ଗୁରୁ ପଙ୍କଜଚରଣ ଦାସଙ୍କ ଥିଲେ ପ୍ରଥମ ଶିଷ୍ୟା
ସ୍ବର୍ଗତା ଲକ୍ଷ୍ମୀପ୍ରିୟା ମହାପାତ୍ର ହେଲେ ଗୁରୁ ପଙ୍କଜଚରଣ ଦାସଙ୍କ ପ୍ରଥମ ଶିଷ୍ୟା। ୧୯୪୩/୪୪ ମସିହାରେ ଲକ୍ଷ୍ମୀପ୍ରିୟା ଖୁଡ଼ି ପ୍ରଥମେ ଅନ୍ନପୂର୍ଣ୍ଣାକୁ ଆସିଥିଲେ। ସେତେବେଳେ ସେ ୧୩ ବର୍ଷ ବୟସର ଥିଲେ। ସେ ଆମ ଘରର ଜଣେ ଅତି ଘନିଷ୍ଠ ସଦସ୍ୟା ଥିଲେ। ତାଙ୍କର ପ୍ରଥମ ନୃତ୍ୟାଭିନୟ ଥିଲା ‘ନାହିଁ କେ କରିଦେଲା କାହିଁକି ଲୋ ମିତଣୀ’ । ଏହାପରେ ‘ଜାଣରେ ମୋ ରାଣ ପରାଣ ମିତ’ ନୃତ୍ୟାଭିନୟ ପରିବେଷଣ କରିଥି‌ଲେ। ଏହି ଦୁଇ ନୃତ୍ୟାଭିନୟ ଏତେ ଜନାଦୃତ ହୋଇଥିଲା ଯେ ଲୋକେ ଲମ୍ବା ଲାଇନ୍‌ରେ ଟିକେଟ୍‌ କାଟି ଏହାକୁ ଦେଖିବାକୁ ଆସୁଥିଲେ। ଏହାପରେ ସେ ପରିବେଷଣ କରିଥିଲେ ‘ମୋହିନୀ ଭସ୍ମାସୁର’ ନୃତ୍ୟାନାଟିକା। ଏଥିରେ ମୋହିନୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଲକ୍ଷ୍ମୀପ୍ରିୟା। ଏହାପରେ ୧୯୪୬/୪୭ ମସିହା ଆଡ଼କୁ ଲକ୍ଷ୍ମୀପ୍ରିୟା ଖୁଡ଼ି ଓ ଗୁରୁ କେଳୁଚରଣ ମହାପାତ୍ର ‌ଦ୍ବୈତ ଭାବେ ନୃତ୍ୟ‌ାଭିନୟ ‘ଦଶାବତାର’ ପରିବେଷଣ କରିଥିଲେ। ମୁଁ ମୋ ପରିବାରର ସମସ୍ତ ମୁରବୀଙ୍କୁ ହରାଇଥିବା ବେଳେ ଲକ୍ଷ୍ମୀପ୍ରିୟା ଖୁଡ଼ି ଶେଷ ମୁରବୀ ଥିଲେ। ତାଙ୍କ ମୃତ୍ୟୁ ମୋତେ ଓ ମୋ ପରିବାରକୁ ମୁରବୀ ଶୂନ୍ୟ କରିଦେଇଛି।
-ଗୁରୁ ଶରତ ଦାସ, ଓଡ଼ିଶୀ ନୃତ୍ୟଗୁରୁ

Advertisment

ଆମ ପାଇଁ ଚିର ନମସ୍ୟା ଓ ପ୍ରାତଃସ୍ମରଣୀୟା
ଲକ୍ଷ୍ମୀପ୍ରିୟା ମହାପାତ୍ର ଏକ ନାମ, ଯିଏକି ଆ‌ମର ନମସ୍ୟ। ମୋ ବାପା ବି ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ଥିଲେ। ସେତେବେଳେ ଅନ୍ନପୂର୍ଣ୍ଣା ଥିଏଟରରେ ଉଭୟ ଗୁରୁ କେଳୁରଚଣ ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ମାଉସୀ ଥିଲେ। କିନ୍ତୁ ଲକ୍ଷ୍ମୀପ୍ରିୟା ମାଉସୀ ସେତେବେଳେ ନିଜ ଅଭିନୟର ପରାକାଷ୍ଠାରେ ରାଜ୍ୟରେ ବେଶ୍‌ ଲୋକପ୍ରିୟ ଥିଲେ। ଓଡ଼ିଶୀ ନୃତ୍ୟ ଇତିହାସରେ ତାଙ୍କ ନାମ ଯୁଗେ ଯୁଗେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ଓଡ଼ିଶୀ ‌ସେତେବେଳେ ଆଜିକା କଳେବରରେ ନଥିଲା। ସେତେବେଳେ ସେ ଓଡ଼ିଶୀକୁ ଯେଉଁ ମୂଳଦୁଆ ଦେଇଛନ୍ତି, ଆଜି ଆମେ ସେଇ ମୂଳଦୁଆ ଉପରେ ଦଣ୍ଡାୟମାନ। ସେ ହିସାବରେ ଆମେ ଦେଖିଲେ ସେ ଆମର ନମସ୍ୟା ଓ ପ୍ରାତଃସ୍ମରଣୀୟା।
-ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟଗୁରୁ

ଆମ ମା’ ଭଳି ଥିଲେ
ସ୍ବର୍ଗତା ଲକ୍ଷ୍ମୀପ୍ରିୟା ମହାପାତ୍ର ଆମ ମା’ ଭଳି ଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ଓଡ଼ିଶୀ ଶିକ୍ଷା ସମୟରେ କିଛି ବି ଭୁଲ ହେଇ ଯାଉଥିଲେ, ସେ ତାହାକୁ ସଙ୍ଗେ ସଙ୍ଗେ ଠିକ୍‌ କରିନିଅନ୍ତି। ସବୁ ଦିନ କର୍ମଶାଳା ସରିଲା ପରେ ସେ ଆମ ପାଇଁ ଖାଇବା ତିଆରି କରି ଦେଉଥିଲେ। ସେ ବହୁତ ନମ୍ର, ସ୍ନେହୀ ଓ ସରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ତାଙ୍କ ପାଖରେ କୌଣସି ନକରାତ୍ମକତା ନଥିଲା। ଓଡ଼ିଶୀ ନୃତ୍ୟ କଳାରେ ସେ ବହୁତ ପାରଙ୍ଗମ ଥିଲେ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପାଇଁ ବହୁତ ନମ୍ର ସ୍ବଭାବ ଦେଖାଉଥିଲେ। ତାଙ୍କର ଅବଦାନ ପାଇଁ ଆମେ ସମସ୍ତେ ଗର୍ବିତ। ଆମ ସମସ୍ତଙ୍କ ପାଇଁ ଏକ ମାଆ ଭାବରେ ସେହି ପିଢ଼ିର ସେ ଶେଷ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ।
-ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ

ଓଡ଼ିଶୀ ନୃତ୍ୟକଳାରେ ସେ ସବୁବେଳେ ଅଗ୍ରପୂଜ୍ୟା
ଗୁରୁ କେଳୁଚରଣଙ୍କଠାରୁ ଅଧିକ ତାଙ୍କ ଶିଷ୍ୟମାନଙ୍କୁ ସ୍ବର୍ଗତା ଲକ୍ଷ୍ମୀପ୍ରିୟା ଜାଣୁଥିଲେ। ସେ ଭଲ ମଣିଷ ଥିଲେ। ତାଙ୍କ ସହ ୧୯୮୭ ମସିହାରେ ରୁଷିଆ ଯାଇଥିଲୁ। ସେତେବେଳେ ତାଙ୍କ ପ୍ରତି ମୁଁ ସବୁଠାରୁ ଅଧିକ ପ୍ରଭାବିତ ଥିଲି। ମୋ ଘର ପାଖରେ ତାଙ୍କ ଘର, ଜଣେ ଓଡ଼ିଆ ବୋହୁ ଭାବେ ତାଙ୍କ ମୁଣ୍ଡରେ ଓଢ଼ଣୀ ସବୁବେଳେ ରହୁଥିଲା। ମୋର ମନେ ଅଛି ସେ ଗାଧୋଇକି ଆସିବା ସମୟରେ ଗୁରୁ କେଳୁଚରଣ ମହାପାତ୍ର ସବୁଦିନ ତାଙ୍କ ମଥାରେ ସିନ୍ଦୁର ଲଗେଇ ଦେଉଥିଲେ। ସେ ଓଡ଼ିଶୀ ନୃତ୍ୟକଳାରେ ସବୁବେଳେ ଅଗ୍ରପୂଜ୍ୟ। ସୃଷ୍ଟିର ନିୟମରେ ମଣିଷ ବଶୀଭୂତ। ଏହା ଓଡ଼ିଶୀ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
-ସଙ୍ଗୀତା ଗୋସାଇଁ, ମୁଖ୍ୟ କାର୍ଯ୍ୟନିର୍ବାହୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର