ଭୁବନେଶ୍ବର: ବହୁପ୍ରତୀକ୍ଷିତ ସହିଦନଗର ବହୁତଳ ପାର୍କିଂ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଆଜିଠାରୁ ଖୋଲିଛି। ବନାରସ୍ର ସଂସ୍ଥା ‘ମଲ୍ଟିପ୍ଲେକ୍ସ’ ଏଠାରେ ପାର୍କିଂ ପରିଚାଳନା ଦାୟିତ୍ବ ନେଇଥିବା ବେଳେ କାର୍ ପିଛା ୩୦ଟଙ୍କା ଓ ବାଇକ୍ ପିଛା ୧୦ ଟଙ୍କା ଦେୟ ଧାର୍ଯ୍ୟ ହୋଇଛି। ବେସ୍ମେଣ୍ଟରେ ଦୁଇମହଲା ସହ ୫ଟି ଫ୍ଲୋର୍ରେ ପାର୍କିଂ ପାଇଁ ସୁବିଧା ରହିଛି। ଏଥିରେ ଏକ ସମୟରେ ୧୯୬ କାର୍ ଓ ୩୯୮ ବାଇକ୍ ପାର୍କ ହୋଇପାରିବ। ‘ମୋ ପାର୍କିଂ’ ଆପ୍ ଜରିଆରେ ଲୋକମାନେ ଏଠାରେ ପାର୍କିଂ ଜାଗା ବୁକ୍ କରିପାରିବେ। କେତେ ଜାଗା ଖାଲି ଅଛି, ତାହା ମଧ୍ୟ ଜାଣିପାରିବେ। ଆଜି ଗୋଟିଏ ଦିନରେ ୨୭ କାର୍ ଓ ୪୩ ବାଇକ୍ ପାର୍କିଂ ହୋଇଥିଲା।
୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୮ ମସିହାରେ ଶେଷ ହେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ମନ୍ଥର କାର୍ଯ୍ୟ ଓ କରୋନା ବାଧକ ସାଜିବାରୁ ବିଳମ୍ବ ହୋଇଥିଲା। ତେବେ ୨୦୨୧ ମସିହାରେ ଜୋରସୋର୍ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ଜୁନ୍ ମାସରେ ଏହି ପାର୍କିଂ ପରିଚାଳନା ପାଇଁ ଟେଣ୍ଡର୍ ଡକାଯାଇଥିଲା। ବେସ୍ମେଣ୍ଟ ବ୍ୟତୀତ ପାର୍କିଂ ପାଇଁ ୩ମହଲାକୁ ବାଦ୍ ଦେଲେ ବାକି ଦୁଇଟି ଫ୍ଲୋର୍ ବ୍ୟାବସାୟିକ ଭିତ୍ତିରେ ବ୍ୟବହାର କରାଯିବ। ସେଥିପାଇଁ ମଧ୍ୟ ଟେଣ୍ଡର୍ ଶେଷ ହୋଇଛି। ଏଇ ମାସ ଶେଷ ସୁଦ୍ଧା ଏଥିରେ ବଡ଼ବଡ଼ ଆଇଟି କମ୍ପାନି କାର୍ଯ୍ୟାଳୟ ଖୋଲିବେ ବୋଲି ଜଣାପଡ଼ିଛି।
ସେହିଭଳି ରାଜମହଲ (ୟୁନିଟ୍-୨)ରେ ଥିବା ବହୁତଳ କାର୍ ପାର୍କିଂ ନିର୍ମାଣ ଶେଷ ହେବା ସହ ପରିଚାଳନା ପାଇଁ ଟେଣ୍ଡର୍ ହୋଇଛି। ଡିସେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା କାର୍ଯ୍ୟକ୍ଷମ ହେଲେ, ମାର୍କେଟ୍ ବିଲ୍ଡିଂ ସାମ୍ନା ମୁଖ୍ୟରାସ୍ତାରେ ହେଉଥିବା ‘ଅନ୍ ଷ୍ଟ୍ରିଟ୍ ପାର୍କିଂ’ ବନ୍ଦ ହେବ। ପରିଚାଳନା କରୁଥିବା କିନ୍ନର ଗୋଷ୍ଠୀଙ୍କୁ ମଧ୍ୟ ଏ ସଂପର୍କରେ ବିଏମ୍ସି ନୋଟିସ୍ କରିସାରିଛି। ତା’ ସହିତ ୟୁନିଟ୍-୧ ହାଟରୁ ମାର୍କେଟ୍ ବିଲ୍ଡିଂକୁ ସଂଯୋଗ କରୁଥିବା ଭୂତଳ ରାସ୍ତା ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଏମ୍ସି ଯୋଜନା କରିଛି। ଭୂତଳ ରାସ୍ତା ଯେଭଳି ଜବରଦଖଲ ନ ହେବ, ସେଥିପାଇଁ ସ୍ବତନ୍ତ୍ର ନଜର ରଖିବାକୁ ସ୍ଥିର କରାଯାଇଛି। ଭୂତଳ ରାସ୍ତାର ଉଭୟ ପାର୍ଶ୍ବ ପ୍ରବେଶପଥ ଯେଭଳି ଫାଙ୍କା ରହିବ, ସେନେଇ ମଧ୍ୟ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ନଜର ରଖିବ। ଲୋକମାନେ ଏହି ବହୁତଳ ପାର୍କିଂରେ ଗାଡ଼ି ରଖି ୧ ନମ୍ବର ହାଟ କିମ୍ବା ରାସ୍ତା ଅପରପାର୍ଶ୍ବକୁ ଯିବେ। ଏଠାରେ ଏକ ସମୟରେ ୪୫୦ଟି କାର୍ ଓ ୩୫୦ ବାଇକ୍ ପାର୍କିଂ ବ୍ୟବସ୍ଥା ରହିବ। ରାସ୍ତା କଡ଼ରେ ପାର୍କିଂ ହେଲେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।