ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ମ‌ାମଲା : ମିଳୁନି କାଗଜପତ୍ର, ଭଙ୍ଗାହେବ ଆଲମିରା

ଭୁବନେଶ୍ବର : ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି କେନ୍ଦ୍ରର ଆୟବ୍ୟୟ ହିସାବ କଲାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ମିଳୁନଥିବା ଦେଖାଯାଇଛି। ଏଣୁ ପରିସରରେ ଥିବା ଆଲମିରା ଓ ଅନ୍ୟାନ୍ୟ ବନ୍ଦ କୋଠରି ଖୋଲାଯାଇ ଏହି ସବୁ କାଗଜପତ୍ର ଜବତ କରାଯିବାକୁ ଯୋଜନା ହୋଇଛି। ଖୁବ୍‌ଶୀଘ୍ର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଲମାରିର ତାଲା ଭଙ୍ଗା ଯାଇ ଏହି କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି।

ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଯୌନ କେଳେଙ୍କାରୀ ପଦାକୁ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ତଥା ସଂସ୍ଥାର ସମ୍ପାଦକ ସୁରେଶ ବେହେରାଙ୍କ ସମେତ ୬ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଡିଏସ୍‌ଏସ୍‌ଓ କିରାଣି ସଂଗ୍ରାମ ଦାଶ ମଧ୍ୟ ଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆଦେଶରେ ଅନୁଷ୍ଠାନରେ ଚଢ଼ଉ ହୋଇଥିଲା। ଏଥିରେ ବ୍ୟାଙ୍କ ଖାତା, ନଥିପତ୍ର ଜବତ ହୋଇଥିଲା। ପୂର୍ବରୁ କେତେ ଅନୁଦାନ ଦିଆଯାଇଛି ଓ କେତେ କେଉଁ ବାଟରେ ଖର୍ଚ୍ଚ ହୋଇଛି ତାହାର ହିସାବ କରିବା ପାଇଁ କାଗଜପତ୍ର ସଂଗ୍ରହ କରାଯାଇଥିଲା। ଜବତ ହୋଇଥିବା ସମସ୍ତ କାଗଜପତ୍ରକୁ ଯାଞ୍ଚ କଲାବେଳେ ଏଥିରେ ଅନେକ କାଗଜପତ୍ର ଅଭାବ ରହିଥିବା ଦେଖାଯାଇଥିଲା। ଏଣୁ ବାକି ଆବଶ୍ୟକ କଗଜପତ୍ର ଜବତ କରିବା ପାଇଁ ଜିଲ୍ଲାପାଳ ବ୍ୟବସ୍ଥା କରିଛନ୍ତି। ମାଜିଷ୍ଟ୍ରେଟ୍‌ ନିଯୁକ୍ତ ହେବା ପରେ ତାଙ୍କ ଉପ‌ସ୍ଥିତିରେ ଏହି ଜବତ କାର୍ଯ୍ୟ କରାଯିବ। କମ୍‌ ଦିନ ଭିତରେ ଏହି କାର୍ଯ୍ୟ କରିବା ପାଇଁ ଯୋଜନା ଥିବା ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହି ଅନୁଷ୍ଠାନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରୁ ପାଖାପାଖି ୨୦ଲକ୍ଷ ଆର୍ଥିକ ଅନୁଦାନ ମିଳୁଥିଲା। ଏଥିରୁ ୮୦ ଭାଗ ଅର୍ଥ ହଡ଼ପ ହୋଇ ଯାଉଥିଲା। ବାହାରୁ ଯୁବତୀଙ୍କୁ ଆଣି ଏଠାରେ ଅଫିସର ଓ ସମ୍ପାଦକଙ୍କ ଖୁସି ପାଇଁ ବ୍ୟବହାରରେ ଲଗାଇବାକୁ ମଧ୍ୟ ଅର୍ଥ ଖର୍ଚ୍ଚ ହେଉଥିଲା। ଏହି ସବୁ ଅର୍ଥର ହିସାବ ବାହାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାଗଜପତ୍ର ଜବତ କରାଯାଇ ପ୍ରୟାସ କରାଯାଇଥିଲା। ହେଲେ ଅନେକ କାଗଜ ଅଭାବ ଥିବାରୁ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ଏୟାରପୋର୍ଟ ଥାନାରେ ହୋଇଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଏଥିରେ ବଡ଼ ଯୌନ କେଳେଙ୍କାରୀର ପ୍ରମାଣ ମିଳିବାରୁ ଏୟାରପୋର୍ଟ ଥାନା ପୁଲିସ ମହିଳା ଥାନାରେ ଏତଲା ଦେଇଛି। ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ତଦନ୍ତ ଶିଥିଳ ପଡ଼ି ଯାଇଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର