ଭୁବନେଶ୍ୱର : ଇଂରେଜମାନଙ୍କ ବିରୋଧରେ କଳିଙ୍ଗ ବୀରମାନଙ୍କୁ ଏକତ୍ରିତ କରିବାରେ ଜୟୀ ରାଜଗୁରୁ ପ୍ରମୁଖ ଭୂମିକା ନେଇଥିଲେ। ସେ ପାଇକମାନଙ୍କୁ ତତାଇ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ। କିନ୍ତୁ ଆଜି ସରକାରଙ୍କ ପକ୍ଷରୁ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ପାଳନ କରାଯାଉଥିବା ବେଳେ ଏଥିରେ ସହିଦ ଜୟୀ ରାଜଗୁରୁଙ୍କୁ ସ୍ଥାନିତ କରା ଯାଇନାହିଁ। ସହିଦ ରାଜଗୁରୁଙ୍କୁ ପାଇକ ବିଦ୍ରୋହ ସମାରୋହରେ ଉପଯୁକ୍ତ ମର୍ଯ୍ୟାଦା ମିଳୁ।
ଆଜି ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ମହାନ୍ ବିପ୍ଳବୀ ଜୟୀ ରାଜଗୁରୁ’ ଶୀର୍ଷକ ଆଲୋଚନାରେ ଉଦ୍ଘାଟକ ଭାବେ ଯୋଗ ଦେଇ ଗଜପତି ଦିବ୍ୟସିଂହ ଦେବ ଏପରି କ୍ଷୋଭ ପ୍ରକାଶ କରିଛନ୍ତି।
ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି ଶରତ କୁମାର କର, କିସ୍ ବିଶ୍ୱ ବିଦ୍ୟାଳୟ କୁଳପତି ହରେକୃଷ୍ଣ ଶତପଥୀ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଜୟୀ ରାଜଗୁରୁଙ୍କ ବୀରତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜଟାଧାରୀ ମିଶ୍ରଙ୍କ ପୁସ୍ତକ ‘ଅମର ସହିଦ ଜୟୀ ରାଜଗୁରୁ’ ଲୋକାର୍ପିତ ହୋଇଥିଲା। ପ୍ରଫେସର ହେମନ୍ତ କୁମାର ପରିଜା, ପ୍ରଦୀପ କୁମାର ରଥ, ପ୍ରଫେସର ବିଜୟ କୁମାର ରଥ, ଲେଖକ ଅସିତ ମହାନ୍ତି, ପ୍ରଫେସର ଭଗବାନ ସାହୁ, ପ୍ରହ୍ଲାଦ ନାୟକ, ପ୍ରଫେସର ଲକ୍ଷ୍ମୀନାରାୟଣ ମହାନ୍ତି, ପ୍ରଫେସର ରାମଚନ୍ଦ୍ର ମିଶ୍ର ଓ ପ୍ରଫେସର ରତିକାନ୍ତ ମହାନ୍ତି ପ୍ରମୁଖ ପାଇକ ବିଦ୍ରୋହ ଓ ଜୟୀରାଜଗୁରୁଙ୍କ ଜୀବନୀର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।
ସ୍ମୃତି ପରିଷଦ ସଭାପତି ଦିଗମ୍ବର ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସଂଗଠନ ସମ୍ପାଦକ ଚକ୍ରଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ଦିଗମ୍ବର ମହାନ୍ତି ଯୋଗ ଦେଇଥିଲେ।। ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ। ଶୋଭନୀୟ ଶିକ୍ଷାଶ୍ରମ, କୋଣାର୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସ୍ମୃତି ପରିଷଦ ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଦେଇଥିଲେ।