ଘରୋଇ ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର: ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଅଖିଳ ଭାରତ ଅଭିଭାବକ ସଂଘର ସଭାପତି ପ୍ରଦୀପ୍ତ ନାୟକ ଏ ନେଇ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସ୍‌ସିପିସିଆର)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୩୧ ତାରିଖ ଦିନ ପାଠପଢ଼ା ଚାଲିଥିବା ବେଳେ ଜଣେ ୫ମ ଶ୍ରେଣୀର ଛାତ୍ରଙ୍କୁ ଆଉ ଜଣେ ଛାତ୍ର ଟଏଲେଟ୍‌ ଡାକି ନେଇ ଯୌନ ନିର୍ଯାତନା ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଛାତ୍ରର ଅଧିକାର କ୍ଷୁଣ୍ଣ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାମଲାକୁ କମିସନରେଟ୍‌ ଡିସିପିଙ୍କ ଜରିଆରେ ତଦନ୍ତ କରିବା ପାଇଁ ଲେଖିଛନ୍ତି। ଏଥିସହିତ ଘରୋଇ ବିଦ୍ୟାଳୟ‌ରେ ଏଭଳି ଘଟଣା ନଘଟିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରଖିବା ପାଇଁ ଦାବି କରିଛନ୍ତି।

ଅନ୍ୟପଟେ ସ୍କୁଲର ସମ୍ପାଦକ ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଭଳି ଅଭିଯୋଗ ହୋଇଥିଲା। ଆମେ ଘଟଣାର ବିଧିବଦ୍ଧ ଭାବରେ ତଦନ୍ତ କରିଥିଲୁ। ତଦନ୍ତ ପରେ ଏଭଳି କୌଣସି ସମସ୍ୟା ନଥିବା ଜଣାପଡ଼ିଥିଲା। ପରେ ଆମେ ପୀଡ଼ିତ ଛାତ୍ରର ପରିବାରବର୍ଗଙ୍କୁ ଡକାଇ ତଦନ୍ତରେ ମିଳିଥିବା ତଥ୍ୟ ସମ୍ବନ୍ଧରେ ଅବଗତ କରାଇଥିଲୁ। ଏବେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର