ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟ କରିବେ
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଅମଳରେ ପ୍ରଥମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦ୍ବିତୀୟ ସୁଯୋଗ ପାଇବାରେ ସେ ସଫଳ ହୋଇଛନ୍ତି। ଯେଉଁ ଭରସାରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା ତାହାକୁ ସେ ପୂର୍ଣ୍ଣ ନିଷ୍ଠାର ସହ ନିର୍ବାହ କରୁଛନ୍ତି। ସେଥିପାଇଁ ତାଙ୍କ ଉପରେ ସରକାରଙ୍କ ଭରସା ଅତୁଟ ରହିଛି। ମହାମାରୀର ଚମତ୍କାର ପରିଚାଳନା ତାଙ୍କୁ ବିଶ୍ବ ଦରକାରରେ ଜଣେ ପ୍ରତିଷ୍ଠିତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଉପସ୍ଥାପିତ କରିଛି। ଇତିହାସ ପାଠ ପଢ଼ି ଅର୍ଥନୀତି ଭଳି ଜଟିଳ ବିଷୟରେ କାର୍ଯ୍ୟ କରୁଥିବାରୁ ଯେଉଁମାନେ ତାଙ୍କୁ ତାତ୍ସଲ୍ୟ କରିଥିଲେ, ଏବେ ସେମାନେ ତାଙ୍କର ଅଧିକାଂଶ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଓଡ଼ିଶାର କଟକ ଜିଲ୍ଲାର ବାସିନ୍ଦା ତଥା ଭୁବନେଶ୍ବରର ଡିଏମ୍ ସ୍କୁଲରେ ପାଠପଢ଼ିଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆଉ ତିନି ବର୍ଷ ବଢ଼ାଇଛନ୍ତି। ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ୧୦ରେ ଶେଷ ହେବାର ଥିଲା। ସେହି ଅବଧିକୁ ୨୦୨୪ ଡିସେମ୍ବର ୧୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ମୁଦ୍ରାନୀତିର ଚମତ୍କାର ପରିଚାଳନା ଯୋଗୁଁ ଅର୍ଥନୀତିରେ ଦ୍ରୁତ ସୁଧାର ହେଉଛି। ପୂର୍ଣ୍ଣ ସୁଧାର ଆଣିବା ସହ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବା ଲାଗି ତାଙ୍କୁ ଦ୍ବିତୀୟ ସୁଯୋଗ ପ୍ରଦାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ବିଶ୍ବବିଦ୍ୟାଳୟର ସେଣ୍ଟ୍ ଷ୍ଟିଫେନ୍ କଲେଜରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବା ଶକ୍ତିକାନ୍ତ ଜଣେ ପ୍ରଶାସନିକ ଅଧିକାରୀରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହୋଇଥିଲେ। ୨୦୧୮ ଡିସେମ୍ବର ୧୨ରେ ସେ ଉର୍ଜିତ ପଟେଲ୍ଙ୍କ ଉତ୍ତରାଧିକାରୀ ଭାବେ ଏକ ଜଟିଳ ପରିସ୍ଥିତିରେ ଦାୟିତ୍ବ ଗ୍ରହଣ କରିଥିଲେ। ସେହି ସମୟରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଭିତରେ ଅନେକ ପ୍ରସଙ୍ଗକୁ ନେଇ ତିକ୍ତତା ରହିଥିଲା। ରିଜର୍ଭ ବ୍ୟାଙ୍କ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଉର୍ଜିତ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ଶକ୍ତିକାନ୍ତ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରି ସରକାରଙ୍କ ସହ ରିଜର୍ଭ ବ୍ୟାଙ୍କର ରହିଥିବା ତିକ୍ତତା ଦୂର କରିଥିଲେ ଓ ସମ୍ପର୍କରେ ସୁଧାର ଆଣିଥିଲେ।
୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ଅନେକ ସମୟରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଅଧିକାରୀମାନଙ୍କ ସହ ଆଲୋଚନା କରିବାକୁ ପଡ଼ୁଥିଲା। ତେଣୁ ସରକାର କ’ଣ ଚାହୁଛନ୍ତି ଓ ରିଜର୍ଭ ବ୍ୟାଙ୍କ କ’ଣ ଚାହୁଛି ତାହାକୁ ସେ ଭଲ ଭାବେ ବୁଝିପାରିଥିଲେ। ସେଥିପାଇଁ ତାଙ୍କୁ ଦେଶର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ସେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସଦସ୍ୟ ଓ ଭାରତ ପାଇଁ ଜି୨୦ର ସେର୍ପା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ନିଜ ୩୮ ବର୍ଷର ଚାକିରି ଜୀବନ ମଧ୍ୟରେ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଇଁ ଆର୍ଥିକ, ଟିକସ, ଶିଳ୍ପ ଓ ଭିତ୍ତିଭୂମି ଆଦି କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ବେଳେ ସେ ୮ଟି ବଜେଟ୍ ପ୍ରସ୍ତୁତ କରିଥିବା ଟିମ୍ର ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ, ନିଉ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ ଏବଂ ଏସିଆନ୍ ଇନଫ୍ରାଷ୍ଟ୍ରକ୍ଚର୍ ଇନଭେଷ୍ଟ୍ମେଣ୍ଟ୍ ବ୍ୟାଙ୍କରେ ଭାରତର ଅଲ୍ଟରନେଟିଭ୍ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି। ସେ ଆଇଏମ୍ଏଫ୍, ଜି୨୦, ବ୍ରିକ୍ସ ଓ ସାର୍କରେ ଭାରତର ପ୍ରତିନିଧିତ୍ବ କରିଛନ୍ତି।
ମହାମାରୀ ପରିଚାଳନା ପାଇଁ ପ୍ରଶଂସା
୨୦୨୦ ମାର୍ଚ୍ଚ ଶେଷ ସପ୍ତାହ ଆଡ଼କୁ ଦେଶରେ କରୋନା ମହାମାରୀ ବ୍ୟାପିବାରୁ ଲମ୍ବା ସମୟ ପାଇଁ ଲକ୍ଡାଉନ୍ ଘୋଷଣା କରିବାକୁ ପଡ଼ିଥିଲା। ଏହାର ପ୍ରଭାବରେ ଅର୍ଥନୀତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ପ୍ରଥମ ଥର ଲାଗି ଏଭଳି ସଙ୍କଟ ସାମ୍ନା କରୁଥିଲା। ତେଣୁ କାହା ପାଖରେ କୌଣସି ଅଭିଜ୍ଞତା ନଥିଲା। ସେଭଳି ଏକ ସଙ୍କଟମୟ ସମୟରେ ମହାମାରୀ ପ୍ରଭାବରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ଶକ୍ତିକାନ୍ତ ଆଗକୁ ବାହାରିଥିଲେ। ରିଜର୍ଭ ବ୍ୟାଙ୍କ ପାଖରେ ଯେତେ ପ୍ରକାର ଅସ୍ତ୍ର ଥିଲା ତାହାକୁ ଚତୁରତାର ସହ ବ୍ୟବହାର କରିଥିଲେ। ବ୍ୟାଙ୍କ ଶିଳ୍ପ ଲାଗି ସେ ୧୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ)ଗୁଡ଼ିକର ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିଥିଲେ। ଋଣ ନେଇଥିବା ସାଧାରଣ ଲୋକଙ୍କ କଷ୍ଟ ଦୂର କରିବା ଲାଗି ସେମାନଙ୍କୁ ମୋରାଟୋରିୟମ୍ ସୁବିଧା ଦେଇଥିଲେ। ଥରେ ନୁହେଁ ମହାମାରୀ ସମୟରେ ଦୁଇ ଦୁଇ ଥର ମୋରାଟୋରିଅମ୍ ସୁବିଧା ଘୋଷଣା କରାଯାଇଥିଲା। ତାଙ୍କ ମହାମାରୀ ପରିଚାଳନା ଦକ୍ଷତାକୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି।