ଭୁବନେଶ୍ବର: ଚଳିତ ବର୍ଷ ୪୮ ବର୍ଷରେ ପଦାର୍ପଣ କରୁଛି ‘ସହିଦନଗର ଦୁର୍ଗାପୂଜା’। ଅନ୍ୟଠାରୁ ଭିନ୍ନ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡପ ଚଳିତ ଥର କୌଣସି ଐତିହ୍ୟର ନକଲ କରିବ ନାହିଁ। କମିଟିର ଯୁବ କର୍ମକର୍ତ୍ତାଙ୍କ ମାନସ ପ୍ରସ୍ତୁତ କାଳ୍ପନିକ ଚିତ୍ର ଡିଜାଇନ୍ରେ ତୋରଣ ନିର୍ମାଣ କରାଯିବ। ତୋରଣ ଆବର୍ଜନାମୁକ୍ତ ତଥା ପରିବେଶ ଅନୁକୂଳ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ୮୫ ଫୁଟ୍ ଉଚ୍ଚ, ୧୩୦ ଫୁଟ୍ ଚଉଡ଼ା ବିଶିଷ୍ଟ ଏହି ତୋରଣର ନିର୍ମାଣରେ ୫୦ ଜଣ ବଙ୍ଗୀୟ କାରିଗର ଜନ୍ମାଷ୍ଟମୀଠାରୁ ଲାଗିଛନ୍ତି। ସହିଦନଗର ଦୁର୍ଗାପୂଜାର ସବୁଠାରୁ ବଡ଼ ସ୍ବତନ୍ତ୍ରତା ହେଉଛି ଏହାର ‘ଚାନ୍ଦିମେଢ଼’। ଦେଢ଼ କେଜି ସୁନାରେ ତିଆରି ହୋଇଛି ମା’ଙ୍କ ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର। ୧୬୦୦ କେଜି ଚାନ୍ଦିରେ ତିଆରି ହେଉଛି ମେଢ଼, ମା’ଙ୍କ ଅଳଙ୍କାର ଓ ଅସ୍ତ୍ରଶସ୍ତ୍ର। ତାରକସି କାମର ରୁପା ମେଢ଼ରେ ସ୍ବର୍ଣ୍ଣ ଅଳଙ୍କାର ପରିହିତା ମା’ ଦୁର୍ଗା ମଣ୍ଡପରେ ଝଟକିବେ। ମେଢ଼ର ଉଚ୍ଚତା ୧୮ ଫୁଟ ରହିବ ଓ କଟକ କାରିଗର ମା’ଙ୍କ ମୂର୍ତ୍ତି ନିର୍ମାଣ କରିବେ।
ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା
ଏଥର ଚାନ୍ଦା ଆଦାୟ ବନ୍ଦ ରହିଥିବାରୁ ପୂଜା ଆୟୋଜନରେ ଅସୁବିଧା ସୃଷ୍ଟି ହୋଇଛି। ଏଣୁ ଯଦି ସରକାର ବିଜ୍ଞାପନ ବା ଅନୁଦାନ ଆକାରରେ କିଛି ସହଯୋଗ କରନ୍ତେ ପୂଜା ସୁରୁଖୁରୁରେ ହୋଇପାରନ୍ତା। ଏଥିସହ ପୂଜା ପରିସରରେ ପ୍ରାୟ ୧୦୦ଟି ସିସି କ୍ୟାମେରା ଓ ଏଆଇ କ୍ୟାମେରା ଲାଗିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରାୟ ୧୦୦ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀଙ୍କ ସହ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯିବ। ଭସାଣି ସମୟରେ ମାଦଳ, ସିଂହବାଜା, ଶଙ୍ଖୁଆ, ପଞ୍ଜାବୀ ବାଜା, ଦୁଲୁଦୁଲି ଆଦି ପାରମ୍ପରିକ ବାଦ୍ୟର ବ୍ୟବସ୍ଥା କରାଯାଇଛି। କିନ୍ତୁ ଯୁବପିଢ଼ି ଓ ଆଧୁନିକ ପିଲାଙ୍କ ପସନ୍ଦକୁ ସ୍ବୀକୃତି ଦେଇ ସେମାନଙ୍କ ପାଇଁ ନିର୍ଦ୍ଧାରିତ କଟକଣା ମଧ୍ୟରେ ଡିଜେକୁ ଅନୁମତି ଦିଆଯାଉ। ଏଥିସହ ଭସାଣିରେ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା, ଫାୟାର୍ ଗାଡ଼ି, ପୁଲିସ ବ୍ୟାଣ୍ଡ ସହ ପରେଡ୍ ବ୍ୟବସ୍ଥା ହେଲେ ସମସ୍ତଙ୍କ ସଂପୃକ୍ତି ସହ ଏହା ପ୍ରକୃତ ଅର୍ଥରେ ସାର୍ବଜନୀନ ପୂଜା ହୋଇପାରନ୍ତା।
ସଚ୍ଚିନନ୍ଦନ ନାୟକ, ସମ୍ପାଦକ
ରାସ୍ତାରେ ଠିଆ ହେଲେ ବି ମା’ଙ୍କ ଦର୍ଶନ ହୋଇପାରିବ
ଆମେ ତୋରଣ ଅପେକ୍ଷା ମା’ଙ୍କ ଦର୍ଶନକୁ ଅଧିକ ଗୁରୁତ୍ବ ଦେଉଛୁ। ଗହଳି ଯୋଗୁ ତୋରଣ ଭିତରକୁ ଆସିପାରୁନଥିବା ଭକ୍ତ ଯେମିତି ରାସ୍ତାରେ ଯାଉଥିବା ସମୟରେ ସେଠାରୁ ହିଁ ମା’ଙ୍କୁ ଦର୍ଶନ କରିପାରିବେ ସେଇ ଭଳି ତୋରଣର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଏଥିସହ ଭକ୍ତଙ୍କ ପାଇଁ ପୂଜା ୪ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମଣ୍ଡାପିଠା, ଚୁଡ଼ାଘଷା, ଖିରି ଆଦି ସହ ଦଶମୀ ଦିନ ଦହିପଖାଳ ଭୋଗ ଲାଗି ହେବ। ଷଷ୍ଠୀଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ପ୍ରତ୍ୟେକ ଦିନ ୧୫୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।
ହେମନ୍ତ ପରିଡ଼ା, ସଭାପତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/02/untitled-1-2025-09-02-06-48-33.jpg)