ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ମାମଲା : ପୁଲିସ ପଞ୍ଝାରେ ସମ୍ପାଦକ ସୁରେଶ

ସୁରକ୍ଷା ଦେଉଥିଲେ ରାଜନେତା! ପୂର୍ବରୁ ଗିରଫ ହୋଇଥିଲେ ମହିଳା ଇନ୍‌ଷ୍ଟ୍ରକ୍ଟର

ଭୁବନେଶ୍ବର : ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ପୂର୍ବତନ ମହିଳା କର୍ମଚାରୀଙ୍କୁ ଠକେଇ ଓ ଯୌନ ନିର୍ଯାତନା ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସମ୍ପାଦକ ସୁରେଶ ବେହେରା କମିସନରେଟ ପୁଲିସ ଜାଲରେ ପଡ଼ିଛି। ଦୀର୍ଘ ଅଢ଼େଇ ମାସର ଲୁଚକାଳି ଖେଳ ପରେ ସୁରେଶକୁ ଧରିବାରେ ସକ୍ଷମ ହୋଇଛି ଏୟାରପୋର୍ଟ ଥାନା ପୁଲିସ। ସୁରେଶକୁ ସାଙ୍ଗରେ ଧରି ପୁଲିସ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଚଢ଼ଉ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି।

ତେବେ ପ୍ରଶ୍ନ ଉଠୁଛି, ସୁରେଶ ଏତେ ଦିନ ଯାଏ କେଉଁଠି ଆତ୍ମଗୋପନ କରିଥିଲେ? କାହିଁକି ପୁଲିସ ତାଙ୍କୁ ଧରି ପାରୁ ନ ଥିଲା? ମିଳିଥିବା ତଥ୍ୟ ଅନୁସାରେ, ସୁରେଶ ରାଜଧାନୀରେ ଜଣେ ରାଜନେତାଙ୍କ ଛତ୍ରଛାୟା ତଳେ ଲୁଚି ରହିଥିବା କୁହାଯାଉଛି। ଯାହା ଫଳରେ ପୁଲିସ ସେଠାରେ ପହଞ୍ଚି ପାରୁ ନ ଥିଲା। ଅଧିକାରୀଙ୍କ ସହ ମହିଳା କର୍ମଚାରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନ୍ୟ ଏକ ମାମଲାରେ ଗତ ୧ ତାରିଖରେ ଏୟାରପୋର୍ଟ ଥାନା ପୁଲିସ ଜଣେ ମହିଳା ଇନଷ୍ଟ୍ରକ୍ଟରଙ୍କୁ ଗିରଫ କରିଥିଲା। ସେ ଥିଲେ ମଧୁମଞ୍ଜରୀ ଧଳ।

ସୂଚନାଯୋଗ୍ୟ, ନୂଆପଡା ସିନାପାଲିର ଜଣେ ମହିଳା ଗତବର୍ଷ ନଭେମ୍ବର ୨୩ ତାରିଖରେ ସମ୍ପାଦକ ସୁରେଶଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରିକି ସଂସ୍ଥାକୁ ଅଡିଟ୍ କରିବାକୁ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗକାରୀ ପୁଲିସ ନିକଟରେ ବୟାନ ଦେଇଥିଲେ। ଦୁଇ ମାସ ଧରି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୋଗକାରୀ ଥାନାକୁ ଆସି ନ୍ୟାୟ ମାଗିଥିଲେ। ଏହି ସଂଗିନ ଘଟଣା ସମ୍ପର୍କରେ ସେ ଗଣମାଧ୍ୟମରେ ମୁହଁ ଖୋଲିବା ପରେ ପୂରା କେଳେଙ୍କାରୀ ସାମ୍ନାକୁ ଆସିଥିଲା। ଏହି କେନ୍ଦ୍ରରେ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଆହୁରି ମଧ୍ୟ ଅଭିଯୋଗ ଥାନାରେ ପହଞ୍ଚିଥିଲା। ‌ଦୋଷୀକୁ ଧରିବା ଦାବିରେ ବିଜେପି ମଧ୍ୟ ଆନ୍ଦୋଳନ କରିଥିଲା। ଶେଷରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଧରା ପଡ଼ିଥିବାରୁ ବହୁ କେଳେଙ୍କାରୀ ପଦାକୁ ଆସିବ ବୋଲି ବିଚାର କରାଯାଉଛି।

ସମ୍ବନ୍ଧିତ ଖବର