ଅଙ୍କୁର ଫାଉଣ୍ଡେସନ ପକ୍ଷରୁ ‘ଛାୟା ନାଟକ’ କର୍ମଶାଳା

ଭୁବନେଶ୍ବର: ଅଙ୍କୁର ଫାଉଣ୍ଡେସନ୍‌ ତରଫରୁ ଲୁପ୍ତପ୍ରାୟ ଛାୟା କଣ୍ଢେଇ ନାଟକ ‘ରାବଣ ଛାୟା’ ର ପ୍ରଚାର ଓ ସଂରକ୍ଷଣ ପାଇଁ ଏକ ସ୍ବତନ୍ତ୍ର କର୍ମଶାଳା ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। କର୍ମଶାଳାରେ ‘ରାବଣ ଛାୟା’ ନାଟକର ବିଶିଷ୍ଟ ଗୁରୁ ଗୌରାଙ୍ଗ ଚରଣ ଦାଶ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକଙ୍କୁ ଏହି ଲୁପ୍ତପ୍ରାୟ କଳା ସମ୍ପର୍କରେ ତାଲିମ ଦେଇଥିଲେ।

ଏଥିରେ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି, ବିଏମ୍‌ସି ମେୟର୍‌ ସୁଲୋଚନା ଦାସ, ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମଧୁସୂଦନ ଦାସ ଏବଂ ଶିକ୍ଷାବିତ୍ ସୌରୀନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏ ପ୍ରକାର କଳା ଆମ ସାମାଜିକ ଜୀବନର ଅଂଶ ହୋଇ ରହୁ ବୋଲି କହିଥିଲେ। ଶିକ୍ଷା ଓ କଳାର ସମ୍ପର୍କକୁ ନେଇ ବିଜୟ ଭାରତୀ ଶର୍ମା, ଚିନ୍ମୟୀ ସାହୁ ଏବଂ ଚନ୍ଦନ କୁମାର ସିଂହ ଆଲୋଚନା କରିଥିଲେ। କର୍ମଶାଳାକୁ ଆହୁରି ବ୍ୟାପକ କରିବା ସହ ଆଗାମୀ ଦିନରେ ସ୍କୁଲ୍ ପିଲାଙ୍କ ମଧ୍ୟରେ ଓଡ଼ିଶାର କଳା ଓ ସଂସ୍କୃତି ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ଅଙ୍କୁର ଫାଉଣ୍ଡେସନ ତରଫରୁ ଉଦ୍ୟମ ଜାରି ରହିବ ବୋଲି ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି। ଏଥିରେ ଖମାର ଗ୍ରାମର ରାବଣ ଛାୟା କଳାକାରମାନେ ଛାୟା ନାଟକ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର