତୀ ଚାଲାଣ କରୁଥିବାବେଳେ ବଙ୍ଗୀୟ ତଥା ଅନ୍ୟ ଅଣଓଡ଼ିଆ ଯୁବତୀମାନଙ୍କୁ ଏଠାରେ ବିଭିନ୍ନ ପଦସ୍ଥ ସରକାରୀ ଅଧିକାରୀଙ୍କୁ ଭେଟି ଦିଆଯାଉଥିଲା ବୋଲି ଜଣାପଡ଼ିଛି। ନୟାଗଡ଼, କଟକ ଓ ପୁରୀ ଜିଲ୍ଲାରୁ ମଧ୍ୟ ଯୁବତୀମାନଙ୍କୁ ଆଣି ଏଠାରେ ଦେହ ବେପାରରେ ଲଗାଯାଉଥିଲା। ତେଣୁ ରାଣୀ ମହୁମାଛି କୁହାଯାଉଥିବା ବାସନ୍ତୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଏହି ରୢାକେଟ୍‌ ସମ୍ବନ୍ଧରେ ଆହୁରି ଅଧିକ ତଥ୍ୟ ମିଳିବ ଏବଂ ଏହି ଯୌନ କେଳେଙ୍କାରୀରେ କେଉଁ ଅଫିସରମାନେ ସଂପୃକ୍ତ ତାହା ଜଣାପଡ଼ିବ ବୋଲି ଆଶା ବାନ୍ଧିଛି ସ୍ବତନ୍ତ୍ର ପୁଲିସ ଟିମ୍‌।

ଅନ୍ୟପଟେ ସମ୍ପୃକ୍ତ ଅନୁଷ୍ଠାନକୁ ଅନୁଦାନ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠାନର ଆଲ୍‌ମିରା ଭଙ୍ଗା ଯାଇ ବ୍ୟାଙ୍କ୍‌ ଖାତା, ନଥିପତ୍ର, ଜରୁରି ଫାଇଲ୍‌ରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି। ସରକାରୀ ଅର୍ଥ କେମିତି ଅପବ୍ୟୟ ହୋଇଛି, ସେନେଇ ଅନେକ ପ୍ରମାଣ ଯୋଗାଡ଼ ହୋଇଛି। କେବଳ ସମ୍ପାଦକ ନୁହନ୍ତି, ବରଂ ଆଉ କେତେଜଣ ଏଭଳି ଆର୍ଥିକ ତୋଷାରପାତରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏହି ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ଲକ୍ଷ ଲକ୍ଷ ଟଙ୍କା ହଡ଼ପ ପଛରେ ସୁରେଶ ସମେତ ଆଉ କିଏ କିଏ ଅଛନ୍ତି, ସେନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତ ହେଉଛି। କରୋନା ସମୟରୁ ଏହି ଅନୁଷ୍ଠାନରେ କୌଣସି ଅନ୍ତେବାସୀ ନ ଥିବାରୁ ଏହା ବନ୍ଦ ରହିଛି।

ସମ୍ବନ୍ଧିତ ଖବର