ଚାକିରି ଦେଇ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ! ଭିଡିଓ ଭାଇରାଲ୍ ପରେ ରାଜଧାନୀରେ ଆଲୋଡ଼ନ

ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ସମ୍ପାଦକଙ୍କ ନାଁରେ ସଂଗିନ ଅଭିଯୋଗ

ଭୁବନେଶ୍ବର : ବାବୁଙ୍କୁ ଖୁସି ନ କଲେ ମିଳିବନି ଦରମା। ଅଭିଯୋଗ କଲେ ଜୀବନ ଯିବାଟା ଥୟ। ପ୍ରଥମେ ଏମିତି ଧମକ ଦେଲେ। ଆଉ ପରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୀର୍ଘ ଦିନ ଯୌନ ନିର୍ଯାତନା ଦେବା ପରେ ଦରମା ନ ଦେଇ ବିଦା କରିଦେଲେ। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ପଳାସପଲ୍ଲୀରେ ଥିବା ‘ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ’ର ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ବିରୋଧରେ। ଗତ ନଭେମ୍ବର ମାସରୁ ଏ ନେଇ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଛି। ନଭେମ୍ବର ୨୩ ତାରିଖରେ ଏୟାରପୋର୍ଟ ଥାନା ପୁଲିସ କେସ୍ ନଂ-୨୪୮/୨୦ ଏବଂ ଆଇପିସି ଦଫା-୪୨୦,୩୫୪(ଏ),୩୫୪(ଡି),୨୯୪,୩୨୩,୫୦୬, ୫୦୯ରେ ମାମଲା ରୁଜୁ କରିଛି। ହେଲେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଫେରାର ଦର୍ଶାଇ ଚୁପ୍ ବସି ଯାଇଛି। ଏବେ ଏହି ଘଟଣା ସ‌ାମ୍ନାକୁ ଆସିବା ପରେ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଅନ୍ୟପଟରେ ଅଭିଯୋଗକାରିଣୀ ଯୁବତୀ ଆଉ ଏକ ସଂଗିନ ଅଭିଯୋଗ ଆଣି କହିଛନ୍ତି; ଏହି ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଚାଲିଛି। ଅନେକ ସମୟ‌ରେ ଅଧିକାରୀମାନେ ପରିଦର୍ଶନ ଓ ଅଡିଟ୍‌ କରିବାକୁ ଆସିଥାନ୍ତି। ସେମାନଙ୍କୁ ଖୁସି କରିବା ପାଇଁ ଯୁବତୀଙ୍କୁ ଭେଟି ଦିଆଯାଏ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରୁ କେତେକ ଯୁବତୀଙ୍କୁ ଅଣାଯାଏ। ବାହାରୁ ଯୁବତୀ ନ ଆସି ପାରିଲେ ତାଙ୍କୁ ମଧ୍ୟ କେତେ ଥର ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଇଛି। ଅଭିଯୋଗ ପରେପରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ଘର ଭିତରେ ପୂରାଇ ଜଣେ କର୍ମଚାରୀ ବାହାରୁ ତାଲା ମାରି ଦେଉଛନ୍ତି। ଭିତରେ ଜଣେ ବାବୁ ଆଗରୁ ବସିଛନ୍ତି। ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରାଯାଉଛି। ଯାହା ବାବୁଙ୍କ ମୁଖା ଖୋଲି ଦେଇଛି। ଏହି ଭିଡିଓକୁ ମଧ୍ୟ ଅଭିଯୋଗକାରିଣୀ ପୁଲିସ ନିକଟରେ ଦାଖଲ କରିଛନ୍ତି।

ମାତ୍ର ଏଭଳି ସଂଗିନ ଅଭିଯୋଗକୁ ଦୁଇ ମାସ ପୂରିବାକୁ ବସିଥିଲେ ମଧ୍ୟ ଫେରାର ଅଭିଯୁକ୍ତକୁ ଧରିପାରି ନାହିଁ କି ଅଭିଯୋଗର ଉପଯୁକ୍ତ ଅନୁସନ୍ଧାନ ମଧ୍ୟ କରାଯାଇ ନାହିଁ। ସେଠାକୁ କେଉଁ ବାବୁମାନେ ଆସୁଥିଲେ? ପୂର୍ବରୁ ଅଭିଯୋଗ ରହିଥିଲା କି ନାହିଁ? ଭାଇରାଲ ଭିଡିଓର କଣ ସତ୍ୟାସତ୍ୟ ରହିଛି? ଏ ସବୁ ଅନୁସନ୍ଧାନ କାହିଁକି ହେଉନାହିଁ? ଖୋଦ୍ ରାଜଧାନୀରେ ଏଭଳି ସଂଗିନ ମାମଲାରେ କାହିଁକି ପୁଲିସ ଚୁପ୍ ହୋଇ ରହିଛି? ଏଭଳି ଅନେକ ପ୍ରଶ୍ନ ଉଠିବା ସହ ପୁଲିସ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।

 ଅଡିଟରଙ୍କୁ ଖୁସି କରିବା ପାଇଁ ନିୟମିତ ଯୋଗାନ୍ତି ଯୁବତୀ
ଦୁଇ ମାସ ତଳୁ ମାମଲା ରୁଜୁ କରି ଚୁପ୍‌ ବସିଛି ପୁଲିସ

ଯୁବତୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଘର ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ଅଞ୍ଚଳରେ। ସେ ଜଣେ ଦିବ୍ୟାଙ୍ଗ। ୨୦୧୫ ମସିହାରେ ରୋଜଗାର ଚିନ୍ତାରେ ପଳାସପଲ୍ଲୀସ୍ଥିତ ଏହି ସଂସ୍ଥାକୁ ଆସିଥିଲେ। ‘ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ’ରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପ୍ୟୁଟର, ସିଲାଇ ଏବଂ ବିୟୁଟି ପାର୍ଲର ତାଲିମ ନେବାର ବ୍ୟବସ୍ଥା ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଅର୍ଥ ପ୍ରଦାନ କରୁଛନ୍ତି। ସେତେବେଳେ କୋଷାଧ୍ୟକ୍ଷ ଥିବା ସୁରେଶ ବେହେରାଙ୍କୁ ସାକ୍ଷାତ କରିଥିଲେ। ବିୟୁଟି ପାର୍ଲର ଇନ୍‌ଷ୍ଟ୍ରକଟର ପଦ ଖାଲି ଅଛି କହି ତାଙ୍କୁ ଚାକିରି ଦିଆଯାଇଥିଲା। ଏଥିପାଇଁ ମାସକୁ ୭ ହଜାର ୨ଶହ ଟଙ୍କା ଦିଆଯିବ ବୋଲି କହାଯାଇଥିଲା। ହେଲେ ପ୍ରାୟ ୬ ମାସ ଧରି ଚାକିରି କରିବା ପରେ ତାଙ୍କୁ ଥରେ ମାତ୍ର ୫ ହଜାର ଟଙ୍କା ଦରମା ଦିଆ ଯାଇଥିଲା। ଏହାପରେ ଆଉ ଦରମା ମିଳି ନ ଥିଲା। ବାରମ୍ବାର ଦରମା ମାଗିଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଲୋଭ ଦେଖାଇ ରଖା ଯାଉଥିଲା। କରୋନା ସମୟରେ ତାଙ୍କୁ ମାଗଣାରେ ଅଫିସ୍‌ରେ ରହିବାକୁ ଦିଆ ଯାଇଥିଲା। ସେତେବେଳେ ସୁରେଶ ତାଙ୍କୁ ରାତିରେ ଅସଦାଚରଣ କରିଥିଲେ। ଦୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିଲେ। ଯୁବତୀ ଜଣକ ଅଫିସରୁ ଯାଇ ସାମନ୍ତରାପୁର ଅଞ୍ଚଳରେ ରହୁଥିଲେ ମଧ୍ୟ ସେଠାରେ ପହଞ୍ଚି ସୁରେଶ ଦୁର୍ବବ୍ୟବହାର କରିଥିଲେ। ଏ ନେଇ ଯୁବତୀ ଜଣକ ଅଭିଯୋଗ କରିବାକୁ ଚାହିଁବାରୁ ସୁ‌େରଶ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ସେବେଠାରୁ ସେ ଭୟଭୀତ ହୋଇ ରହିଥିଲେ। ଗତ ନଭେମ୍ବର ମାସରେ ଦରମା ମାଗିବାରୁ ସୁରେଶ ତାଙ୍କୁ ଆକ୍ରମଣ କରିଥିଲେ। ଏଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ ବୋଲି କହିଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଭାଇରାଲ୍ ଭିଡିଓରେ ଥିବା ସଂସ୍ଥାର ଜଣେ ଅଧିକାରୀଙ୍କ ସହ ତାଙ୍କ ମୋବାଇଲ ନମ୍ବର ଯୋଗେ ଯାଗାଯୋଗ କରାଯାଇଥିଲା। କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର