ବିଏମ୍‌ସି ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: କମିସନରଙ୍କ ଆଦେଶକୁ ଚାପିଛି କିଏ?

ଭୁବନେଶ୍ବର : ବିଏମ୍‌ସିର ଜଣେ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଆସିଥିବା ସଙ୍ଗିନ ଅଭିଯୋଗରେ ହେବ କାର୍ଯ୍ୟାନୁଷ୍ଠାନ। ବିଏମ୍‌ସି କମିସନର ସଞ୍ଜୟ ସଂହ ଘଟଣାକୁ ଗୁରୁତ୍ବର ସହ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନି‌ର୍ଦ୍ଦେଶ ଦେଇଛନ୍ତି। ହେଲେ କେତେକ ବରିଷ୍ଠ ଅଧିକାରୀଙ୍କର ଅଭିଯୁକ୍ତଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନି। ଆଦେଶକୁ ଗୋଟିଏ ସପ୍ତାହ ପୂରିଥିଲେ ମଧ୍ୟ ଆଦେଶକୁ ଚାପି ବସି ଯାଇଛନ୍ତି ଅଧିକାରୀ। ଜଣେ ଅଭିଯୁକ୍ତ କର୍ମଚାରୀଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି? କ’ଣ ଏମିତି ଅଛି ଯେ, କମିସନରଙ୍କ ଆଦେଶ ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ? ପ୍ରଥମେ ମହିଳା କର୍ମଚାରୀଙ୍କ ଅଭିଯୋଗ ଯେଭଳି ପଦାକୁ ନ ଯିବ, ତାହାକୁ ଚାପିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ଅଭିଯୋଗ କମିସନରଙ୍କ ପାଖରେ ପହଞ୍ଚି ଯାଇଥିଲା। ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ହେଲେ ମଧ୍ୟ ଏହାକୁ ରଫାଦଫା କରି ଦେବା ପାଇଁ କେତେକ ବରି‌ଷ୍ଠ ଅଧିକାରୀ ଲାଗିପଡ଼ିଥିବା କୁହାଯାଉଛି।

ଗତ ଜାନୁଆରି ମାସରେ ଜଣେ ମହିଳା ସହକର୍ମୀଙ୍କୁ ଜଣେ ବରିଷ୍ଠ କର୍ମଚାରୀ (କିରାଣୀ) ଅସଦାଚରଣ କରିଥିବା ଅଭିଯୋଗ ହେବା ପରେ ତନାଘନା ହୋଇଥିଲା। ଅଭିଯୁକ୍ତ କର୍ମଚାରୀ ଜଣକ ଦକ୍ଷିଣପୂର୍ବ ଜୋନ୍‌ର କିରାଣୀ ଅରୁଣ ବିଶ୍ବାଳ ବୋଲି ଜଣାପଡ଼ିଥିଲା। ଅଭିଯୋଗ ହେବା ପରେ ‘ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ଅନ୍‌ ସେକ୍ସୁଆଲ ହାରାସ୍‌ମେଣ୍ଟ’ ମାମଲାର ତଦନ୍ତ କଲା। ହେଲେ କୌଣସି ଅଗ୍ରଗତି ହେଲା ନାହିଁ। ଅଭିଯୁକ୍ତ ଯେମିତି କାମ କରିବା କଥା ସେମିତି କାମ କରୁଥିଲେ। ଶେଷରେ ପୀଡ଼ିତା ହତାଶ ହୋଇ କମିସନରଙ୍କୁ ଅଭିଯୋଗ କରିଥିଲେ। କମିସନର ଅଭିଯୋଗ ପାଇବା ପରେ ‘ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ଅନ୍‌ ସେକ୍ସୁଆଲ ହାରାସ୍‌ମେଣ୍ଟ’କୁ ରିପୋର୍ଟ ତଲବ କରିଥିଲେ। ସେଠାରୁ ରିପୋର୍ଟ ପାଇବା ପରେ କମିସନର ଅତିରିକ୍ତ କମିସନରଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଆଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହେଉନାହିଁ। ଅଭିଯୁକ୍ତ କର୍ମଚାରୀଙ୍କୁ ସୁରକ୍ଷା ମିଳୁଥିବାରୁ ଅଭିଯୋଗକାରିଣୀ ହତାଶ ହୋଇଛନ୍ତି। ମାମଲା ରଫାଦଫା କରିବା ପାଇଁ ଚାପ ପଡ଼ିବା ଆରମ୍ଭ ହୋଇଛି। ଯେଉଁଥିପାଇଁ ଅଭିଯୋଗକାରିଣୀ ଭୟଭୀତ ହୋଇଛନ୍ତି।

ପ୍ରାୟ ୩ ମାସ ତଳେ ଅନୁରୂପ ଅଭିଯୋଗ ହୋଇଥିଲା। ବିଏମ୍‌ସି ଅଧୀନରେ କାମ କରୁଥିବା ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ହେଲେ ପରେ କର୍ମଚାରୀ ଜଣକ କ୍ଷମା ପ୍ରାର୍ଥନା କରିବା ପରେ ମାମଲା ରଫାଦଫା ହୋଇ ଯାଇଥିଲା। ଅଭିଯୋଗ ମୁତାବକ, କିଛି ଦିନ ହେବ ପୀଡ଼ିତାଙ୍କ ଉପରେ ଅଭିଯୁକ୍ତ କିରାଣୀ ଖରାପ ନଜର ପକାଇଥିଲେ। କାମ କରିବା ବେଳେ ଜାଣି ଜାଣି ପୀଡ଼ିତାଙ୍କ ପିଠିରେ ହାତ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଗତ ମାସରେ ଅଫିସ୍‌ରେ କେହି ନଥିବା ବେଳେ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା କମିଟିକୁ ଲିଖିତ ଭାବେ ଅବଗତ କରାଇବା ପରେ କମିଟି ତଦନ୍ତ କରି କମିସନରଙ୍କୁ ରିପୋର୍ଟ ଦେଇଥିଲା। ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏନେଇ ଅଭିଯୁକ୍ତ ଅଧିକାରୀ ଅରୁଣ ବିଶ୍ବାଳ ଅଭି‌ଯୋ‌ଗ କିମ୍ବା କାର୍ଯ୍ୟାନୁଷ୍ଠାନ ବାବଦରେ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର