ମଞ୍ଚରେ ପ୍ରେମ, ବିରହ ଓ ଅଭିଶାପର କାହାଣୀ…

ଶତାବ୍ଦୀର କଳାକାର’ର ୩୬ତମ ନାଟ୍ୟଚକ୍ର: ମଞ୍ଚସ୍ଥ ହେଲା ‘ଶକୁନ୍ତଳା’

ଭୁବନେଶ୍ବର: ମଞ୍ଚ କହୁଥିଲା ପ୍ରେମ, ଅଭିଶା‌ପ, ଅବିସ୍ମରଣ ଓ ପ୍ରେମାଲିଙ୍ଗନର କଥା। ପୌରାଣିକ ବିଷୟବସ୍ତୁ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପ୍ରେମ, ବିରହ ଓ ଋଷି ଦୁର୍ବାସାଙ୍କ ଅଭିଶାପର କଥା ବେଶ୍‌ ଜୀବନ୍ତ ଓ ନିକ୍ଷୁଣ ଢଙ୍ଗରେ ପରିବେଷିତ ହେଉଥିଲା ମଞ୍ଚରେ। ଅବସର ଥିଲା, ବିଜୁ ନାଟ୍ୟ କେନ୍ଦ୍ରଠାରେ ଆୟୋଜିତ ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ର ୩୬ତମ ନାଟ୍ୟଚକ୍ର। ଏହି ଅବସରରେ ମଞ୍ଚରେ ପରିବେଷିତ ହୋଇଥିଲା ନାଟକ ‘ଶକୁନ୍ତଳା’।
ଏକଦା ରାଜା ଦୁଷ୍ମନ୍ତ ଜଙ୍ଗଲକୁ ଶିକାର କରିବାକୁ ଯାଇ ଋଷି କଣ୍ବଙ୍କ ଆଶ୍ରମରେ ପହଞ୍ଚନ୍ତି। କଣ୍ବଙ୍କ କନ୍ୟା ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ସେ ତାଙ୍କୁ ପ୍ରେମ ବିବାହ କରନ୍ତି।

ବିବାହ କରିବା ବେଳେ ଦୁଷ୍ମନ୍ତ ସ୍ମୃତିସ୍ବରୂପ ଏକ ମୁଦ୍ରିକା ଶକୁନ୍ତଳାଙ୍କୁ ପ୍ରଦାନ କରନ୍ତି। ଦୁ‌ହିଁଙ୍କ ପ୍ରେମପ୍ରଣୟ ପରେ ଦୁଷ୍ମନ୍ତ ବିଦାୟ ନିଅନ୍ତି। କିନ୍ତୁ ଦୁଷ୍ମନ୍ତଙ୍କୁ ସ୍ମରଣ କରି କରି ଶକୁନ୍ତଳା ଅନ୍ୟମନସ୍କ ହୋଇପଡ଼ନ୍ତି। ଥରେ ଋଷି ଦୁର୍ବାସା କଣ୍ବଙ୍କ ଆଶ୍ରମରେ ପହଞ୍ଚନ୍ତି। ଋଷିଙ୍କ ସେବାସତ୍କାର କଲା ବେଳେ ଦୁଷ୍ମନ୍ତଙ୍କ ପ୍ରେମରେ ଉବୁଟୁବୁ ଶକୁନ୍ତଳାଙ୍କ ଅନ୍ୟମନସ୍କତା ଦୁର୍ବାସାଙ୍କୁ କ୍ରୋଧାନ୍ବିତ କରେ। ତେଣୁ ଋଷି ଦୁର୍ବାସା ଶକୁନ୍ତଳାଙ୍କୁ ଅଭିଶାପ ଦିଅନ୍ତି ଯେ ଯାହା କଥା ଭାବି, ତୁମେ ମୋ ଉପସ୍ଥିତି ଭୁଲିଗଲ, ସେ ବି ତୁମକୁ ଭୁଲିଯିବ। ଏଭଳି ଏକ ‌ପୌରାଣିକ କଥାବସ୍ତୁକୁ ନେଇ ମଞ୍ଚସ୍ଥ ‘ଶକୁନ୍ତଳା’ ଆଜି ଶୀତୁଆ ସଂଧ୍ୟାରେ ଦର୍ଶକଙ୍କୁ ଦେଢ଼ ଘଣ୍ଟା ଧରି ପ୍ରେକ୍ଷାଳୟ‌‌‌ରେ ବାନ୍ଧି ରଖିଥିଲା।

ମହାକବି କାଳିଦାସଙ୍କ ରଚିତ ଏହି କାହାଣୀର ଓଡ଼ିଆ ରୂପାନ୍ତର ଓ ନିର୍ଦ୍ଦେଶନା ଦେଇଥିଲେ ଆଲୋକ ଅଗ୍ନିବେଶ। ବିଭିନ୍ନ ଭୂମିକାରେ ବିଧାଂଶୁ, ବିରୂପାକ୍ଷ, ଅପୂର୍ବ, ସୌମ୍ୟ, ଚନ୍ଦ୍ର, ମନୋଜ, ନିତ୍ୟାନନ୍ଦ, ସତ୍ୟ, ସନ୍ତୋଷ, ଜିତ୍, ଅବିନାଶ, ସୁଦୀପ, ମୃତ୍ୟୁଞ୍ଜୟ, ଉମାଶଙ୍କର, ସିମ୍‌ରନ୍‌, ପ୍ରିୟଙ୍କା ଓ କଳ୍ପନା। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗ ଦେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ ହୃଦାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ନାଟ୍ୟ ପୁସ୍ତକ ‘ମାନଭିକ୍ଷା’ ଉନ୍ମୋଚିତ ହୋଇଥିଲା। ପୁସ୍ତକର ସମୀକ୍ଷା କରିଥିଲେ ପ୍ରଫେସର ସଂଘମିତ୍ରା ମିଶ୍ର। ସଂସ୍ଥାର ସମ୍ପାଦକ ଧୀର ମଲ୍ଲିକଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର