ଏସ୍‌ଏଫଏସ୍‌ଏଲ୍‌ରୁ ହତ୍ୟା ଫାଇଲ୍‌ ଗାଏବ ଘଟଣା: ବିରାଟ ଷଡ଼୍‌ଯନ୍ତ୍ରର ବାସ୍ନା

ସିବିଆଇ ତଦନ୍ତ ଦାବି କଲା ପରିବାର

ଭୁବନେଶ୍ବର : ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ବା ରାଜ୍ୟ ଫୋରେନ୍‌ସିକ୍ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)ରୁ ଏକ ହତ୍ୟାକାଣ୍ଡ ପରୀକ୍ଷା ଫାଇଲ୍‌ ଗାଏବ ହୋଇଯିବା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏକ ଅସାମାହିତ ହତ୍ୟାକାଣ୍ଡର ପରୀକ୍ଷା ଫାଇଲ୍‌ କଡ଼ା ସୁରକ୍ଷା ବଳୟରୁ ଗାଏବ୍ ହେବା ଭଳି ଅବିଶ୍ବସନୀୟ ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ଶାନ୍ତିଲତା ମଲ୍ଲିକଙ୍କ ପରିବାର ଲୋକେ ଏଥିରେ ବେଶି ମର୍ମାହତ ହୋଇପଡ଼ିଛନ୍ତି। ଫାଇଲ୍‌ ଗାଏବ୍ ହେବା ପଛରେ ଏକ ବିରାଟ ଷଡ଼୍‌ଯନ୍ତ୍ର ରହିଛି ବୋଲି ସେମାନେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି।

ମୃତା ଶାନ୍ତିଲତାଙ୍କ ସ୍ବାମୀ ନନ୍ଦକିଶୋର ଓ ଝିଅ ଋତୁପର୍ଣ୍ଣା ଏନେଇ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି। ଝିଅ ଋତୁପର୍ଣ୍ଣା କହିଛନ୍ତି ଯେ ମା’ଙ୍କ ହତ୍ୟାକାଣ୍ଡକୁ ପାଞ୍ଚ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀଙ୍କୁ ଧରିପାରିନାହିଁ। ବାଲେଶ୍ବର ଜିଲ୍ଲା ପୁଲିସର ଅପାରଗତା ପାଇଁ ଆଜି ବି ହତ୍ୟାକାରୀମାନେ ନିର୍ଭୟରେ ବୁଲୁଛନ୍ତି। ସେହିଭଳି ହତ୍ୟାକାଣ୍ଡ ସ୍ଥଳରୁ ସାଇଣ୍ଟିଫିକ୍‌ ଟିମ୍‌ ସଂଗ୍ରହ କରିଥିବା ନମୁନା ପରୀକ୍ଷା ପାଇଁ ଫୋରେନ୍‌ସିକ୍‌ ଲାବ୍‌ରେ ଦୀର୍ଘ ଦିନ ପଡ଼ିରହିଲା। ତଥାପି ସେଥିରୁ ହତ୍ୟାକାରୀମାନଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ଆଶା ଥିଲା। ମାତ୍ର ଏବେ ସେଇ ଆଶାଟିକକ ବି ଗଲା। ଫୋରେନସିକ୍ ଲାବ୍‌ରୁ ପରୀକ୍ଷା ଫାଇଲ୍‌ ହଜିଗଲା। ଏହା ତାଙ୍କ ପରିବାରକୁ ଆହୁରି କଷ୍ଟ ଦେଇଛି। ଫାଇଲ୍‌ ହଜିନାହିଁ, ଯୋଜନାବଦ୍ଧ ଭାବେ ଏହାକୁ ଗାଏବ କରିଦିଆଯାଇଛି ବୋଲି ଋତୁପର୍ଣ୍ଣା ଅଭିଯୋଗ କରିଛନ୍ତି। ହତ୍ୟାକାରୀଙ୍କୁ ବଞ୍ଚାଇବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଛି। ତେଣୁ ଏହି ହତ୍ୟାକାଣ୍ଡ ପଛରେ ନିଶ୍ଚୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡର ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ସେ ଡିଜିପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହିତ ଫାଇଲ୍ ଗାଏବ୍‌ ଘଟଣାରେ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି।

୨୦୧୭ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କଦମାସାହିର ଶାନ୍ତିଲତାଙ୍କୁ ଦୁର୍ବୃତ୍ତମାନେ ନିର୍ମମଭାବେ ହତ୍ୟା କରି ଫେରାର୍‌ ହୋଇଯାଇଥିଲେ। ନୀଳଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ କିଛି ନମୁନା ଏସ୍‌ଏଫ୍‌ଏସ୍‌ଏଲ୍‌ର ବାୟୋଲୋଜି ଡିଭିଜନକୁ ପଠାଯାଇଥିଲା। ବାୟୋଲୋଜି ଡିଭିଜନ୍‌ର ସାଇଣ୍ଟିକ୍ ଅଫିସ୍‌ର ଇପ୍‌ସିତା ସାହୁ ଉକ୍ତ ନମୁନା ପରୀକ୍ଷାର ରିପୋର୍ଟ ବାୟୋଲୋଜି ଡିଭିଜନର ମୁଖ୍ୟ ତଥା ନିର୍ଦ୍ଦେଶକ ଡ. ସୁଜାତା ମହାନ୍ତିଙ୍କୁ ହସ୍ତାନ୍ତର କରିଥିଲେ। ସେଠାରୁ ଉକ୍ତ ରିପୋର୍ଟଟି ଲିଆସନିଂ ଅଫିସ ସେକ୍ସନକୁ ପଠାଯାଇଥିଲା। ସେଠାରୁ ଫାଇଲ୍‌ ଗାଏବ ହୋଇଯାଇଛି। ଏନେଇ ଫୋରେନ୍ସିକ ଲାବ୍ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର